Homeବାଣିଜ୍ୟଟାଇକନ୍ ଭୁବନେଶ୍ୱର ୨୦୨୬: ଆସନ୍ତା ଅକ୍ଟୋବର ୩୦ ଓ ୩୧ରେ ଚନ୍ଦ୍ରଶେଖରପୁରରେ ଆୟୋଜିତ ହେବ ବିଶାଳ...

ଟାଇକନ୍ ଭୁବନେଶ୍ୱର ୨୦୨୬: ଆସନ୍ତା ଅକ୍ଟୋବର ୩୦ ଓ ୩୧ରେ ଚନ୍ଦ୍ରଶେଖରପୁରରେ ଆୟୋଜିତ ହେବ ବିଶାଳ ବାଣିଜ୍ୟିକ ସମ୍ମିଳନୀ

ଭୁବନେଶ୍ୱର, ୩ ଅକ୍ଟୋବର: ଦି ଇଣ୍ଡସ୍ ଏଂଟରପ୍ରିନ୍ୟୋର୍ସ (ଟାଇ) ଭୁବନେଶ୍ୱରର ବାର୍ଷିକ ଉଦ୍ୟୋଗୀ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ “ଟାଇକନ୍ ଭୁବନେଶ୍ୱର ୨୦୨୬ – ଓଡ଼ିଶା ଲିପ୍ ଅପ୍ ସମିଟ୍” ଆସନ୍ତା ଅକ୍ଟୋବର ୩୦ ଏବଂ ୩୧ ତାରିଖ ଦୁଇ ଦିନ ଧରି ଚନ୍ଦ୍ରଶେଖରପୁରସ୍ଥିତ ହୋଟେଲ କ୍ରିଷ୍ଟାଲ କ୍ରାଉନ୍ରେ ଅନୁଷ୍ଠିତ ହେବାକୁ ଯାଉଛି। “ଓଡ଼ିଶା ଲିପ୍ ଅପ୍ – ଗଢ଼ନ୍ତୁ, ଆଗକୁ ବଢ଼ାନ୍ତୁ, ରପ୍ତାନି କରନ୍ତୁ” ରଣନୈତିକ ସ୍ଲୋଗାନ୍‌କୁ ନେଇ ଆୟୋଜିତ ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଶାକୁ ବିଶ୍ୱ ବାଣିଜ୍ୟ, ନବସୃଜନ, ପୁଞ୍ଜି ନିବେଶ ଏବଂ ରପ୍ତାନିର ଏକ ସମୃଦ୍ଧ କେନ୍ଦ୍ରରେ ପରିଣତ କରିବା, ଯାହା “ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା” ଆଭିମୁଖ୍ୟକୁ ଆଗକୁ ବଢ଼ାଇବ।

ଏହି ପ୍ରମୁଖ ସମିଟ୍‌ରେ ଷ୍ଟାର୍ଟଅପ୍‌ର ପ୍ରତିଷ୍ଠାତା, ଏମଏସଏମଇ ନେତୃବୃନ୍ଦ, ଭେଂଚର କ୍ୟାପିଟାଲିଷ୍ଟ, ଏଞ୍ଜେଲ ଇନଭେଷ୍ଟର, କର୍ପୋରେଟ୍ ଅଧିକାରୀ, ନୀତି ନିର୍ଦ୍ଧାରକ ଏବଂ ଶିଳ୍ପ ବିଶେଷଜ୍ଞଙ୍କୁ ମିଶାଇ ୧,୫୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଭାଗନେବେ। ଆଞ୍ଚଳିକ ପରିସରକୁ ଆନ୍ତର୍ଜାତୀୟ ବଜାର ସହ ଯୋଡ଼ିବା ପାଇଁ ଆମେରିକା, ଦୁବାଇ ଏବଂ ସିଙ୍ଗାପୁରରୁ ସରକାରୀ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଆସି ଦ୍ୱିପାକ୍ଷିକ ବାଣିଜ୍ୟ ଓ ସହଭାଗିତାର ସମ୍ଭାବନା ସମୀକ୍ଷା କରିବେ। ଏହା ସହିତ, ଟାଇ କଲୋମ୍ବୋ ଏକ “କଂଟ୍ରି ପାର୍ଟନର” ଭାବେ କାର୍ଯ୍ୟ କରିବାକୁ ଥିବାରୁ ଏହା ଅନ୍ତର୍ଜାତୀୟ ପୁଞ୍ଜି ପ୍ରବାହ ଓ ରଣନୈତିକ ବ୍ୟବସାୟିକ ସମ୍ପର୍କ ସ୍ଥାପନରେ ସହାୟକ ହେବ।

ଟାଇ ଭୁବନେଶ୍ୱରର ସଭାପତି ଅୟସକାନ୍ତ ମହାନ୍ତି ଏହି ଆୟୋଜନର ରଣନୈତିକ ଗୁରୁତ୍ୱ ପ୍ରକାଶ କରି କହିଛନ୍ତି ଯେ, ଏହି ସମ୍ମିଳନୀ ଓଡ଼ିଶାର ଆର୍ଥିକ ବିକାଶ ଗାଥାରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ। “ଟାଇକନ୍ ଭୁବନେଶ୍ୱର ୨୦୨୬” ମାଧ୍ୟମରେ ରାଜ୍ୟର ଅସାଧାରଣ ଉଦ୍ୟୋଗୀ ସାମର୍ଥ୍ୟକୁ ବିଶ୍ୱ ସ୍ତରରେ ପହଞ୍ଚାଯିବ, ଯାହା ସ୍ଥାନୀୟ ବ୍ୟବସାୟଗୁଡ଼ିକୁ ସିଧାସଳଖ ବିଦେଶୀ ନିବେଶ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଆନ୍ତର୍ଜାତୀୟ ରପ୍ତାନି ବଜାର ସହ ଯୋଡ଼ିବ। ଆଞ୍ଚଳିକ ଶିଳ୍ପଗୁଡ଼ିକୁ ବିଶ୍ୱସ୍ତରୀୟ କରି ପ୍ରସ୍ତୁତ କରିବା ପାଇଁ ସଂସ୍ଥା ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି ସେ ଜଣାଇଛନ୍ତି।

ସମ୍ମିଳନୀ ପ୍ରସ୍ତୁତି ନେଇ ଆୟୋଜିତ ସୂଚନା ସଭାରେ ଟାଇ ଭୁବନେଶ୍ୱରର ଭାଇସ ପ୍ରେସିଡ଼େଂଟ ସତ୍ୟବ୍ରତ ରଥୋ, ଯୁଗ୍ମ ସଚିବ ଅଭିତାଭ୍ୟ ପଟନାୟକ ଏବଂ ଟ୍ରେଜରର ସିଏ ରାକେଶ କୁମାର ଗୁପ୍ତା ଉପସ୍ଥିତ ଥିଲେ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ କି-ନୋଟ୍ ଅଧିବେଶନ, ବିଶେଷଜ୍ଞ ପ୍ୟାନେଲ ଆଲୋଚନା ଏବଂ ସ୍ୱତନ୍ତ୍ର ବିଜନେସ୍‌-ଟୁ-ବିଜନେସ ବୈଠକ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଶୁଭାରମ୍ଭ ହେବାକୁ ଥିବା “ଟାଇ ଆଂଚଳିକ ସମ୍ମିଳନୀ” ବିଭିନ୍ନ ଆଞ୍ଚଳିକ ଶାଖାର ପ୍ରତିନିଧିମାନଙ୍କୁ ଆନ୍ତଃରାଜ୍ୟ ବଜାର ସଂଯୋଗ ଏବଂ ମିଳିତ ପୁଞ୍ଜି ନିବେଶର ମଞ୍ଚ ଯୋଗାଇବ।

ନୂତନ ଉଦ୍ୟୋଗୀମାନଙ୍କୁ ସିଧାସଳଖ ବଡ଼ ନିବେଶକଙ୍କ ସହ ଯୋଡ଼ିବା ପାଇଁ ଏକ ସ୍ୱତନ୍ତ୍ର “ଇନଭେଷ୍ଟର ଲାଉଞ୍ଜ” ଏବଂ “ଷ୍ଟାର୍ଟଅପ୍ ପିଚ୍” ବ୍ୟବସ୍ଥା କରାଯାଇଛି। ସେହିପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡିପ୍ ଟେକ, ସ୍ପେସ୍ ଟେକ୍, ଡ୍ରୋନ୍ ସିଷ୍ଟମ୍, ସ୍ମାର୍ଟ ଜିସିସି, ଡାଟା ଇନ୍ଫ୍ରାଷ୍ଟ୍ରକ୍ଚର୍ ଏବଂ କ୍ଲିନ୍ ଏନର୍ଜି ଭଳି ଆଗାମୀ ଦିନର ପ୍ରଯୁକ୍ତିବିଦ୍ୟା ଉପରେ ସ୍ୱତନ୍ତ୍ର ସେସନ୍ ଅନୁଷ୍ଠିତ ହେବ। ଏମଏସଏମଇଗୁଡ଼ିକ ପାଇଁ ଗ୍ଲୋବାଲ ଟ୍ରେଡ୍ ରୁଲ୍ସ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହ ମହିଳା ଉଦ୍ୟୋଗୀ, ଗ୍ରାମୀଣ ଉଦ୍ଭାବକ ଏବଂ ଯୁବପିଢ଼ିଙ୍କ ତୃଣମୂଳ ପ୍ରକଳ୍ପକୁ ପ୍ରୋତ୍ସାହିତ କରାଯିବ। ସାମଗ୍ରିକ ଭାବେ, ଏହି ସମ୍ମିଳନୀ ଓଡ଼ିଶାର ବ୍ୟବସାୟିକ ସମୁଦାୟ ପାଇଁ ବ୍ୟବସାୟିକ ମଡେଲ ସମ୍ପ୍ରସାରଣ, ଆନ୍ତର୍ଜାତୀୟ ସହଭାଗିତା ଏବଂ ଜାତୀୟ-ଆନ୍ତର୍ଜାତୀୟ ବଜାରରେ ପହଞ୍ଚିବା ପାଇଁ ଏକ ସକ୍ରିୟ ମଞ୍ଚ ଭାବେ ସାବ୍ୟସ୍ତ ହେବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments