Monday, February 16, 2026
spot_img
Homeଆଂଚଳିକ ଖବରଆଶାଏଁ ଟ୍ରଷ୍ଟ ପକ୍ଷରୁ 'ଦ୍ଵାଦଶ ଶିଶୁ ମହୋତ୍ସବ' ଅତ୍ୟନ୍ତ ଉତ୍ସାହ ଓ ଉଲ୍ଲାସରେ ପାଳିତ

ଆଶାଏଁ ଟ୍ରଷ୍ଟ ପକ୍ଷରୁ ‘ଦ୍ଵାଦଶ ଶିଶୁ ମହୋତ୍ସବ’ ଅତ୍ୟନ୍ତ ଉତ୍ସାହ ଓ ଉଲ୍ଲାସରେ ପାଳିତ

ଭୁବନେଶ୍ୱରସ୍ଥିତ କାସ୍ତୁରବା ନାରୀ ମହଲଠାରେ ଆଶାଏଁ ଟ୍ରଷ୍ଟ ପକ୍ଷରୁ ଦ୍ବାଦଶ ଶିଶୁ ମହୋତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଏହି ମହୋତ୍ସବ ବିଶେଷ କରି ପଥପ୍ରାନ୍ତ ପିଲାମାନଙ୍କ ପାଇଁ ଏକ ଆନନ୍ଦମୟ ପରିବେଶ ସୃଷ୍ଟି କରିବା ସହ ସେମାନଙ୍କ ସୃଜନଶୀଳତା, ଆତ୍ମବିଶ୍ବାସ ଏବଂ ସ୍ୱପ୍ନକୁ ସାକାର କରିବା ପାଇଁ ଏକ ସଶକ୍ତ ମଞ୍ଚ ପ୍ରଦାନ କରିଥିଲା । ଆଶାଏଁର ବିଭିନ୍ନ କମ୍ୟୁନିଟି ସେଣ୍ଟର, ସରକାରୀ ବିଦ୍ୟାଳୟ ଓ ଅନ୍ୟାନ୍ୟ ସହଯୋଗୀ ସଂସ୍ଥାର ଶିଶୁମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ କରି ଦିନଟିକୁ ଶିକ୍ଷା ଓ ଅଭିବ୍ୟକ୍ତିର ଏକ ଉତ୍ସବରେ ପରିଣତ କରିଥିଲେ ।

ଉତ୍ସବର ସକାଳ ସତ୍ରରେ ଆୟୋଜିତ ଶିଶୁ କର୍ମଶାଳାକୁ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଓଲିଉଡ଼ ଅଭିନେତା ହରିହର ମହାପାତ୍ର, ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଖ୍ୟାତ ଶିଳ୍ପୀମାନଙ୍କ ଦ୍ୱାରା ମିନିଏଚର ଆର୍ଟ, ପୁତୁଳି ତିଆରି, ଟେରାକୋଟା ଓ ବାଉଁଶ ଶିଳ୍ପ ଉପରେ କର୍ମଶାଳା ପରିଚାଳିତ ହୋଇଥିଲା । ଏହି କର୍ମଶାଳାରେ ପିଲାମାନେ ନିଜ ହାତରେ ତିଆରି କରିଥିବା ବିଭିନ୍ନ ସୁନ୍ଦର ସାମଗ୍ରୀଗୁଡ଼ିକୁ ଏକ ପ୍ରଦର୍ଶନୀ ମାଧ୍ୟମରେ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ

ଏହି ମହୋତ୍ସବର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ଥିଲା ‘ହ୍ୟାକାଥନ’, ଯେଉଁଠାରେ ଶିଶୁମାନେ ସେମାନଙ୍କର ବୈଷୟିକ ଜ୍ଞାନକୌଶଳର ପରିଚୟ ଦେଇଥିଲେ । ପିଲାମାନେ ସ୍ମାର୍ଟ ପାର୍କିଂ ପ୍ରଣାଳୀ, ଡ୍ରେନ୍ ଓଭରଫ୍ଲୋ ଆଲର୍ଟ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଭଳି ସାମାଜିକ ସମସ୍ୟାର ସ୍ମାର୍ଟ ସମାଧାନ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଓଡ଼ିଶା ସରକାରଙ୍କ ଶିଳ୍ପ ଓ କୌଶଳ ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏହି ପ୍ରଦର୍ଶନୀର ଉଦ୍‌ଘାଟନ କରି ପିଲାମାନଙ୍କ ପ୍ରତିଭାକୁ ପ୍ରଶଂସା କରିବା ସହ ଆଶାଏଁର ୧୨ ବର୍ଷର ନିରନ୍ତର ସେବା ପାଇଁ ସଂସ୍ଥାକୁ ଅଭିନନ୍ଦନ ଜଣାଇଥିଲେ ।

ଅପରାହ୍ନ ଓ ସନ୍ଧ୍ୟା ସତ୍ରରେ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଧାୟକ ସୁଶାନ୍ତ ରାଉତଙ୍କ ଉପସ୍ଥିତିରେ କ୍ରୀଡ଼ା ପରିଚୟ ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସନ୍ଧ୍ୟାର ବାର୍ଷିକ ଉତ୍ସବରେ ପୂର୍ବତନ ସାଂସଦ ଅମର ପଟ୍ଟନାୟକ, ଟାଟା ଷ୍ଟିଲ ସିଏସ୍ଆର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ ଓ ଅନ୍ୟାନ୍ୟ ଅତିଥି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ତିନୋଟି ସରକାରୀ ବିଦ୍ୟାଳୟକୁ ସମ୍ମାନିତ କରାଯିବା ସହ ପି. ଲକ୍ଷ୍ମୀ ରେଡ଼ିଙ୍କୁ ତାଙ୍କର ସଂଘର୍ଷମୟ ଶିକ୍ଷା ଯାତ୍ରା ପାଇଁ ‘ଦମୟନ୍ତୀ ସ୍ମୃତି ପୁରସ୍କାର’ ପ୍ରଦାନ କରାଯାଇଥିଲା । ଆଶାଏଁ ଅଧ୍ୟକ୍ଷ ରତ୍ନାକର ସାହୁ ସଂସ୍ଥାର ସଫଳତା ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମଟି M3M Foundation ଏବଂ ଅନ୍ୟ ସହଯୋଗୀ ସଂସ୍ଥାଙ୍କ ସହାୟତାରେ ସଫଳତାପୂର୍ବକ ସମ୍ପନ୍ନ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments