Monday, February 16, 2026
spot_img
Homeସ୍ୱାସ୍ଥ୍ୟ ଓ ଜୀବନଚର୍ଯ୍ୟାମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୫୦ଟି ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୫୦ଟି ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ

ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଦ୍ୱିତୀୟ ପର୍ଯ୍ୟାୟରେ ୨୫୦ଟି ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ଠିକ୍ ସମୟରେ ପହଞ୍ଚାଇବା ଏବଂ ଆମ୍ବୁଲାନ୍ସ ସେବାର ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ନୂତନ ଯାନଗୁଡ଼ିକର ଲୋକାର୍ପଣ କରାଯାଇଛି। ସରକାରୀ ସୂଚନା ଅନୁଯାୟୀ, ରାଜ୍ୟରେ ସମୁଦାୟ ୪୨୮ଟି ନୂଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରାଯାଇଥିବା ବେଳେ ଏହାର ପ୍ରଥମ ପର୍ଯ୍ୟାୟରେ ଗତ ଡିସେମ୍ବର ମାସରେ ୧୫୦ଟି ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା।

ଏହି ସମସ୍ତ ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରାୟ ୧୧୧ କୋଟି ଟଙ୍କା ବିନିଯୋଗ କରିଛନ୍ତି। ବର୍ତ୍ତମାନ ସାରା ରାଜ୍ୟରେ ୮୬୬ଟି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଚାଲୁ ରହିଛି। ଏହା ସହିତ ଗର୍ଭବତୀ ମହିଳା ଏବଂ ଅସୁସ୍ଥ ଶିଶୁମାନଙ୍କ ପାଇଁ ‘ଜନନୀ ଏକ୍ସପ୍ରେସ୍’ ନାମରେ ଆଉ ୫୦୦ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ମଧ୍ୟ କାର୍ଯ୍ୟ କରୁଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇ ମୃତ୍ୟୁହାର କମାଇବା ହେଉଛି ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ, ଯେଉଁଥିପାଇଁ ଆମ୍ବୁଲାନ୍ସ ସେବାକୁ ଅଧିକ ସୁଦୃଢ଼ କରାଯାଉଛି।

ଆଗାମୀ ଦିନରେ ରାଜ୍ୟର ସବୁ ବ୍ଲକରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲାସ୍ତରରୁ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ନିରନ୍ତର ଆମ୍ବୁଲାନ୍ସ ସେବା ଜାରି ରଖିବାକୁ ସରକାର ଯୋଜନା କରିଛନ୍ତି। ଏହାବ୍ୟତୀତ ବିମାନ ଯୋଜନା ମାଧ୍ୟମରେ ରାଉରକେଲା ଓ ଜୟପୁର ପରି ଏୟାରଷ୍ଟ୍ରିପ୍‌ରେ ମଧ୍ୟ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ବିମାନବନ୍ଦର ପାଇଁ ୫ଟି ଏବଂ ଝାରସୁଗୁଡ଼ା ସ୍ଥିତ କ୍ୟାନସର ହସ୍ପିଟାଲ ପାଇଁ ୨ଟି ଆଡଭାନ୍ସଡ ଲାଇଫ୍ ସପୋର୍ଟ (ALS) ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଏକାମ୍ର ବିଧାୟକ ବାବୁ ସିଂ ଏବଂ ସ୍ୱାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସାରା ରାଜ୍ୟରେ ଆମ୍ବୁଲାନ୍ସ ଜରିଆରେ ପ୍ରତିଦିନ ହାରାହାରି ୫ ହଜାରରୁ ଅଧିକ ରୋଗୀଙ୍କୁ ସରକାରୀ ହସ୍ପିଟାଲକୁ ନିଆଯାଉଛି, ଯାହା ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ସହାୟତା ସାବ୍ୟସ୍ତ ହେଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments