ଭୁବନେଶ୍ୱର, ଅଗଷ୍ଟ ୨୦: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜ୍ନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍)ର ହସ୍ପିଟାଲ୍ ଆଡ୍ମିନିଷ୍ଟ୍ରେସନ୍ ବିଭାଗ ପକ୍ଷରୁ ‘ବ୍ରେକିଂ ଦ ଚେନ୍: ମଡର୍ଣ୍ଣ ଇନ୍ଫେକ୍ସନ୍ କଣ୍ଟ୍ରୋଲ୍ ଷ୍ଟ୍ରାଟେଜିଜ୍ ଫର୍ ସେଫର୍ ହସ୍ପିଟାଲ୍ସ’ ଶୀର୍ଷକ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଡାକ୍ତରଖାନାରେ ସଂକ୍ରମଣର ବୃଦ୍ଧିକୁ ରୋକିବା ସହ ରୋଗୀ ଓ ଚିକିତ୍ସା ସେବାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ପ୍ରସ୍ତୁତ କରିବା ଏହି କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ରହିଥିଲା। ସଂକ୍ରମଣ ରୋକିବା ଦାୟିତ୍ୱ କେବଳ କାହାରି ଏକକ କାର୍ଯ୍ୟ ନୁହେଁ, ବରଂ ହସ୍ପିଟାଲ୍ ପ୍ରଶାସକ, ଡାକ୍ତର, ନର୍ସିଂ ଷ୍ଟାଫ୍, ପାରାମେଡିକାଲ୍ କର୍ମଚାରୀ ଏବଂ ରୋଗୀ ସେବାରେ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କ ମିଳିତ ସହଯୋଗ ଦ୍ୱାରା ହିଁ ସୋଆ ପରିସରକୁ ସଂକ୍ରମଣମୁକ୍ତ ରଖାଯାଇପାରିବ ବୋଲି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ସମ୍ମିଳନୀର ବୈଷୟିକ ଅଧିବେଶନରେ ବିଶିଷ୍ଟ ସଂକ୍ରମଣ ନିୟନ୍ତ୍ରଣ ବିଶେଷଜ୍ଞ ତଥା ସମ୍ ଅଲ୍ଟିମେଟ୍ ମେଡିକେୟାରର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡାକ୍ତର ପୂର୍ବୀ ବରାଳ ଏବଂ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରଜ୍ଞା ପି. ଜେନା ଯୋଗଦେଇ ସଂକ୍ରମଣର ଶୃଙ୍ଖଳାକୁ ଭାଙ୍ଗିବାର ବିଭିନ୍ନ ଆଧୁନିକ ପଦ୍ଧତି, ରୋଗ ପ୍ରତିରୋଧକ ରଣନୀତି ଏବଂ ଆଧୁନିକ ଜୈବ-ସୁରକ୍ଷା ନିୟମାବଳୀ ସମ୍ପର୍କରେ ନିଜ ନିଜର ଅଭିଜ୍ଞତା ବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଆଇବିସିଏସ୍ର ଡିନ୍ ପ୍ରଫେସର (ଡାକ୍ତର) ଆୟସ କାନ୍ତ ମହାନ୍ତି ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଏମ୍ଏଚ୍ଏ ପ୍ରୋଗ୍ରାମ୍ ତଥା କର୍ମଶାଳା ସଂଯୋଜିକା ଡାକ୍ତର ପ୍ରୀତି ୱାଇ. ଷଡ଼ଙ୍ଗୀ କର୍ମଶାଳାର ଉଦ୍ଦେଶ୍ୟ ଓ ପ୍ରସଙ୍ଗ ବିଷୟରେ ବ୍ୟାଖ୍ୟା କରିଥିଲେ। ଏଥିସହିତ ଆଇବିସିଏସ୍ର ଆସୋସିଏଟ୍ ଡିନ୍ ପ୍ରଫେସର (ଡାକ୍ତର) ମନୋରଞ୍ଜନ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମାଇକ୍ରୋବାୟୋଲୋଜି, ସଂକ୍ରମଣ ନିୟନ୍ତ୍ରଣ ଓ ହସ୍ପିଟାଲ୍ ପରିଚାଳନା କ୍ଷେତ୍ର ମଧ୍ୟରେ ସୁଦୃଢ଼ ସମନ୍ୱୟ ପ୍ରତିଷ୍ଠା କରିବା ଉପରେ ବିଶେଷ ଆଲୋକପାତ କରିଥିଲେ।
ଉକ୍ତ କର୍ମଶାଳାରେ ସ୍ୱଚ୍ଛତା ରକ୍ଷା, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ)ର ସଠିକ୍ ବ୍ୟବହାର, ପୃଥକୀକରଣ ବ୍ୟବସ୍ଥା, ହସ୍ପିଟାଲ୍ ପରିବେଶୀୟ ବିଶୋଧନ, ଜୈବ-ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିରୀକ୍ଷଣ ଏବଂ ଆଣ୍ଟିମାଇକ୍ରୋବାୟାଲ୍ ପ୍ରତିରୋଧ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ସମନ୍ୱିତ ପ୍ରୟାସ ନିତାନ୍ତ ଆବଶ୍ୟକ ବୋଲି ସମ୍ମିଳନୀରେ ମତପ୍ରକାଶ ପାଇଥିଲା।



