Homeରାଜ୍ୟ ଖବରରସଗୋଲାର ଅରିଜିନ୍ ଲଢେଇ: ରାଜ୍ୟ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କଲା ରିଜିଓନାଲ ଡେଭଲପମେଣ୍ଟ ଟ୍ରଷ୍ଟ

ରସଗୋଲାର ଅରିଜିନ୍ ଲଢେଇ: ରାଜ୍ୟ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କଲା ରିଜିଓନାଲ ଡେଭଲପମେଣ୍ଟ ଟ୍ରଷ୍ଟ

ଭୁବନେଶ୍ଵର, ୨୩ ଜୁଲାଇ ୨୦୨୬: ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ଓଡ଼ିଶାର ରସଗୋଲା ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛି। ଏହାର ପ୍ରତ୍ୟେକଟି ବିନ୍ଦୁ ସହ ଓଡ଼ିଶାର ସମୃଦ୍ଧ ଇତିହାସ ଜଡ଼ିତ ହୋଇ ରହିଛି। ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରୁ ରସଗୋଲାକୁ ମା’ ମହାଲକ୍ଷ୍ମୀଙ୍କୁ ଅର୍ପଣ କରାଯାଉଥିବାରୁ ଏହା ଶ୍ରେଷ୍ଠ ଭୋଗ ଭାବେ ବିବେଚିତ। ଏପରିକି ସାରଳା ମହାଭାରତ, ଦାଣ୍ଡି ରାମାୟଣ ଓ ମାଦଳା ପାଞ୍ଜି ଭଳି ପ୍ରାଚୀନ ଗ୍ରନ୍ଥରେ ଦୀର୍ଘ ୮୦୦ ବର୍ଷ ତଳୁ ରସଗୋଲାର ଶ୍ରେଷ୍ଠତ୍ୱ ପ୍ରମାଣିତ ହୋଇଆସିଛି।

ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରି ବିଜେ ସମୟରେ ମା’ ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯାଉଥିବା ରସଗୋଲାର ସ୍ୱାଭିମାନ ଓ ଅସ୍ମିତାକୁ ନେଇ ୧୪ ମାର୍ଚ୍ଚ ୨୦୧୮ ମସିହାରୁ ଦୀର୍ଘ ୮ ବର୍ଷ ଧରି ଆଇନଗତ ସଂଗ୍ରାମ ଜାରି ରହିଛି। “ଓଡ଼ିଶାର ରସଗୋଲା” ଜି.ଆଇ. ଟ୍ୟାଗ୍ ପାଇଥିଲେ ମଧ୍ୟ ଦୁଇ ରାଜ୍ୟ ମଧ୍ୟରେ ଥିବା ଏହି ଅରିଜିନ୍ ବିବାଦର ସ୍ଥାୟୀ ସମାଧାନ ହୋଇପାରିନାହିଁ। ଗୋଟିଏ ପ୍ରସିଦ୍ଧ ମିଠା ଉପରେ ଦୁଇଟି ରାଜ୍ୟକୁ ଟ୍ୟାଗ୍ ମିଳିବା କେତେଦୂର ଗ୍ରହଣୀୟ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ପଶ୍ଚିମବଙ୍ଗ ସରକାର ନିଜେ ଏହି କେସ୍‌ରେ ସାମିଲ ହୋଇ ଲଢେଇ କରୁଥିବା ବେଳେ ଓଡ଼ିଶାର ଏହି ମାମଲାଟି ବର୍ତ୍ତମାନ ମାନ୍ଦ୍ରାଜ ଉଚ୍ଚ ନ୍ୟାୟାଳୟରେ (କେସ୍ ନଂ- ଜିଆଇ୫୩୩) ଅଧୀନରେ ବିଚାରାଧୀନ ରହିଛି, ଯାହାର ଆଗାମୀ ଶୁଣାଣି ୬ ଅଗଷ୍ଟ ୨୦୨୬ ରେ ଧାର୍ଯ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସ୍ୱାଭିମାନ ରକ୍ଷା ପାଇଁ ରାଜ୍ୟ ସରକାର ସକରାତ୍ମକ ପଦକ୍ଷେପ ନେଇ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ରିଜିଓନାଲ ଡେଭଲପମେଣ୍ଟ ଟ୍ରଷ୍ଟ (RDT) ତରଫରୁ ବୁଲନଭାଇ ସେବା ସଦନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ଉପାଧ୍ୟକ୍ଷ ଶ୍ରୀନିବାସ ମହାପାତ୍ର, ସମ୍ପାଦକ ପ୍ରଫେସର ବ୍ରଜେନ୍ଦ୍ର ଦାସ, ସଂଯୋଜକ ପ୍ରଭାତ କୁମାର ଜେନା ଓ ସହ-ସଂଯୋଜକ ଶ୍ରୀମତୀ ପ୍ରଭାତୀ ସାହୁଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗଦେଇଥିଲେ। ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ଶ୍ରୀଜଗନ୍ନାଥଙ୍କ ପ୍ରସାଦର ଅସଲ ସତ୍ୟାସତ୍ୟକୁ ସାମ୍ନାକୁ ଆଣିବା ପାଇଁ ପ୍ରତ୍ୟେକ ଓଡ଼ିଆ ଏହି ଲଢେଇରେ ସାମିଲ ହେବାକୁ ଟ୍ରଷ୍ଟ ଆହ୍ୱାନ ଦେଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments