Homeରାଜ୍ୟ ଖବରଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ସଫଳତା: ଗତ ଦୁଇ ବର୍ଷରେ ୭.୫୫ ଲକ୍ଷରୁ ଅଧିକ ବନାଞ୍ଚଳ...

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ସଫଳତା: ଗତ ଦୁଇ ବର୍ଷରେ ୭.୫୫ ଲକ୍ଷରୁ ଅଧିକ ବନାଞ୍ଚଳ ଅଧିବାସୀ ହେଲେ ଲାଭାନ୍ଵିତ

ଭୁବନେଶ୍ୱର, ୧୮ ଜୁଲାଇ ୨୦୨୬: ରାଜ୍ୟରେ ଜଙ୍ଗଲ ସୁରକ୍ଷା ସହିତ ଗ୍ରାମୀଣ ଦାରିଦ୍ର୍ୟ ଦୂରୀକରଣ ଦିଗରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ପରିଚାଳିତ ‘ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (ଦ୍ୱିତୀୟ ପର୍ଯ୍ୟାୟ)’ ମାଧ୍ୟମରେ ଗତ ଦୁଇ ବର୍ଷର ଲୋକଙ୍କ ସରକାରରେ ଗ୍ରାମୀଣ ଅର୍ଥନୀତି ବେଶ୍ ସୁଦୃଢ଼ ହୋଇଛି। ବିଭିନ୍ନ ସରକାରୀ ଯୋଜନାର ସାମଗ୍ରିକ ଭାବେ ଏକାଭିମୁଖୀକରଣ କାର୍ଯ୍ୟ ଓ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ଵୟ ଯୋଗୁଁ ୭.୫୫ ଲକ୍ଷ ବନାଞ୍ଚଳ ଅଧିବାସୀ ଜୀବିକା ନିର୍ବାହ ପାଇଁ ଲାଭାନ୍ଵିତ ହୋଇଛନ୍ତି। ସେଥିମଧ୍ୟରୁ ୨୦୨୪-୨୫ ଆର୍ଥିକ ବର୍ଷରେ ୩.୪୧ ଲକ୍ଷ ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ୪.୧୪ ଲକ୍ଷ ହିତାଧିକାରୀ ରହିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ଗତ ୨ ବର୍ଷରେ ମୋଟ ୧, ୪୭, ୨୩୫ଟି ପରିବାରର ୬, ୩୭, ୩୬୫ରୁ ଅଧିକ ହିତାଧିକାରୀ ପ୍ରତ୍ୟକ୍ଷ ଭାବେ ଉପକୃତ ହୋଇଛନ୍ତି। ଜାପାନ ଆନ୍ତର୍ଜାତିକ ସହାୟତା ସଂସ୍ଥା (ଜାଇକା)ର ଋଣ ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହଯୋଗରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତି ଦ୍ୱାରା ୧୦ଟି ଜିଲ୍ଲାର ୧୪ଟି ବନଖଣ୍ଡ ଓ ବନ୍ୟପ୍ରାଣୀ ବନଖଣ୍ଡରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ୨୦୧୭-୧୮ ରୁ ୨୦୨୬-୨୭ ଅବଧି ବିଶିଷ୍ଟ ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ଯୁଗ୍ମ ବନ ପରିଚାଳନା ମାଧ୍ୟମରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ଓ ସଂରକ୍ଷଣ କରିବା ସହ ଜଙ୍ଗଲ ଉପରେ ନିର୍ଭରଶୀଳ ଅଧିବାସୀଙ୍କ ଜୀବନ ଜୀବିକାର ମାନ ବୃଦ୍ଧି କରିବା।

ଏହି ପ୍ରକଳ୍ପ ଅଧୀନରେ ଗଠିତ ବନ ସୁରକ୍ଷା ସମିତି (ଭିଏସଏସ) ବନାଞ୍ଚଳବାସୀଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି। ଝାରସୁଗୁଡ଼ା ଜିଲ୍ଲା ଦେବଧାରା ବନ ସୁରକ୍ଷା ସମିତିର ସଦସ୍ୟା ସାଇରେନ୍ଦ୍ରୀ ସିଦାର ସ୍ୱାମୀଙ୍କ ଦେହାନ୍ତ ପରେ ଦିନ ମଜୁରିଆ ଭାବେ ଚଳୁଥିବା ବେଳେ ଏବେ ସମିତିରୁ ୧୫ ହଜାର ଟଙ୍କାର ୠଣ ସହାୟତା ନେଇ ପୋଟଳ ଚାଷ କରିଛନ୍ତି ଏବଂ ଜଣେ ସଫଳ ଚାଷୀର ପରିଚୟ ପାଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲା ଘୁମୁସର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଗୁଣ୍ଡିବିରା ବନ ସୁରକ୍ଷା ସମିତିର ସଦସ୍ୟ ଉପେନ୍ଦ୍ର ନାୟକ ଗତ ଶୀତ ୠତୁରେ ୮୦ଟି ବେଡରେ ଧିଙ୍ଗିରି ଛତୁଚାଷ କରି ୧୧୦ କିଲୋଗ୍ରାମ ଉତ୍ପାଦନ କରିବା ସହ ୧୬,୫୦୦ ଟଙ୍କା ରୋଜଗାର କରି ନିଜ ଜୀବିକାରେ ବିଶେଷ ପରିବର୍ତ୍ତନ ଆଣିପାରିଛନ୍ତି। ଅପରପକ୍ଷରେ, ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବନାଞ୍ଚଳ ଅନ୍ତର୍ଗତ ଟାଙ୍ଗରଡ଼ିହି ସମିତିର ସଦସ୍ୟ ପୂର୍ଣ୍ଣମୀ ନେଗୀ ମଧ୍ୟ ସ୍ୱାମୀଙ୍କ ଦେହାନ୍ତ ପରେ ଝିଅ ବାହାଘର ପାଇଁ କରିଥିବା ଧାର କରଜ ଶୁଝିବାକୁ ସମିତିର ଆବର୍ତ୍ତନ ପାଣ୍ଠିରୁ ୫ ହଜାର ଟଙ୍କାର ୠଣ ନେଇ ଶାଳପତ୍ରରେ ଖଲି ଓ ଦନା ପ୍ରସ୍ତୁତି ବ୍ୟବସାୟ ଆରମ୍ଭ କରିଛନ୍ତି। ସେ ସ୍ଥାନୀୟ ହାଟରେ ଏହାକୁ ବିକ୍ରି କରି ମାସକୁ ୫ ହଜାର ଟଙ୍କା ରୋଜଗାର କରିବା ସହ ଠିକ୍ ସମୟରେ ୠଣ ପରିଶୋଧ କରି ବେଶ୍ ଭଲରେ ଚଳୁଛନ୍ତି।

ଜୀବିକାର ସୁଦୃଢ଼ୀକରଣ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ପୂର୍ବରୁ ୬ଟି ସକ୍ରିୟ ବହୁମୁଖୀ ଉତ୍ପାଦ କେନ୍ଦ୍ର ବା ‘ମଲ୍ଟି ପ୍ରଡକ୍ଟ କ୍ଲଷ୍ଟର’ ଗଠନ କରାଯାଇଛି। ଏହି କ୍ରମରେ କରଞ୍ଜିଆ, ରାଇରଙ୍ଗପୁର ଓ ବାରିପଦା ବନଖଣ୍ଡରେ ଶାଳ ପତ୍ର, ଢେଙ୍କାନାଳରେ କାଜୁ ପ୍ରକ୍ରିୟାକରଣ କେନ୍ଦ୍ର, ଝାରସୁଗୁଡ଼ାରେ ସୁଗନ୍ଧିତ ଲେମନଗ୍ରାସ୍‌ ଏବଂ ବୌଦ୍ଧରେ ଡାଲି ଜାତୀୟ ଶସ୍ୟ କ୍ଲଷ୍ଟର ସଫଳତାର ସହ କାର୍ଯ୍ୟ କରୁଛି। ଏହି ସବୁ କେନ୍ଦ୍ର ମାଧ୍ୟମରେ ୨,୫୨୬ ଜଣ ଭିଏସଏସ ସଦସ୍ୟଙ୍କୁ ସିଧାସଳଖ ରୋଜଗାର ମିଳିପାରିଛି। ଆଗାମୀ ଦିନରେ ଏହାକୁ ଅଧିକ ଲୋକଭିମୁଖୀ କରିବା ପାଇଁ ଆଉ ୩ଟି ନବ ନିର୍ମିତ ‘ମଲ୍ଟି ପ୍ରଡକ୍ଟ କ୍ଲଷ୍ଟର’ ଉଦଘାଟନ କରାଯିବାର ଯୋଜନା ରହିଛି। ଏହା ସହିତ ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତି ଏବଂ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର ଅଧୀନରେ କେନ୍ଦୁଝର, କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ, ବଣାଇ, ଦେବଗଡ଼ ଏବଂ ରାଉରକେଲାରେ ଆଉ ୫ଟି ନୂତନ କ୍ଲଷ୍ଟର ସ୍ଥାପନ ପାଇଁ ପ୍ରସ୍ତୁତି ଚାଲିଛି।

ପ୍ରକଳ୍ପର ଅର୍ଥନୈତିକ ସହାୟତାକୁ ଦେଖିଲେ, ବନ ସୁରକ୍ଷା ସମିତିର ଆବର୍ତ୍ତନ ପାଣ୍ଠିରୁ ହିତାଧିକାରୀମାନଙ୍କୁ ବ୍ୟାପକ ୠଣ ସହାୟତା ପ୍ରଦାନ କରାଯାଉଛି। ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଏ ବାବଦରେ ୩୧.୩୯ କୋଟି ଟଙ୍କା ପ୍ରଦାନ କରାଯିବା ସହ ୨୨.୮୩ କୋଟି ଟଙ୍କା ପରିଶୋଧ ହୋଇସାରିଛି। ଏହାଦ୍ୱାରା ରାଜ୍ୟର ପ୍ରାୟ ୪୭ ହଜାର ୭୪୬ ଜଣ ହିତାଧିକାରୀଙ୍କ ଜୀବିକା ସଶକ୍ତ ହୋଇପାରିଛି, ଯେଉଁଥିରେ ୯ ହଜାର ୫୯୯ ଜଣ ପୁରୁଷ ଥିବା ବେଳେ ୩୮ ହଜାର ୧୪୭ ଜଣ ମହିଳା ହିତାଧିକାରୀ ରହିଛନ୍ତି। ବର୍ତ୍ତମାନ ବନାଞ୍ଚଳରେ ଲଘୁ ବନଜାତ ଦ୍ରବ୍ୟ ପ୍ରସ୍ତୁତି, ମିଲେଟ୍ସ ଜାତୀୟ ଉତ୍ପାଦ, କୁକୁଡ଼ା ଓ ଛେଳି ପାଳନ, ମାଛ ଚାଷ, ଛତୁ ଚାଷ ଏବଂ ପନିପରିବା ଚାଷ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ଜୀବନଶୈଳୀ ସୁଦୃଢ଼ ହେଉଛି। ଏଥିପାଇଁ ହିତାଧିକାରୀଙ୍କୁ ଆବଶ୍ୟକ ତାଲିମ ଓ ବୈଷୟିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (ଦ୍ୱିତୀୟ ପର୍ଯ୍ୟାୟ) ଅଧୀନରେ ବନ ସୁରକ୍ଷା ସମିତି ଗଠନ କରାଯାଇ ଜଙ୍ଗଲ ପରିଚାଳନାକୁ ବ୍ୟବସ୍ଥିତ କରିବା ସହ ସ୍ଥାନୀୟ ଅଞ୍ଚଳରେ ସ୍ଥାୟୀ ଜୀବିକାର ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଫଳରେ ଗ୍ରାମୀଣ ଲୋକଙ୍କ ମୁହଁରେ ହସ ଫୁଟି ପାରିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments