Homeଆନ୍ତର୍ଜାତୀୟପ୍ରବାସୀ ଓଡ଼ିଆଙ୍କ ବଡ଼ ସଫଳତା: ଲଣ୍ଡନରେ ‘ବ୍ରିଟିଶ୍ ସିଟିଜେନ୍ ଆୱାର୍ଡ’ରେ ସମ୍ମାନିତ ହେଲେ ସମାଜସେବୀ ରେଖା...

ପ୍ରବାସୀ ଓଡ଼ିଆଙ୍କ ବଡ଼ ସଫଳତା: ଲଣ୍ଡନରେ ‘ବ୍ରିଟିଶ୍ ସିଟିଜେନ୍ ଆୱାର୍ଡ’ରେ ସମ୍ମାନିତ ହେଲେ ସମାଜସେବୀ ରେଖା ସେନାପତି

ଭୁବନେଶ୍ୱର, ଅଗଷ୍ଟ ୮, ୨୦୨୬: ଓଡ଼ିଶା ତଥା ସମଗ୍ର ଭାରତୀୟ ପ୍ରବାସୀ ସମୁଦାୟ ପାଇଁ ଆସିଛି ଏକ ଅତ୍ୟନ୍ତ ଗୌରବପୂର୍ଣ୍ଣ ଖବର। ସମାଜସେବା କ୍ଷେତ୍ରରେ ଅତୁଲନୀୟ ଯୋଗଦାନ ପାଇଁ ବ୍ରହ୍ମପୁରର ଝିଅ ତଥା ମାଞ୍ଚେଷ୍ଟରର ଜଣାଶୁଣା ସମାଜସେବୀ ଓ ବ୍ୟବସାୟୀ ଶ୍ରୀମତୀ ରେଖା ସେନାପତିଙ୍କୁ ଲଣ୍ଡନର ପ୍ୟାଲେସ୍ ଅଫ୍ ୱେଷ୍ଟମିନଷ୍ଟରସ୍ଥିତ ହାଉସ୍ ଅଫ୍ ଲର୍ଡସ୍‌ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ‘ବ୍ରିଟିଶ୍ ସିଟିଜେନ୍ ଆୱାର୍ଡ-ଦ ପିପୁଲ୍ସ ଚଏସ୍’ ସମ୍ମାନରେ ସମ୍ମାନିତ କରାଯାଇଛି। ବ୍ରିଟେନର ବିଶିଷ୍ଟ ଟିଭି ଉପସ୍ଥାପକ ତଥା ସାମ୍ବାଦିକ ମ୍ୟାଟ୍ ଅଲ୍‌ରାଇଟ୍ ଏବଂ ସ୍ପେକ୍ସସେଭର୍ସର ସହ-ପ୍ରତିଷ୍ଠାତ୍ରୀ ଡେମ୍ ମେରି ପର୍କିନ୍ସ ଉପସ୍ଥିତ ରହି ତାଙ୍କୁ ଏହି ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ କରିଛନ୍ତି। ଚଳିତ ବର୍ଷ ବ୍ରିଟେନର ୨୬ ଜଣ ପଦକ ବିଜେତାଙ୍କ ମଧ୍ୟରୁ ରେଖା ସେନାପତି ହେଉଛନ୍ତି ଏକମାତ୍ର ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ ହିନ୍ଦୁ, ଯାହାଙ୍କୁ ଏହି ସ୍ୱତନ୍ତ୍ର ପୁରସ୍କାର ମିଳିଛି।

ୟୁନାଇଟେଡ୍ କିଙ୍ଗଡମରେ ନିଜର ସାମାଜିକ ସେବା ଓ ନିଷ୍ଠାପର କାର୍ଯ୍ୟ ପାଇଁ ସେ ପୂର୍ବରୁ ମଧ୍ୟ ସ୍ଥାନୀୟ ଓ ଜାତୀୟ ସ୍ତରରେ ଅନେକ ସମ୍ମାନ ହାସଲ କରିଛନ୍ତି। ଚଳିତ ବର୍ଷ ମେ’ ମାସରେ ମାଞ୍ଚେଷ୍ଟରର ସାଲଫୋର୍ଡ ମେୟରଙ୍କ ଦ୍ୱାରା ତାଙ୍କୁ ‘ମେୟର୍ସ ସିଟିଜେନ୍ ଆୱାର୍ଡ’ ପ୍ରଦାନ କରାଯାଇଥିଲା। ସେହିପରି ମାର୍ଚ୍ଚ ମାସରେ ମାଞ୍ଚେଷ୍ଟରରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭାରେ ତାଙ୍କୁ ‘ଶକ୍ତି ପବ୍ଲିକ ସର୍ଭିସ୍ ଷ୍ଟାର୍ ଆୱାର୍ଡ’ରେ ଭୂଷିତ କରାଯାଇଥିଲା। ସମାଜ ପ୍ରତି ତାଙ୍କର କ୍ରମାଗତ ଉତ୍ସର୍ଗୀକୃତ ସେବା ପାଇଁ ସେ ବିଗତ କିଛି ବର୍ଷ ହେବ ନିରବଚ୍ଛିନ୍ନ ଭାବେ ସ୍ୱୀକୃତି ପାଇଆସୁଛନ୍ତି।

ଗତ ୨୫ ବର୍ଷରୁ ଅଧିକ ସମୟ ଧରି ଜଣେ ସ୍ୱେଚ୍ଛାସେବୀ ଭାବେ ସେ ହସ୍ପିସ୍‌ରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀ, ବିଭିନ୍ନ ସମ୍ପ୍ରଦାୟର ମହିଳା, ଦିବ୍ୟାଙ୍ଗ ଶିଶୁ ଏବଂ ସମାଜର ଗରୀବ ଓ ଅବହେଳିତ ଶ୍ରେଣୀର ଲୋକଙ୍କ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ଏହାସହିତ ସ୍ୱାସ୍ଥ୍ୟ ଦାତବ୍ୟ ସଂସ୍ଥାଗୁଡ଼ିକ ପାଇଁ ପାଣ୍ଠି ଯୋଗାଡ଼ କରିବା, ଗୃହହୀନମାନଙ୍କୁ ଆହାର ଯୋଗାଇଦେବା ଏବଂ ସାଂସ୍କୃତିକ ଓ ସୃଜନଶୀଳ କାର୍ଯ୍ୟକ୍ରମ ଜରିଆରେ ସମାଜରେ ଏକତା ବଜାୟ ରଖିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ତାଙ୍କର ସୁଦୃଢ଼ ନେତୃତ୍ୱ ଓ ସଂଗଠନ ଦକ୍ଷତା ହେତୁ ମାଞ୍ଚେଷ୍ଟର ଏବଂ ଉତ୍ତର-ପଶ୍ଚିମ ଇଂଲଣ୍ଡର ରଥଯାତ୍ରା ଆଜି ସେହି ଅଞ୍ଚଳର ଏକ ମୁଖ୍ୟ ହିନ୍ଦୁ ଧାର୍ମିକ ଓ ସାଂସ୍କୃତିକ ଆୟୋଜନ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଗତ ୮ ବର୍ଷ ଧରି ଏହା ହିନ୍ଦୁ କ୍ୟାଲେଣ୍ଡରର ଏକ ପ୍ରମୁଖ ପର୍ବ ଭାବେ ଗ୍ରହଣୀୟ ହୋଇଛି। ଏଥିସହ ସେ ବିଗତ ୨୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ପ୍ରତିଷ୍ଠିତ ମଞ୍ଚରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଭାରତୀୟ ସଂସ୍କୃତିକୁ ବଜାୟ ରଖିଛନ୍ତି।

ଏହି ସମ୍ମାନ ଗ୍ରହଣ କରିବା ପରେ ଶ୍ରୀମତୀ ସେନାପତି ନିଜର ପ୍ରତିକ୍ରିୟାରେ କହିଛନ୍ତି, “ଏହି ସମ୍ମାନ ପାଇ ମୁଁ ଅତ୍ୟନ୍ତ ଗର୍ବିତ ଓ ସମ୍ମାନିତ ବୋଧ କରୁଛି। ଏହି ସ୍ୱୀକୃତି ମୋତେ ଆଗାମୀ ଦିନରେ ଅଧିକ ନିଷ୍ଠା, ଆନ୍ତରିକତା ଓ ସମର୍ପଣର ସହ ସମାଜସେବା ଜାରି ରଖିବାକୁ ଅଶେଷ ପ୍ରେରଣା ଦେବ।”

ଶ୍ରୀମତୀ ସେନାପତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେ ଶ୍ରୀ କୋଟନୀ ନିର୍ମଳ କୁମାର ଓ ଶ୍ରୀମତୀ କୋଟନୀ ପ୍ରଭାବତୀଙ୍କ ସୁକନ୍ୟା ଏବଂ ସ୍ୱର୍ଗତ ଶ୍ରୀ ସୋମନାଥ ସେନାପତି ଓ ସ୍ୱର୍ଗତ ଶ୍ରୀମତୀ ପଦ୍ମାବତୀ ସେନାପତିଙ୍କ ବୋହୂ। ତାଙ୍କ ସ୍ୱାମୀ ପ୍ରଫେସର ଶିବ ସେନାପତି ମାଞ୍ଚେଷ୍ଟରର ଜଣେ ସୁନାମଧନ୍ୟ ଓଜନ ହ୍ରାସ ଶଲ୍ୟଚିକିତ୍ସକ। ତାଙ୍କ ଜୀବନର ମାର୍ଗଦର୍ଶକ ମନ୍ତ୍ର ହେଉଛି “ସର୍ବେ ସୁଖିନୋ ଭବନ୍ତୁ”। ଏହି ଜାତୀୟ ସ୍ତରର ବିଶେଷ ପୁରସ୍କାର ପ୍ରବାସୀ ଭାରତୀୟମାନଙ୍କ ପାଇଁ ଗୌରବ ଆଣିଦେବା ସହ ବିଦେଶ ମାଟିରେ ବ୍ରିଟିଶ୍ ସମାଜ ପ୍ରତି ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments