ଭୁବନେଶ୍ୱର, ୨୩ ଜୁଲାଇ: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ (କିମସ) ଡାକ୍ତରମାନେ ବିନା ଓପନ ସର୍ଜରୀରେ ଅସ୍ତ୍ରୋପଚାର କରି ଜଣେ ୪ ବର୍ଷୀୟା ବାଳିକାର ଫୁସଫୁସରେ ଅଟକି ରହିଥିବା ଏକ ଛୋଟ ଧାତବ ଏଲଇଡି ବଲ୍ବକୁ ସଫଳତାର ସହିତ ବାହାର କରି ତାଙ୍କୁ ନୂଆ ଜୀବନ ପ୍ରଦାନ କରିଛନ୍ତି। ଏହି ଜଟିଳ ଚିକିତ୍ସା ପ୍ରକ୍ରିୟାରେ କିମସ ଡାକ୍ତରମାନେ ସର୍ବନିମ୍ନ କ୍ଷତ ସୃଷ୍ଟି ହେଉଥିବା ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରିଥିଲେ, ଯାହା ଫଳରେ ଓପନ ସର୍ଜରୀର ଆବଶ୍ୟକତା ପଡ଼ିନଥିଲା। ଏହି ସଫଳ ଅସ୍ତ୍ରୋପଚାର କେବଳ କିମ୍ସର ଉନ୍ନତ ଶିଶୁ ଚିକିତ୍ସା ଦକ୍ଷତାକୁ ପ୍ରତିଫଳିତ କରିନାହିଁ, ବରଂ ଜଟିଳ ଚିକିତ୍ସା କ୍ଷେତ୍ରରେ ଆଧୁନିକ ଓ ସର୍ବନିମ୍ନ କ୍ଷତ ସୃଷ୍ଟି ହେଉଥିବା ପ୍ରଯୁକ୍ତି କେତେ ସୁରକ୍ଷିତ ଓ ପ୍ରଭାବଶାଳୀ ହୋଇପାରେ, ତାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି।
ଅସାବଧାନତା ଯୋଗୁଁ ଶିଶୁଟି ଏକ ଏଲଇଡି ବଲବକୁ ନାକରେ ପୂରାଇ ଦେଇଥିବା ବେଳେ କ୍ରମେ ଏହା ଶ୍ୱାସ ମାର୍ଗ ଦେଇ ଫୁସଫୁସକୁ ଚାଲି ଯାଇଥିଲା। ସାଧାରଣ ପ୍ରଣାଳୀରେ ଅନ୍ୟ ଡାକ୍ତରଖାନାରେ ଏହି ବସ୍ତୁଟିକୁ ବାହାର କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସଫଳତା ମିଳିନଥିଲା। ଆଠ ଦିନ ଧରି ଶିଶୁଟିର କ୍ରମାଗତ କାଶ ଲାଗି ରହିବାରୁ ତାକୁ କିମସକୁ ଅଣାଯାଇଥିଲା। ଏଠାରେ ଡାକ୍ତରମାନେ ପରୀକ୍ଷା କରି ଏଲଇଡି ବଲ୍ବଟି ଡାହାଣ ଫୁସଫୁସର ନିମ୍ନ ଭାଗରେ ଥିବା ଏକ ସଂକୀର୍ଣ୍ଣ ଶ୍ୱାସ ପଥ ଶାଖାରେ ଅଟକି ଯାଇଥିବା ଜାଣିବାକୁ ପାଇଥିଲେ।
କିମସ କର୍ଣ୍ଣ-ନାସା-ଗଳା (ENT) ବିଭାଗର ଡାକ୍ତରମାନେ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିଥିଲେ। କର୍ଣ୍ଣ-ନାସା-ଗଳା ବିଶେଷଜ୍ଞ ଡା ପ୍ରଦୀପ ରଞ୍ଜନ ସାହୁ ଓ ଡା ମନୀଷା ମଲ୍ଲିକ୍, ଆନାସ୍ଥେସିଓଲୋଜି ବିଭାଗର ଡା ବସନ୍ତ କୁମାର ବେହେରା ଏବଂ ରେସପିରେଟୋରି ମେଡ଼ିସିନ ବିଭାଗର ଡା ସ୍ୱଦୀପ ମିଶ୍ରଙ୍କ ମିଳିତ ପ୍ରଚେଷ୍ଟାରେ ଏହି ଜଟିଳ ଅସ୍ତ୍ରୋପଚାର ସଫଳ ହୋଇଥିଲା। ସାଧାରଣତଃ ବୋତାମ, ଖଡ଼ି, କିମ୍ବା ବଲବ ଭଳି ଛୋଟ ବାହ୍ୟ ବସ୍ତୁଗୁଡ଼ିକ ପିଲାମାନେ ଅସାବଧନତା ଯୋଗୁଁ ନାକରେ ପୂରାଇ ଦେଇଥାନ୍ତି, ଯାହା ନିଶ୍ୱାସ ନେବା ସମୟରେ ନାକ ଭିତର ଦେଇ ଶ୍ୱାସ ପଥକୁ ଗମ୍ଭୀର କରିଦିଏ। ଏହି ବସ୍ତୁଗୁଡ଼ିକ ଫୁସଫୁସରେ ପହଞ୍ଚିବା ପରେ ଏଗୁଡ଼ିକୁ ବାହାର କରିବା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇଥାଏ ଓ ବେଳେବେଳେ ବଡ଼ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିଥାଏ।
ଏହି ସମସ୍ୟାର ସମାଧାନ ପାଇଁ କିମସ ଡାକ୍ତରମାନେ ଓପନ ସର୍ଜରୀ ପରିବର୍ତ୍ତେ ଏକ ସୂକ୍ଷ୍ମ ପଦ୍ଧତି ଅବଲମ୍ବନ କରିଥିଲେ। ଶ୍ୱାସ ପଥକୁ ସୁରକ୍ଷିତ ଭାବରେ ଖୋଲା ଓ ସ୍ଥିର ରଖିବା ପାଇଁ ସେମାନେ କଠିନ ବ୍ରୋଙ୍କୋସ୍କୋପ୍ ବ୍ୟବହାର କରିଥିଲେ। ଏହି ‘ହାଇବ୍ରିଡ୍’ ପଦ୍ଧତି ଦଳକୁ କଠିନ, ଗଭୀର ସ୍ଥାନକୁ ନେଭିଗେଟ୍ କରିବାକୁ ଏବଂ କୌଣସି ଜଟିଳତା ନଥାଇ ବଲବକୁ ସୁରକ୍ଷିତ ଭାବରେ ବାହାର କରିବାରେ ସହାୟକ ହୋଇଥିଲା। ଅସ୍ତ୍ରୋପଚାରର କିଛି ଘଣ୍ଟା ମଧ୍ୟରେ ଶିଶୁଟି ସୁସ୍ଥ ହେବା ପରେ ସାଧାରଣ ଭାବରେ ଖାଇବାକୁ ସକ୍ଷମ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ତାକୁ ହସପିଟାଲରୁ ଡିସଚାର୍ଜ କରାଯାଇଥିଲା। ଏହି ବିରଳ ଓ ସଫଳ ଅସ୍ତ୍ରୋପଚାର ପାଇଁ କିଟ, କିସ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସଂପୃକ୍ତ ଡାକ୍ତରୀ ଦଳ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ଶିଶୁଟିର ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରିଛନ୍ତି।



