Monday, February 16, 2026
spot_img
Homeଆଂଚଳିକ ଖବରବିପଦରେ ୮ଟି ଜିଲ୍ଲାର ଜନଜୀବନ: ଭେଡେନ ନଦୀର ସ୍ଥିତି ପରଖିଲେ ପ୍ରଫୁଲ୍ଲ ସାମନ୍ତରା

ବିପଦରେ ୮ଟି ଜିଲ୍ଲାର ଜନଜୀବନ: ଭେଡେନ ନଦୀର ସ୍ଥିତି ପରଖିଲେ ପ୍ରଫୁଲ୍ଲ ସାମନ୍ତରା

ଝାରସୁଗୁଡ଼ା ଜିଲ୍ଲା ଦେଇ ପ୍ରବାହିତ ଭେଡେନ ନଦୀ କୂଳରେ ଜମା ହୋଇଥିବା ବିରାଟ ପାଉଁଶ ପାହାଡ଼ ଏବେ ସ୍ଥାନୀୟ ଅଞ୍ଚଳ ତଥା ସମଗ୍ର ପରିବେଶ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି। ଏହି ପାଉଁଶ ଗଦା ଯୋଗୁଁ କେବଳ ଭେଡେନ ନଦୀ ନୁହେଁ, ବରଂ ମହାନଦୀର ଜଳ ମଧ୍ୟ ବିଷାକ୍ତ ହେବାର ଆଶଙ୍କା ଦେଖାଦେଇଛି, ଯାହା ରାଜ୍ୟର ୮ଟି ଜିଲ୍ଲାର ଲକ୍ଷାଧିକ ଲୋକଙ୍କ ଜୀବନକୁ ସଙ୍କଟରେ ପକାଇଛି। ଏହା କେବଳ ମଣିଷ ନୁହେଁ, ବରଂ ପ୍ରାଣୀ ଓ ପକ୍ଷୀଙ୍କ ପାଇଁ ମଧ୍ୟ କାଳ ସାଜିବ ବୋଲି ପରିବେଶବିତମାନେ ଚେତାବନୀ ଦେଇଛନ୍ତି।

ଝାରସୁଗୁଡ଼ା ସଦର ମହକୁମାଠାରୁ ମାତ୍ର ୮ କିଲୋମିଟର ଦୂରରେ ଥିବା ଇବ୍‌ପାଲି ଅଞ୍ଚଳରେ ପ୍ରାୟ ୪୦୦ ଏକର ଜମିରେ ଏହି ପାଉଁଶ ପାହାଡ଼ ତିଆରି ହୋଇଛି, ଯାହାର ଉଚ୍ଚତା ପ୍ରାୟ ୧୫୦ ଫୁଟ୍‌ରୁ ଅଧିକ। ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ନାକ ତଳେ ଏହି ବେଆଇନ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ଲୁଚାଇବା ପାଇଁ ପାଉଁଶ ଗଦା ଉପରେ ମାଟିର ଆସ୍ତରଣ ପକାଯାଉଥିବା ଅଭିଯୋଗ ହୋଇଛି। ଭେଡେନ ନଦୀକୁ ସଂକୁଚିତ କରି ଏହାକୁ ଏକ ନାଳରେ ରୂପାନ୍ତରିତ କରିବାକୁ ଯୋଜନା ଚାଲିଥିବା ଭଳି ଏକ ସାଂଘାତିକ ସତ୍ୟ ସାମ୍ନାକୁ ଆସିଛି।

ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ସ୍ଥିତି ପରିଦର୍ଶନ କରିବା ପରେ ପ୍ରକାଶ କରିଛନ୍ତି ଯେ, ଏହି ବିଷାକ୍ତ ପାଉଁଶ ଜଳରେ ମିଶିବା ଫଳରେ ଲୋକମାନେ କର୍କଟ, ହୃଦରୋଗ ଏବଂ ଚର୍ମ ରୋଗ ଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି। ପ୍ରଶାସନିକ ଅବହେଳା ଓ ପ୍ରଦୂଷଣକାରୀ ସଂସ୍ଥା ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଯୋଗୁଁ ନିରୀହ ଲୋକଙ୍କୁ ମୃତ୍ୟୁ ଉପହାର ମିଳୁଛି ବୋଲି ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହି ଜଟିଳ ସମସ୍ୟାର ସମାଧାନ ପାଇଁ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘର ସଭାପତି ସତ୍ୟନାରାୟଣ ରାଉତ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ କମିଶନରଙ୍କୁ ପତ୍ର ଲେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ମହାନଦୀ ଓ ଭେଡେନ ନଦୀର ଅସ୍ତିତ୍ୱ ରକ୍ଷା କରିବା ସହ ଲୋକଙ୍କୁ ଏହି ସ୍ୱାସ୍ଥ୍ୟ ବିପଦରୁ ରକ୍ଷା କରିବା ପାଇଁ ପାଉଁଶ ପରିଚାଳନାରେ ସ୍ୱଚ୍ଛତା ଆଣିବାକୁ ସେ ଦାବି କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments