Homeରାଜ୍ୟ ଖବରଓଡ଼ିଶା ଟ୍ରାଭେଲ ବଜାର ୨୦୨୬: 'ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା' ଆହ୍ୱାନ ସହ ସ୍ଥାନୀୟ ରୋଜଗାର...

ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’ ଆହ୍ୱାନ ସହ ସ୍ଥାନୀୟ ରୋଜଗାର ଓ ବିଶ୍ୱ ପର୍ଯ୍ୟଟନ ପ୍ରଚାର ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧ ଅକ୍ଟୋବର, ୨୦୨୬: ଓଡ଼ିଶାକୁ ଭାରତର ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରର ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବା ଲକ୍ଷ୍ୟ ନେଇ ଅକ୍ଟୋବର ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ମେଫେୟାର ସାଙ୍କଚୁଆରୀଠାରେ ‘ଓଡ଼ିଶା ଟ୍ରାଭେଲ ବଜାର (ଓଟିବି) ୨୦୨୬’ର ସପ୍ତମ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। ଗୁରୁବାର ଦିନ ମେଫେୟାର ଲାଗୁନ୍‌ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ବ୍ୟବସାୟିକ ମହାକୁମ୍ଭର ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା, ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମରେ ୯୨ରୁ ଅଧିକ ଘରୋଇ ସଂସ୍ଥା, ୨୭ଟି ଦେଶର ବିଦେଶୀ ଟୁର ଅପରେଟର, ୧୦୦ରୁ ଅଧିକ ପର୍ଯ୍ୟଟନ ବ୍ୟବସାୟୀ ଏବଂ ଦେଶର ୩୨ଟି ସହରରୁ ୨୦୦ରୁ ଅଧିକ କ୍ରେତା ଭାଗନେବେ। ଏହି ଅବସରରେ ୬,୦୦୦ରୁ ଅଧିକ ପୂର୍ବ ନିର୍ଦ୍ଧାରିତ ବ୍ୟବସାୟିକ ଆଲୋଚନା ବୈଠକ ଅନୁଷ୍ଠିତ ହେବ।

ସାମ୍ବାଦିକ ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଓଡ଼ିଶା ଏକ ମହତ୍ୱାକାଂକ୍ଷୀ ପର୍ଯ୍ୟଟନ ରଣନୀତି ଉପରେ କାର୍ଯ୍ୟ କରୁଛି, ଯାହାର ମୂଳମନ୍ତ୍ର ହେଉଛି ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’। ଯଦି ବିଶ୍ୱର କୌଣସି ନିବେଶକ କିମ୍ବା ପର୍ଯ୍ୟଟକ ଭାରତ ବିଷୟରେ ଚିନ୍ତା କରନ୍ତି, ତେବେ ସେମାନଙ୍କ ପ୍ରଥମ ପସନ୍ଦ ଓଡ଼ିଶା ହେବା ଆବଶ୍ୟକ। ଦୁଃସାହସିକ ପର୍ଯ୍ୟଟନ, ହୋମଷ୍ଟେ ଏବଂ ଆତିଥେୟତା ନୀତି ଜରିଆରେ ‘ବିକଶିତ ଭାରତ’ର ସ୍ୱପ୍ନ ସାକାର କରିବା ପାଇଁ ଓଡ଼ିଶା ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି। ଓଟିବି କେବଳ ପର୍ଯ୍ୟଟନସ୍ଥଳୀ ପ୍ରଚାରରେ ସୀମିତ ନରହି ଯୁବପିଢ଼ିଙ୍କ ପାଇଁ ଶିକ୍ଷା, ତାଲିମ, ଦକ୍ଷତା ବିକାଶ, ନିଯୁକ୍ତି, ଉଦ୍ୟୋଗୀତା ଏବଂ ସ୍ଥାନୀୟ ଆର୍ଥିକ ବିକାଶର ଏକ ବଡ଼ ମାଧ୍ୟମ ଭାବେ କାର୍ଯ୍ୟ କରିବ।

ସର୍ବସମାବେଶୀ ବିକାଶ ବାବଦରେ ଆଲୋକପାତ କରି ସେ ପ୍ରକାଶ କରିଛନ୍ତି ଯେ, ପର୍ଯ୍ୟଟନର ଆର୍ଥିକ ଲାଭ କେବଳ ହୋଟେଲ ଓ ରିସୋର୍ଟ ମଧ୍ୟରେ ସୀମିତ ନରହି ସିଧାସଳଖ ଟୁର ଗାଇଡ୍‌, ଡ୍ରାଇଭର, ସ୍ଥାନୀୟ କାରିଗର, ହୋମଷ୍ଟେ ମାଲିକ, ଛୋଟ ବ୍ୟବସାୟୀ ଏବଂ ସେବା ପ୍ରଦାନକାରୀଙ୍କ ନିକଟରେ ପହଞ୍ଚିବା ଉଚିତ। ପର୍ଯ୍ୟଟକମାନେ ହୋଟେଲ ରୁମ୍ କିମ୍ବା ଟ୍ୟାକ୍ସି ନମ୍ବର ଭୁଲିଯାଇ ପାରନ୍ତି, ମାତ୍ର ସାଙ୍ଗରେ ନେଇଥିବା ଅନୁଭୂତିକୁ ସବୁଦିନ ମନେରଖନ୍ତି। ରାଜ୍ୟର ସଂସ୍କୃତି, ଐତିହ୍ୟ ଓ ଗ୍ରାମୀଣ ପରମ୍ପରାକୁ ବିଶ୍ୱ ସ୍ତରରେ ପ୍ରଚାର କରିବାକୁ ସେ ଗଣମାଧ୍ୟମ ଓ ବିଶ୍ୱସ୍ତରୀୟ ପ୍ରତିନିଧିଙ୍କୁ ଆହ୍ୱାନ ଜଣାଇଥିଲେ।

ଏହି ସଂସ୍କରଣର ଅଂଶବିଶେଷ ଭାବେ ଐତିହ୍ୟ, ଆଧ୍ୟାତ୍ମିକତା, ପ୍ରକୃତି, ବନ୍ୟଜନ୍ତୁ, ଜନଜାତି ପରମ୍ପରା, ଉପକୂଳବର୍ତ୍ତୀ ଆକର୍ଷଣ ଓ ଅନୁଭୂତି ଆଧାରିତ ପର୍ଯ୍ୟଟନକୁ ନେଇ ୮ଟି ପରିଚୟ ଭ୍ରମଣ (ଫ୍ୟାମିଲିଆରାଇଜେସନ ଟୁର) ଅନୁଷ୍ଠିତ ହେବ। ଏହାଦ୍ୱାରା ଟୁର ଅପରେଟର, କ୍ରେତା, ସାମ୍ବାଦିକ ଓ ଇନଫ୍ଲୁଏନ୍ସରମାନେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିପାରିବେ। ଏଥିସହିତ ଖାଦ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ବିଶିଷ୍ଟ ରୋଷେୟା (ସେଫ୍‌) ଶ୍ରୀ ରଣବୀର ବ୍ରାରଙ୍କ ଦ୍ୱାରା ଏକ ଅନୁଭୂତି ବାଣ୍ଟିବା ସେସନ ଆୟୋଜିତ ହେବ।

ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ (ଆଇଏଏସ), ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର (ଆଇଏଏସ), ଏଚଆରଏଓ ମହାସଚିବ ଧୀମାନ ମଜୁମଦାର, ଟିଏଏଓ ସମ୍ପାଦକ ଆଲୋକ ମହାରଣା, ଆଇଏଟିଓ ଓଡ଼ିଶା ଶାଖା ଅଧ୍ୟକ୍ଷ ଗଗନ ଷଡ଼ଙ୍ଗୀ, ଇକେଟିଟିଏ ସଭାପତି ଦେବାଶିଷ ମିଶ୍ର ଏବଂ ଓଟିଓଏ ସମ୍ପାଦକ ଯୁଗବ୍ରତ କର ଉପସ୍ଥିତ ଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ତିନିଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାଟନ ପାଇଁ ନିମନ୍ତ୍ରଣ କରାଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପର୍ଯ୍ୟଟନ ସଚିବ, ବରିଷ୍ଠ ସରକାରୀ ଅଧିକାରୀ ତଥା ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରର ପ୍ରତିନିଧିମାନେ ଯୋଗଦେବେ। ଓଟିବି ୨୦୨୬ ବ୍ୟବସାୟିକ ସମ୍ପର୍କ ସ୍ଥାପନ, ପର୍ଯ୍ୟଟନସ୍ଥଳୀର ପ୍ରଚାର ଏବଂ ସ୍ଥାନୀୟ ଆର୍ଥିକ ପ୍ରଗତିକୁ ନୂତନ ଗତି ପ୍ରଦାନ କରିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments