Thursday, April 2, 2026
spot_img
Homeସାମାଜ ଓ ବିଚାରସତ୍ୟଭାମାପୁରରୁ "ଲୋକ ଅଧିକାର ଯାତ୍ରା"ର ଶୁଭାରମ୍ଭ: ପ୍ରାକୃତିକ ସମ୍ପଦ ଓ ସାମାଜିକ ନ୍ୟାୟ ପାଇଁ ଗର୍ଜିବ...

ସତ୍ୟଭାମାପୁରରୁ “ଲୋକ ଅଧିକାର ଯାତ୍ରା”ର ଶୁଭାରମ୍ଭ: ପ୍ରାକୃତିକ ସମ୍ପଦ ଓ ସାମାଜିକ ନ୍ୟାୟ ପାଇଁ ଗର୍ଜିବ ଓଡ଼ିଶା

ସତ୍ୟଭାମାପୁର, ୨୫ ଫେବ୍ରୁଆରୀ: ଓଡ଼ିଶାର ଜଳ, ଜଙ୍ଗଲ, ଜମିର ସୁରକ୍ଷା ଏବଂ ସାଧାରଣ ଜନତାଙ୍କ ଜୀବନ-ଜୀବିକାର ଅଧିକାରକୁ ନେଇ ଆଜିଠାରୁ ଏକ ବ୍ୟାପକ ଆନ୍ଦୋଳନର ସୂତ୍ରପାତ ହୋଇଛି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜନ୍ମପୀଠ ସତ୍ୟଭାମାପୁରରୁ “ଲୋକ ଅଧିକାର ଯାତ୍ରା”ର ଶୁଭାରମ୍ଭ କରାଯାଇଛି। ଲୋକଶକ୍ତି ଅଭିଯାନ, ଜନ ଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟ ଏବଂ ସେଣ୍ଟର ଫର୍ କ୍ଲାଇମେଟ୍ ଜଷ୍ଟିସର ମିଳିତ ଆନୁକୂଲ୍ୟରେ ଏହି ଯାତ୍ରା ଆୟୋଜିତ ହେଉଛି।

ସଂଗ୍ରାମୀ ନେତୃତ୍ୱ ଓ ଲକ୍ଷ୍ୟ ଗ୍ରୀନ ନୋବେଲ ସମ୍ମାନପ୍ରାପ୍ତ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଯାତ୍ରାର ମୂଳ ଲକ୍ଷ୍ୟ ହେଉଛି ପ୍ରାକୃତିକ ସମ୍ପଦର ଅବାଧ ଲୁଟ୍ ବନ୍ଦ କରିବା ଏବଂ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା। ଏହି ଅଭିଯାନରେ ବିଶିଷ୍ଟ କୃଷକ ନେତା ଶ୍ରୀ ଲିଙ୍ଗରାଜ, ଆଦିବାସୀ ନେତା ଲିଙ୍ଗରାଜ ଆଜାଦ, ଗାନ୍ଧୀବାଦୀ ଚିନ୍ତାଧାରାର ଡଃ ବିଶ୍ୱଜିତ୍, ଜନ ଆନ୍ଦୋଳନ ନେତା ନରେନ୍ଦ୍ର ମହାନ୍ତି, ସାମାଜିକ କର୍ମୀ କଲ୍ୟାଣ ଆନନ୍ଦ ଏବଂ ନିୟମଗିରି ସୁରକ୍ଷା ଆନ୍ଦୋଳନର ଅଗ୍ରଣୀ କର୍ମୀ ରାଜକିଶୋର ଭାଇ ପ୍ରମୁଖ ସାମିଲ ହୋଇଛନ୍ତି।

ଗାନ୍ଧୀ ମାର୍ଗରେ ହେବ ମହାସମାବେଶ ଏହି ରାଜ୍ୟବ୍ୟାପୀ ଯାତ୍ରା ବିଭିନ୍ନ ଜିଲ୍ଲା ପରିକ୍ରମା କରି ଲୋକଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରତି ସଚେତନ କରିବ। ଆସନ୍ତା ୨୯ ମାର୍ଚ୍ଚ ଅର୍ଥାତ୍ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ଶହୀଦ ଦିବସ ଅବସରରେ ଏହି ଯାତ୍ରା ଭୁବନେଶ୍ୱରରେ ପହଞ୍ଚିବ। ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଏକ ବିଶାଳ “ପ୍ରାକୃତିକ ସୁରକ୍ଷା ସମାବେଶ” ମାଧ୍ୟମରେ ଏହି ଅଭିଯାନର ସମାପ୍ତି ଘଟିବ।

ସାଧାରଣ ଜନତାଙ୍କୁ ଆହ୍ୱାନ ଆୟୋଜକ ମାନଙ୍କ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାର ପ୍ରାକୃତିକ ସମ୍ପଦ ଉପରେ କେବଳ ସାଧାରଣ ଲୋକଙ୍କର ହକ୍ ରହିଛି। ଶିଳ୍ପାୟନ ନାମରେ ହେଉଥିବା ପରିବେଶର ବିନାଶ ଓ ଜୀବିକା ହାନିକୁ ରୋକିବା ପାଇଁ ସମସ୍ତ ବର୍ଗର ଲୋକଙ୍କୁ ଏହି ଯାତ୍ରାରେ ସାମିଲ ହେବାକୁ ନିବେଦନ କରାଯାଇଛି। ବିଭିନ୍ନ ଜନ ସଙ୍ଗଠନ, କୃଷକ, ଆଦିବାସୀ ଏବଂ ସାମାଜିକ କର୍ମୀମାନେ ଏହି ଯାତ୍ରାରେ ଯୋଗଦେଇ ଲୋକଙ୍କ ଅଧିକାରର ସ୍ୱରକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ନେଇଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments