Homeଜାତୀୟ ଖବରଭାରତରେ ପ୍ରଥମ ଡେଙ୍ଗୁ ଟୀକା ‘କ୍ୟୁଡେଙ୍ଗା’କୁ ମିଳିଲା ବଜାର ଅନୁମୋଦନ: ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂତନ...

ଭାରତରେ ପ୍ରଥମ ଡେଙ୍ଗୁ ଟୀକା ‘କ୍ୟୁଡେଙ୍ଗା’କୁ ମିଳିଲା ବଜାର ଅନୁମୋଦନ: ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ

ନୂଆଦିଲ୍ଲୀ, ୧୮ ଜୁଲାଇ ୨୦୨୬: ଭାରତରେ ଡେଙ୍ଗୁ ପ୍ରତିରୋଧ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଡ୍ରଗ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ଟାକେଡାର ଡେଙ୍ଗୁ ଟୀକା କ୍ୟୁଡେଙ୍ଗା (ଟିଏକେ-୦୦୩) ପାଇଁ ବଜାର ଅନୁମୋଦନ ପ୍ରଦାନ କରାଯାଇଛି, ଯାହାଫଳରେ ଏହା ଭାରତର ସର୍ବପ୍ରଥମ ଅନୁମୋଦିତ ଡେଙ୍ଗୁ ଟୀକାର ମାନ୍ୟତା ପାଇଛି। ଟାକେଡା ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଆଜି ଏହି ମାର୍କେଟ ଅଥୋରାଇଜେଶନ (ନ୍ୟୁ ଡ୍ରଗ୍‌ସ ଆଣ୍ଡ କ୍ଲିନିକାଲ ଟ୍ରାଏଲ୍ସ (ଏନଡିସିଟି) ରୁଲ୍‌ସ, ୨୦୧୯ ଅନ୍ତର୍ଗତ ସିଟି-୨୦) ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିଛି। ଏହି ଟୀକାକୁ ୪ରୁ ୬୦ ବର୍ଷ ବୟସର ବ୍ୟକ୍ତିଙ୍କ ମଧ୍ୟରେ ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ବ୍ୟବହାର କରାଯିବ। ଦେଶରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଡେଙ୍ଗୁ ମାମଲା ପ୍ରାୟ ୧୧ ଗୁଣ ବୃଦ୍ଧି ପାଇଥିବା ବେଳେ ଏହି ଅନୁମୋଦନ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସିଛି। ସବୁଠାରୁ ବଡ଼ ସୁବିଧା ହେଉଛି, ପୂର୍ବରୁ କେବେ ଡେଙ୍ଗୁ ସଂସର୍ଗରେ ଆସିଥିବା ବ୍ୟକ୍ତି କିମ୍ବା ନଆସିଥିବା ବ୍ୟକ୍ତି, ସମସ୍ତଙ୍କ ପାଇଁ କୌଣସି ପୂର୍ବ-ଟୀକାକରଣ ପରୀକ୍ଷଣ କିମ୍ବା ବ୍ଲଡ୍ ସ୍କ୍ରିନିଙ୍ଗ ବିନା ଏହାକୁ ସିଧାସଳଖ ଦିଆଯାଇପାରିବ। ବିଶ୍ୱବ୍ୟାପୀ ଡେଙ୍ଗୁ ସଂକ୍ରମଣର ପ୍ରାୟ ଏକ ତୃତୀୟାଂଶ ମାମଲା କେବଳ ଭାରତରେ ଦେଖାଯାଇଥାଏ। ୨୦୨୫ ମସିହାରେ ଦେଶରେ ୧୧୩,୦୦୦ରୁ ଅଧିକ ସରକାରୀ ମାମଲା ପଞ୍ଜିକୃତ ହୋଇଥିବା ବେଳେ ବାସ୍ତବରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହି ମଶା-ବାହକ ରୋଗ ଦ୍ୱାରା ଆକ୍ରାନ୍ତ ହେଉଥିବା ବିଭିନ୍ନ ମଡେଲିଙ୍ଗ ବିଶ୍ଳେଷଣରୁ ଜଣାପଡିଛି।

ଟାକେଡାର ଇଂଟରକଂଟିନେଂଟାଲ ମାର୍କେଟ୍‌ସର ମୁଖ୍ୟ ଡଃ ମହେନ୍ଦ୍ର ନାୟକଙ୍କ କହିବା ଅନୁଯାୟୀ, ଡେଙ୍ଗୁ ଏକ ବର୍ଦ୍ଧିତ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଥିବାରୁ ଏହାର ସ୍ଥାୟୀ ଓ ପ୍ରମାଣ-ଆଧାରିତ ପ୍ରତିରୋଧ ଜରୁରୀ ଥିଲା। କ୍ୟୁଡେଙ୍ଗାର ଦୀର୍ଘ ୭ ବର୍ଷର କ୍ଲିନିକାଲ ତଥ୍ୟ ସମସ୍ତ ୪ଟି ସେରୋଟାଇପ୍ସରେ ଡେଙ୍ଗୁ ସଂକ୍ରମଣ ଏବଂ ହସ୍ପିଟାଲାଇଜେଶନ ବିରୋଧରେ ନିରନ୍ତର ସୁରକ୍ଷା ପ୍ରଦାନ କରୁଥିବା ଦର୍ଶାଉଛି। ୨୦୨୨ରେ ବୈଶ୍ୱିକ ସ୍ତରରେ ଲଂଚ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଭାରତ ସମେତ ୪୩ଟି ଦେଶ ଏହାକୁ ଅନୁମୋଦନ କରିଛନ୍ତି ଏବଂ ବିଶ୍ୱବ୍ୟାପୀ ସରକାରୀ ଓ ବେସରକାରୀ ମାଧ୍ୟମରେ ଏହାର ୩୨ ମିଲିୟନରୁ ଅଧିକ ଡୋଜ ବିତରଣ କରାଯାଇଛି। କମ୍ପାନୀର ୨୪୫ ବର୍ଷର ବିରାସତ ଓ ୭୦ ବର୍ଷରୁ ଅଧିକ ସମୟର ଟୀକା ବିଶେଷଜ୍ଞତାକୁ ଆଧାର କରି ଏହି ଟୀକାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା ପାଇଁ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଓ ସହଯୋଗୀଙ୍କ ସହ ମିଶି କାର୍ଯ୍ୟ କରିବାକୁ ଟାକେଡା ପ୍ରତିବଦ୍ଧ। ଦ୍ରୁତ ସହରୀକରଣ, ବ୍ୟାପକ ସ୍ଥାନୀୟ ସଂକ୍ରମଣ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଶା ବଂଶ ବୃଦ୍ଧି ହେଉଥିବାରୁ ଭାରତୀୟମାନେ ବର୍ଷସାରା ଡେଙ୍ଗୁ ବିପଦରେ ରହୁଛନ୍ତି, ଯାହା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଚାପ ପକାଉଛି। କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନଥିବାରୁ ଏହି ରୋଗ ଦ୍ରୁତ ଗତିରେ ଗମ୍ଭୀର ରୂପ ନେଇଥାଏ, ଯେଉଁଥିପାଇଁ ଆଇସିୟୁ କିମ୍ବା ହସ୍ପିଟାଲାଇଜେଶନର ଆବଶ୍ୟକତା ପଡ଼ିଥାଏ।

ଏହି ସହଯୋଗିତା ଉପରେ ଗୁରୁତ୍ୱ ଦେଇ ସାଉଥ ଇଷ୍ଟ ଏସିଆ ଓ ଇଣ୍ଡିଆ କ୍ଲଷ୍ଟରର ଜେନେରାଲ ମ୍ୟାନେଜର ପିଟର ଷ୍ଟ୍ରେବ୍‌ଲ କହିଛନ୍ତି ଯେ, ଡେଙ୍ଗୁ ହେଉଛି ଏକ ଆଞ୍ଚଳିକ ଆହ୍ୱାନ ଯାହା ସୀମା ବାହାରକୁ ଯାଇ ମିଳିତ ପ୍ରୟାସ ଆବଶ୍ୟକ କରେ। ଟାକେଡା କେବଳ ଟୀକାର ପହଞ୍ଚ ପ୍ରଦାନ କରିବ ନାହିଁ, ବରଂ ଦକ୍ଷିଣ ଓ ଦକ୍ଷିଣପୂର୍ବ ଏସିଆର ସରକାର ଏବଂ ସ୍ୱାସ୍ଥ୍ୟ ପ୍ରଦାତାଙ୍କ ସହ ମିଶି ରୋଗର ନିରୀକ୍ଷଣ, ସଚେତନତା ଓ ଭେକ୍ଟର ନିୟନ୍ତ୍ରଣ ପ୍ରୟାସକୁ ମଧ୍ୟ ମଜବୁତ କରିବ। ସେହିପରି ମେଡିକାଲ ଆଫାୟାର୍ସ ବିଭାଗର ମୁଖ୍ୟ ଡଃ ଗୋ ଚୁ ବେଙ୍ଗ୍ କହିଛନ୍ତି ଯେ, ଭାରତର ବିଭିନ୍ନ ଅଞ୍ଚଳରେ ସମସ୍ତ ୪ଟି ଯାକ ଡେଙ୍ଗୁ ଭାଇରସ ସେରୋଟାଇପ୍ ଏକ ସଙ୍ଗେ ସକ୍ରିୟ ରହୁଥିବା ଦଲିଲ କରାଯାଇଛି। କ୍ୟୁଡେଙ୍ଗାକୁ ସେହି ସମସ୍ତ ସେରୋଟାଇପ୍ସ ବିରୋଧରେ ସୁରକ୍ଷା ଦେବା ପାଇଁ ଡିଜାଇନ କରାଯାଇଥିବାରୁ, ଏହା ଭାରତର ବ୍ୟାପକ ଜନସ୍ୱାସ୍ଥ୍ୟ ପଦକ୍ଷେପକୁ ଅଧିକ ସୁଦୃଢ଼ କରିବ।

ଭାରତରେ ଏହି ମାର୍କେଟ ଅଥୋରାଇଜେଶନ ଟାକେଡାର ଗ୍ଲୋବାଲ କ୍ଲିନିକାଲ ଡେଭ୍‌ଲପମେଂଟ ପ୍ରୋଗ୍ରାମ ଉପରେ ଆଧାରିତ, ଯେଉଁଥିରେ ୧୯ଟି ଫେଜ୍ ୧, ୨ ଓ ୩ କ୍ଲିନିକାଲ ଟ୍ରାଏଲ ମାଧ୍ୟମରେ ପ୍ରାୟ ୨୮,୦୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ। ଏଥିରେ ବିଶ୍ୱର ୮ଟି ଦେଶରେ ୨୦,୦୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ହୋଇଥିବା ପ୍ରମୁଖ ଫେଜ୍ ୩ ଟାଇଡ୍‌ସ (ଡେନ୍‌-୩୦୧) ଟ୍ରାଏଲ ସାମିଲ ରହିଛି। ଏହି ଅଧ୍ୟୟନରୁ ଜଣାପଡିଛି ଯେ ୨ୟ ଡୋଜ ପରେ ୧୨ ମାସରେ ଭାଇରୋଲୋଜିକାଲି କନ୍‌ଫର୍ମଡ ଡେଙ୍ଗୁ (ଭିସିଡି) ବିରୋଧରେ ସାମଗ୍ରିକ ଟୀକା ପ୍ରଭାବ ୮୦.୨% ଥିଲା। ୧୮ ମାସରେ ଡେଙ୍ଗୁ ଜନିତ ହସ୍ପିଟାଲାଇଜେଶନ ବିରୋଧରେ ୯୦.୪% ପ୍ରଭାବ ଦେଖିବାକୁ ମିଳିଥିଲା। ଏପରିକି ଦୀର୍ଘ ୪.୫ ବର୍ଷ ପରେ ମଧ୍ୟ କ୍ୟୁଡେଙ୍ଗାର ଦୁଇଟି ଡୋଜ ଡେଙ୍ଗୁ ଜନିତ ହସ୍ପିଟାଲାଇଜେଶନକୁ ରୋକିବାରେ ୮୪.୧% ପ୍ରଭାବଶାଳୀ ରହିଥିଲା ଏବଂ ସମସ୍ତ ୪ଟି ସେରୋଟାଇପ୍ସ ଉପରେ ୭ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ସୁରକ୍ଷା ପ୍ରଦର୍ଶିତ କରିଛି। ଏହା ବ୍ୟତୀତ ଭାରତୀୟ ଅଂଶଗ୍ରହଣକାରୀଙ୍କୁ ନେଇ କରାଯାଇଥିବା ଏକ ଫେଜ୍ ୩ କ୍ଲିନିକାଲ ଟ୍ରାଏଲ (ଡେନ୍‌-୩୦୨)ରୁ ସ୍ପଷ୍ଟ ହୋଇଛି ଯେ କ୍ୟୁଡେଙ୍ଗା ସୁସ୍ଥ ବୟସ୍କ, କିଶୋର ଓ ପିଲାମାନଙ୍କଠାରେ ସମ୍ପୂର୍ଣ୍ଣ ସୁରକ୍ଷିତ, ସହନଶୀଳ ଏବଂ ଇମ୍ୟୁନୋଜେନିକ ଅଟେ।

କ୍ୟୁଡେଙ୍ଗା ହେଉଛି ଏକ ଟେଟ୍ରାଭାଲେଂଟ, ଲାଇଭ-ଆଟେନ୍ୟୁଟେଡ ଟୀକା, ଯାହାକୁ ୦.୫ ଏମଏଲ୍ ମାତ୍ରାରେ ଦୁଇଟି ଡୋଜ୍ ଆକାରରେ ଚର୍ମ ତଳେ ପ୍ରଦାନ କରାଯାଏ। ଏହି ଦୁଇଟି ଡୋଜ୍ ମଧ୍ୟରେ ୩ ମାସର ବ୍ୟବଧାନ ରହିବା ଆବଶ୍ୟକ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚଓ) ଏହି ଟୀକାର ବ୍ୟବହାର ପାଇଁ ପରାମର୍ଶ ଦେଇଛି ଏବଂ ଏହାକୁ ଡବ୍ଲ୍ୟୁଏଚଓ ପ୍ରିକ୍ୱାଲିଫିକେଶନ ମଧ୍ୟ ପ୍ରଦାନ କରିଛି। ଏହା ଦ୍ଵାରା ୟୁନିସେଫ ଏବଂ ପିଏଏଚଓ ଭଳି ଆନ୍ତର୍ଜାତୀୟ ଏଜେନ୍ସିଗୁଡିକ ମାଧ୍ୟମରେ ଏହାର ବ୍ୟାପକ କ୍ରୟ ପାଇଁ ଯୋଗ୍ୟତା ମିଳିପାରିଛି। ବ୍ରାଜିଲର ଜାତୀୟ ଟୀକାକରଣ କାର୍ଯ୍ୟକ୍ରମ ସମେତ ଆର୍ଜେଂଟିନା, କୋଲୋମ୍ବିଆ ଓ ଇଣ୍ଡୋନେସିଆର ସରକାରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରାଯାଇଛି। ଭାରତରେ ଏହି ଅନୁମୋଦନ ମିଳିବା ପରେ, ଟାକେଡା ଏବେ ଦେଶରେ କ୍ୟୁଡେଙ୍ଗାର ଯୋଜନାବଦ୍ଧ ଯୋଗାଣ ଓ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଭାରତୀୟ ନିୟାମକ ପ୍ରାଧିକରଣ, ଜନସ୍ୱାସ୍ଥ୍ୟା ହିତାଧିକାରୀ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାତାଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବା ଜାରି ରଖିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments