ଇବ ଥର୍ମାଲ, ନଭେମ୍ବର ୧୪, ୨୦୨୬: ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ୍ (ଓପିଜିସି)ର ୪୩ତମ ପ୍ରତିଷ୍ଠା ଦିବସ ଶନିବାର ଦିନ ଇବ ଥର୍ମାଲ ପାୱାର ଷ୍ଟେସନ (ଆଇଟିପିଏସ)ଠାରେ ବିପୁଳ ଆନନ୍ଦ ଓ ଉତ୍ସାହ ମଧ୍ୟରେ ପାଳିତ ହୋଇଯାଇଛି। ଏହି ବିଶେଷ ଅବସରରେ ନିଗମର ୧ମ ଓ ୨ୟ ୟୁନିଟ୍ ପାଇଁ ନିର୍ମିତ ଦୁଇଟି ପ୍ରମୁଖ ପରିବେଶ ଅନୁକୂଳ ପ୍ରକଳ୍ପ-‘ଫ୍ଲୁ ଗ୍ୟାସ୍ ଡିସଲଫରାଇଜେସନ ସିଷ୍ଟମ (ଏଫଜିଡି)’ ଏବଂ ‘ଫ୍ଲାଏ ଆସ୍ ଅଗମେଣ୍ଟେସନ ବ୍ୟବସ୍ଥା’ର ଲୋକାର୍ପଣ କରାଯାଇଥିଲା। ସ୍ୱଚ୍ଛ ଓ ଦାୟିତ୍ୱପୂର୍ଣ୍ଣ ବିଦ୍ୟୁତ ଉତ୍ପାଦନ ପ୍ରତି ଓପିଜିସିର ନିରନ୍ତର ପ୍ରତିବଦ୍ଧତାକୁ ଏହି ପ୍ରକଳ୍ପଗୁଡ଼ିକ ଆହୁରି ବଳ ଯୋଗାଇଛି।
ମୁଖ୍ୟ ଅତିଥି ଭାବେ ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓପିଜିସିର ଅଧ୍ୟକ୍ଷ ବିଶାଳ କୁମାର ଦେବ (ଭା.ପ୍ର.ସେ.) ଯୋଗଦେଇ ଏହି ଦୁଇଟି ପ୍ରକଳ୍ପର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓପିଜିସିର ପରିଚାଳନା ନିର୍ଦ୍ଦେଶକ କେଦାର ରଞ୍ଜନ ପାଣ୍ଡୁ, ନିର୍ଦ୍ଦେଶକ (ଅପରେସନ୍ସ) ଅଞ୍ଜନୀ ରଞ୍ଜନ ଦାଶ, ନିର୍ଦ୍ଦେଶକ (ଅର୍ଥ) ଗଗନ ବିହାରୀ ସ୍ୱାଇଁ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରାତଃକାଳରେ ଶିବ ମନ୍ଦିରରେ ପୂଜା ଓ ହୋମ ସହ ଦିନର ଶୁଭାରମ୍ଭ ହୋଇଥିଲା। ଏହାପରେ ପରିଚାଳନା ନିର୍ଦ୍ଦେଶକ କେଦାର ରଞ୍ଜନ ପାଣ୍ଡୁ ପତାକା ଦେଖାଇ ଏକ ମିନି ମାରାଥନ୍ର ଶୁଭାରମ୍ଭ କରିଥିଲେ, ଯେଉଁଥିରେ ନିର୍ଦ୍ଦେଶକ (ଅପରେସନ୍ସ), ନିର୍ଦ୍ଦେଶକ (ଅର୍ଥ), ବରିଷ୍ଠ ଉପସଭାପତି (ଅପରେସନ୍ସ) ସୁକାନ୍ତ ମହାପାତ୍ର, ବରିଷ୍ଠ ମହାପ୍ରବନ୍ଧକ (ମାନବ ସମ୍ବଳ) ସୁଭାଶିଷ ମୁଖାର୍ଜୀ ଓ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ। କର୍ମଚାରୀ, ମହିଳା ଓ ଶିଶୁ- ଏହି ତିନୋଟି ବର୍ଗରେ ଆୟୋଜିତ ମାରାଥନ୍ରେ ୫୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟ ଅତିଥି ବିଶାଳ କୁମାର ଦେବଙ୍କ ନେତୃତ୍ୱରେ ହେଲିପ୍ୟାଡ୍ ପରିସରରେ ବୃକ୍ଷରୋପଣ କରାଯିବା ସହ ଇବ ଥର୍ମାଲ ହସ୍ପିଟାଲଠାରେ ରେଡ୍କ୍ରସ୍ ସହଯୋଗରେ ଆୟୋଜିତ ରକ୍ତଦାନ ଶିବିର ଉଦଘାଟିତ ହୋଇଥିଲା। କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସ୍ୱେଚ୍ଛାକୃତ ରକ୍ତଦାନ ଫଳରେ ମୋଟ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।
ଓପିଜିସି ଅଡିଟୋରିୟମ୍ଠାରେ ଅନୁଷ୍ଠିତ ମୁଖ୍ୟ ସମାରୋହରେ ମୁଖ୍ୟ ଅତିଥି ବିଶାଳ କୁମାର ଦେବ, ସମ୍ମାନିତ ଅତିଥି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି-ଏନଡି) ସଂଗ୍ରାମ କେଶରୀ ମହାପାତ୍ର (ଭା.ପ୍ର.ସେ.), ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରତିନିଧି, ଜିଲ୍ଲା ପ୍ରଶାସନର ଅଧିକାରୀ, ନିକଟସ୍ଥ ପଞ୍ଚାୟତର ଜନପ୍ରତିନିଧି, କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ ମୁଖ୍ୟ ଅତିଥି ବିଶାଳ କୁମାର ଦେବ ରାଜ୍ୟର ବିଦ୍ୟୁତ ଚାହିଦା ପୂରଣରେ ଓପିଜିସିର ଅଗ୍ରଣୀ ଭୂମିକା ସହ ଏହାର ବୈଷୟିକ ଓ ଆର୍ଥିକ ପ୍ରଗତିକୁ ଉଚ୍ଚ ପ୍ରଶଂସା କରିଥିଲେ।
ପରିଚାଳନା ନିର୍ଦ୍ଦେଶକ କେଦାର ରଞ୍ଜନ ପାଣ୍ଡୁ ନିଜ ବକ୍ତବ୍ୟରେ ନିଗମର ଭବିଷ୍ୟତ କାର୍ଯ୍ୟପନ୍ଥା, ବିଶେଷକରି ପ୍ରସ୍ତାବିତ ୫ମ ଓ ୬ଷ୍ଠ ୟୁନିଟ୍, ୫୦ ମେଗାୱାଟ୍ ସୌର ବିଦ୍ୟୁତ ପ୍ରକଳ୍ପ ଏବଂ ମାନବ ସମ୍ବଳ ପୁନର୍ଗଠନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଓପିଜିସିର ବିକାଶ ଯାତ୍ରାରେ ଅତୀତ ଓ ବର୍ତ୍ତମାନର କର୍ମଚାରୀଙ୍କ ନିଷ୍ଠାପର ଅବଦାନକୁ ସେ କୃତଜ୍ଞତାର ସହ ସ୍ମରଣ କରିଥିଲେ। ସମ୍ମାନିତ ଅତିଥି ଆରଡିସି ସଂଗ୍ରାମ କେଶରୀ ମହାପାତ୍ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ନିର୍ଦ୍ଦେଶକ (ଅପରେସନ୍ସ) ଅଞ୍ଜନୀ ରଞ୍ଜନ ଦାଶ ରାଜ୍ୟ ସରକାରୀ ବିଦ୍ୟୁତ ଉତ୍ପାଦନ କମ୍ପାନୀଗୁଡ଼ିକ ମଧ୍ୟରେ ଓପିଜିସି ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ସୂଚନା ଦେଇଥିଲେ। ସେହିପରି ନିର୍ଦ୍ଦେଶକ (ବିତ୍ତ) ଗଗନ ବିହାରୀ ସ୍ୱାଇଁ ନିଗମର ଆର୍ଥିକ ଉପଲବ୍ଧି ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଓପିଜିସିର ଯାତ୍ରା ଓ ସାମାଜିକ ଦାୟିତ୍ୱବୋଧ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା। ମଞ୍ଚାସୀନ ଅତିଥିମାନେ ‘ୱାଡ଼ି ଓ ପୋଷଣ ବାଟିକା ପ୍ରକଳ୍ପ’ ଏବଂ ‘ଶିକ୍ଷଣ ଦକ୍ଷତା ବୃଦ୍ଧି ଓ ପ୍ରତିକାରମୂଳକ ଶିକ୍ଷା ପ୍ରକଳ୍ପ’ ନାମକ ଦୁଇଟି ସିଏସଆର ଯୋଜନାର ଶୁଭାରମ୍ଭ କରି ଏହାର ବିବରଣୀ ପୁସ୍ତିକା ଉନ୍ମୋଚନ କରିଥିଲେ। ଏଥିସହ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପିଜିଡିଏମ୍ (PGDM) ପାଠ୍ୟକ୍ରମ ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ଓପିଜିସି ଓ ଭାରତୀୟ ବିଦ୍ୟା ଭବନ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଜାତୀୟ ଡିଏଭି କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଇବ ଥର୍ମାଲସ୍ଥିତ ଡିଏଭି ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏହି ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଉପସଭାପତି (ଅପରେସନ୍ସ) ସୁକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ସନ୍ଧ୍ୟାରେ ହେଲିପ୍ୟାଡ୍ ପଡ଼ିଆରେ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ସହ ଆନନ୍ଦ ମେଳା ଓ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଏଥିରେ ଓପିଜିସି କର୍ମଚାରୀଙ୍କ ପରିବାର, ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବଂ ବିଭିନ୍ନ ସଂସ୍ଥା ପକ୍ଷରୁ ଖୋଲାଯାଇଥିବା ଷ୍ଟଲ୍ଗୁଡ଼ିକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା କଣ୍ଠଶିଳ୍ପୀ ଓ ସଙ୍ଗୀତ ଦଳଙ୍କ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସହ ପ୍ରତିଷ୍ଠା ଦିବସ ସମାରୋହର ପରିସମାପ୍ତି ଘଟିଥିଲା।



