ଭୁବନେଶ୍ୱର (୧୯.୦୭.୨୦୨୬): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣา କେନ୍ଦ୍ର ଦ୍ୱାରା ନିବେଦିତ ଶ୍ରୀଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି–୨୦୨୬’ର ଦ୍ୱିତୀୟ ସନ୍ଧ୍ୟା ସ୍ଥାନୀୟ କଳାକାର ଓ ଶ୍ରୋତାଙ୍କ ଅପୂର୍ବ ମିଳନରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଚଳିତ ରଥଯାତ୍ରାର ମାହାତ୍ମ୍ୟକୁ ଆଧାର କରି ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କ ଗୁଣ୍ଡିଚା ଯାତ୍ରା ଅବସରରେ ଆୟୋଜିତ ଏହି ସଙ୍ଗୀତ ସନ୍ଧ୍ୟା ବିଶ୍ୱର ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା, ବିଶ୍ୱାସ ଓ ଭକ୍ତିଭାବକୁ ସଙ୍ଗୀତ ମାଧ୍ୟମରେ ଜୀବନ୍ତ କରିବା ସହ ଉପସ୍ଥିତ ଦର୍ଶକମାନଙ୍କୁ ଭକ୍ତିମୟ ପରିବେଶ ଓ ଆଧ୍ୟାତ୍ମିକ ଆବେଗରେ ମନ୍ତ୍ରମୁଗ୍ଧ କରିଥିଲା ।

ଏହି ଦ୍ୱିତୀୟ ସଂଧ୍ୟାର ପ୍ରଥମ ଗାୟିକା ଭାବେ ଆଶାଲତା ଷଡଙ୍ଗୀ ମଞ୍ଚକୁ ଆସି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ‘ମାନ ଉଦ୍ଧାରଣ କର ହେ କାରଣ’ ଓ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ‘ମଣିମା ସୁଣିମା ହେଉ’ ଭଜନ ପରିବେଷଣ କରିଥିଲେ । ଏହାପରେ ପ୍ରଫୁଲ୍ଲ ଚରଣ ବେହେରା ଭକ୍ତ ସାରିଆ ଭୀକଙ୍କ ଅମର ସୃଷ୍ଟି ‘ଥକା ମନ ଚାଲ ଯିବା’ ଓ ଭକ୍ତ ସାଲବେଗଙ୍କ ‘ମିଛ ମାୟାକୁ ବାନ୍ଧିଛୁ ଶୂନ୍ୟ ବେଳା’ ଗାଇ ଶ୍ରୋତାଙ୍କୁ ଆଧ୍ୟାତ୍ମିକତାରେ ଆନ୍ଦୋଳିତ କରିଥିଲେ । ପରବର୍ତ୍ତୀ ପ୍ରସ୍ତୁତିରେ କଣ୍ଠଶିଳ୍ପୀ ହରପ୍ରିୟା ସ୍ଵାଇଁ ‘ଶ୍ରୀ କୃଷ୍ଣଙ୍କ ବଂଶୀ ଧ୍ଵନୀ’ ଓ ‘ଏହି କଥାରେ ମୋ ମନ’ ଗାୟନ କରିଥିବା ବେଳେ ଶିଳ୍ପୀ ବିଶ୍ଵନାଥ ମିଶ୍ର ଭକ୍ତକବି ବନମାଳୀଙ୍କ ରଚିତ ‘ମଣିମା ହେ ଏତିକି ମାଗୁଣି’ ଏବଂ ଦୀନକୃଷ୍ଣ ଦାସଙ୍କ ‘ජଗବନ୍ଧୁ ପରି ଜଣେ ସାମନ୍ତ’ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହାପରେ ମନ୍ଦାକିନୀ ଶ୍ରେୟାଙ୍କ କଣ୍ଠରେ ‘ପ୍ରଭୁ କି ସୁନ୍ଦର ଦିଶ’ ଓ ‘ଆହେ ନୀଳାଦ୍ରି ବିହାରି’ ଭଜନ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ପରବର୍ତ୍ତୀ ଗାୟକ ଶରତ ବାରିକ ପ୍ରଥମେ ବୀରକିଶୋରଙ୍କ ରଚିତ ‘ପତିତପାବନ ବାନା’ ଓ ପରେ ଗୌରଚରଣ ଅଧିକାରୀଙ୍କ ‘ରାଧେ ଗୋବିନ୍ଦ ଭଜ’ ଗାୟନ କରିଥିଲେ । କଣ୍ଠଶିଳ୍ପୀ ଲିପ୍ସା ମହାପାତ୍ର ଦୀନକୃଷ୍ଣ ଦାସଙ୍କ ରଚିତ ‘ଜୟ ଜୟ ଜଗନ୍ନାଥ ନିଳଗିରି ପତି’ ଓ ସାଲବେଗଙ୍କ ‘ଏକ ତ ଭକତ ଜୀବନ’ ପରିବେଷଣ କରି ସନ୍ଧ୍ୟାକୁ ଅଧିକ ଭକ୍ତିମୟ କରିଥିଲେ । ଏହାପରେ ଶିବ ଶଙ୍କର ଷଡଙ୍ଗୀ ଗୋପାଳକୃଷ୍ଣଙ୍କ ରଚିତ ‘ජଗବନ୍ଧୁ ଦୟାଳୁ’ ଓ ‘ଆହେ ପ୍ରଭୁ ପଙ୍କଜ ଆଖୀ’ ଗାଇଥିଲେ । ଦ୍ୱିତୀୟ ସନ୍ଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଶଶ୍ମିତା ଗୁରୁ ଭକ୍ତକବି ବନମାଳୀଙ୍କ ‘ଜଗନ୍ନାଥ ହୋ କିଛି ମାଗୁନାହିଁ’ ଏବଂ ‘ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ’ ଭଜନ ଗାନ କରି କାର୍ଯ୍ୟକ୍ରମର ସଫଳ ସାଙ୍ଗ କରିଥିଲେ । ସମସ୍ତ ଗାୟକ ଗାୟିକାଙ୍କୁ ବାଦ୍ୟଯନ୍ତ୍ରରେ ତବଲାରେ ଅଜୟ କୁମାର ଚୌଧୁରୀ, ଢୋଲକରେ ଅବନିକାନ୍ତ ଦାସ, ବଂଶୀରେ ରତିକାନ୍ତ ଗୋଛାୟତ, ଅକ୍ଟୋପ୍ୟାଡ଼ରେ ବସନ୍ତ କୁମାର ତିହାଡି, କିବୋର୍ଡ଼ରେ ରମେଶ ଚନ୍ଦ୍ର ବେହେରା ଏବଂ ହାରମୋନିୟମରେ ମୁରଲୀଧର ସ୍ଵାଇଁ ସହଯୋଗ କରିଥିଲେ ।
ଏହି ଭବ୍ୟ ସାରସ୍ୱତ ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଅତିଥି ଭାବେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତା ବିଶିଷ୍ଟ କଣ୍ଠଶିଳ୍ପୀ ଡକ୍ଟର ଶ୍ୟାମାମଣି ଦେବୀ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ସିକତା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦେବଯାନୀ ଭୂୟାଁ ଏବଂ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ଡ଼କ୍ଟର ବିଜୟ ମଲ୍ଲ ଓ ଶ୍ରୀ ମୋହନ ମାଜିଠିଆ ଅତି ଚମତ୍କାର ଭାବେ ସଂଚାଳନ କରିଥିଲେ ।



