Homeରାଜ୍ୟ ଖବରଓଡ଼ିଶା ବନାଞ୍ଛଳ ଉନ୍ନୟନ ସମିତିର 'ଏକୀକୃତ ବନ ନିରୀକ୍ଷଣ ଓ କମାଣ୍ଡ ସେଣ୍ଟର' ସହ ନୂତନ...

ଓଡ଼ିଶା ବନାଞ୍ଛଳ ଉନ୍ନୟନ ସମିତିର ‘ଏକୀକୃତ ବନ ନିରୀକ୍ଷଣ ଓ କମାଣ୍ଡ ସେଣ୍ଟର’ ସହ ନୂତନ ୱେବସାଇଟ୍‌ର ଶୁଭାରମ୍ଭ କଲେ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ

ଭୁବନେଶ୍ୱର, ୨୩ ଜୁଲାଇ ୨୦୨୬: ରାଜ୍ୟରେ ଜଙ୍ଗଲ ସୁରକ୍ଷା ଓ ସ୍ଥାୟୀ ବନ ପରିଚାଳନାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତି (ଓଏଫଏସଡିଏସ)ର ନବୀକୃତ ୱେବସାଇଟ୍ www.ofsds.odisha.gov.in ଉନ୍ମୋଚିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଅରଣ୍ୟ ଭବନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଲୋକାର୍ପଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (୨ୟ ପର୍ଯ୍ୟାୟ) ବନ ସଂରକ୍ଷଣ ସହିତ ସ୍ଥାନୀୟ ବାସିନ୍ଦାଙ୍କ ସ୍ଥାୟୀ ଜୀବିକା ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛି। ଏହି ପ୍ରକଳ୍ପ ଦ୍ୱାରା ଆଞ୍ଚଳିକ ଲୋକଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆସିବା ସହ ରାଜ୍ୟରେ ସବୁଜ ଆବରଣ ବୃଦ୍ଧି ଏବଂ ପରିବେଶ ସୁରକ୍ଷା ସମ୍ଭବ ହୋଇପାରୁଛି।

ଏହି କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ୟ ପର୍ଯ୍ୟାୟର ୨୦୨୫-୨୬ ବର୍ଷର ବାର୍ଷିକ ରିପୋର୍ଟ ଏବଂ ଭାରତରେ ଜାଇକା ସହାୟତାପ୍ରାପ୍ତ ବନୀକରଣ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା ଉପରେ ଆଧାରିତ ସ୍ୱତନ୍ତ୍ର ସ୍ମରଣିକାକୁ ଉନ୍ମୋଚିତ କରାଯାଇଥିଲା। ଏଥିସହିତ ଜଙ୍ଗଲ ଜମିର ସୁରକ୍ଷା ଓ ରିଅଲ-ଟାଇମ୍ ନିରୀକ୍ଷଣ ପାଇଁ ଅରଣ୍ୟ ଭବନଠାରେ ‘ଏକୀକୃତ ବନ ନିରୀକ୍ଷଣ ଏବଂ କମାଣ୍ଡ ସେଣ୍ଟର’ର ଉଦଘାଟନ କରାଯାଇଥିଲା, ଯାହା ବନ ପରିଚାଳନାରେ ତ୍ୱରିତ ନିଷ୍ପତ୍ତି ନେବାରେ ସହାୟକ ହେବ। ଏହା ବ୍ୟତୀତ କ୍ଷତିପୂରକ ବନୀକରଣ ନିମନ୍ତେ ଲ୍ୟାଣ୍ଡବ୍ୟାଙ୍କ, ଓଡ଼ିଶା ବନ ପରିଚାଳନା ପ୍ରଣାଳୀ ୨.୦ ଏବଂ କମାଣ୍ଡ ସେଣ୍ଟରର ନୂତନ ୱେବ୍ ଆପ୍ଲିକେସନ୍‌ଗୁଡ଼ିକର ଶୁଭାରମ୍ଭ କରାଯାଇଛି।

ଉକ୍ତ ସମାରୋହରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଡକ୍ଟର କେ. ମୁରୁଗେଶନ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ଶ୍ରୀମତୀ ଉମା ନନ୍ଦୁରୀ, ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ନୋଡାଲ) ତଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜି. ରାଜେଶ, ମନ୍ତ୍ରଣାଳୟର ଉପ ମହାନିରୀକ୍ଷକ (ବନ) ଶ୍ରୀ ଆନନ୍ଦ କୁମାର ପ୍ରଭାକର, କାମ୍ପା ଓଡ଼ିଶାର ସିଇଓ ଶ୍ରୀ ଟି. ଅଶୋକ କୁମାର, ଜିଆଇଏସ ଓ ଆଇଟି ବନ ସଂରକ୍ଷକ ଶ୍ରୀ ଭି. କାର୍ତ୍ତିକ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସ୍ୱୟଂ ମଲ୍ଲିକ, ପରିବେଶ ନିର୍ଦ୍ଦେଶକ ଶ୍ରୀ କେ. ଏସ୍. ପ୍ରଦୀପ, ଏବଂ ଯୁଗ୍ମ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ରିଙ୍କୁ କୁମାରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments