ଭୁବନେଶ୍ୱର, ୮ ଅଗଷ୍ଟ ୨୦୨୬: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର, ଓଡ଼ିଶା ସିଏସଆର ଫୋରମ୍ ସହଯୋଗରେ ୭-୮ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ “ମାନବ ପୁଞ୍ଜିରୁ ସାମାଜିକ ପୁଞ୍ଜି: ଅନ୍ତର୍ଭୁକ୍ତିମୂଳକ, ସ୍ଥାୟୀ ଏବଂ ଉଦ୍ଦେଶ୍ୟ-ଚାଳିତ ସଂଗଠନ ଗଠନ” ଶୀର୍ଷକ ଏକ ଦୁଇଦିନିଆ ମ୍ୟାନେଜମେଣ୍ଟ ଡେଭେଲପମେଣ୍ଟ ପ୍ରୋଗ୍ରାମର ସଫଳ ଆୟୋଜନ କରିଥିଲା। ଏହି ସମ୍ମିଳନୀରେ ପ୍ରଖ୍ୟାତ ଶିକ୍ଷାବିତ୍, ଶିଳ୍ପ ନେତୃବୃନ୍ଦ, ନୀତି ନିର୍ଦ୍ଧାରକ, ସିଏସଆର ପେସାଦାର ଓ ପରିଚାଳନା ବିଶେଷଜ୍ଞମାନେ ଏକତ୍ରିତ ହୋଇ ଭବିଷ୍ୟତ-ଉପଯୋଗୀ ମାନବ ପୁଞ୍ଜି ବିକାଶ ଏବଂ ଶିକ୍ଷା, ଶିଳ୍ପ ଓ ସମ୍ପ୍ରଦାୟ ମଧ୍ୟରେ ଅଧିକ ସହଯୋଗ ସ୍ଥାପନ ଉପରେ ବ୍ୟାପକ ମନ୍ଥନ କରିଥିଲେ।
କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଧିବେଶନରେ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ପୂର୍ବତନ ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମଲକର ଅଧ୍ୟକ୍ଷତା କରିଥିଲେ। ସ୍ୱାଗତ ଭାଷଣ ଦେଇ ଓଡ଼ିଶା ସିଏସ୍ଆର୍ ଫୋରମ୍ର ସଂଯୋଜକ ଶ୍ରୀ ବି. କେ. ମିଶ୍ର ଦୀର୍ଘସ୍ଥାୟୀ ସାମାଜିକ ପ୍ରଭାବ ପାଇଁ ଶିକ୍ଷାନୁଷ୍ଠାନ, ଶିଳ୍ପସଂସ୍ଥା ଓ ନୀତି ନିର୍ଦ୍ଧାରକଙ୍କ ମଧ୍ୟରେ ଅଧିକ ଦୃଢ଼ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଡ. ଆଚାର୍ଯ୍ୟ କହିଥିଲେ ଯେ ଦକ୍ଷତା ବିକାଶ, ମୂଲ୍ୟଭିତ୍ତିକ ଶିକ୍ଷା ଓ ଦାୟିତ୍ୱସମ୍ପନ୍ନ ନାଗରିକତା ମାଧ୍ୟମରେ ଭାରତର ଜନସାଂଖ୍ୟିକ ଲାଭାଂଶର ସଠିକ୍ ବ୍ୟବହାର ସମ୍ଭବ। ସିଏସ୍ଆର୍କୁ କେବଳ ଦାନ ମଧ୍ୟରେ ସୀମିତ ନରଖି ସ୍ଥାୟୀ ଜୀବିକା ଓ ନିଯୁକ୍ତିଯୋଗ୍ୟତା ବୃଦ୍ଧିର ମାଧ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ।
ନିଜ ଅଧ୍ୟକ୍ଷୀୟ ଭାଷଣରେ ପ୍ରଫେସର ଶ୍ରୀପଦ କର୍ମଲକର ସମାବେଶୀ ବିକାଶ, ସ୍ଥାୟୀତ୍ୱ ଓ ସହଯୋଗକୁ ଭବିଷ୍ୟତର ସଂଗଠନ ଗଠନର ମୂଳଦୁଆ ଭାବେ ଦର୍ଶାଇଥିଲେ। ଏହି ସନ୍ଦର୍ଭରେ ସେ ଆଇଆଇଟି ଭୁବନେଶ୍ୱରର ସହଯୋଗାତ୍ମକ ଶିକ୍ଷଣ ପଦ୍ଧତି, ମତାମତ ଆଧାରିତ ପ୍ରଶାସନ, ୧୦୦-କ୍ୟୁବ୍ ଷ୍ଟାର୍ଟଅପ୍ ପଦକ୍ଷେପ ଏବଂ ଉନ୍ନତ ଭାରତ ଅଭିଯାନ ଭଳି ସାମାଜିକ ସଂପୃକ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଉଦ୍ଘାଟନୀ ଅଧିବେଶନ ଶେଷରେ ଆଇଆଇଟି ଭୁବନେଶ୍ୱରର ଡିନ୍ (ଆଲୁମ୍ନାଇ, କର୍ପୋରେଟ୍ ଏବଂ ଆନ୍ତର୍ଜାତୀୟ ସମ୍ପର୍କ) ପ୍ରଫେସର ଅନିମେଶ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ଦିନରେ ଆଇଆଇଏମ୍ ସମ୍ବଲପୁରର ପ୍ରଫେସର ଆର୍. କେ. ପାଢ଼ୀ “୨୦୪୭ରେ ଭାରତରେ ମାନବ ପୁଞ୍ଜିର ଭବିଷ୍ୟତ” ବିଷୟରେ ମୁଖ୍ୟ ବକ୍ତୃତା ପ୍ରଦାନ କରିଥିଲେ।
ଦୁଇଦିନିଆ ଅଧିବେଶନ ମଧ୍ୟରେ ଅଂଶଗ୍ରହଣକାରୀମାନେ ପ୍ୟାନେଲ୍ ଆଲୋଚନା ଓ ଆନ୍ତଃକ୍ରିୟାତ୍ମକ କର୍ମଶାଳା ମାଧ୍ୟମରେ କୃତ୍ରିମ ବୁଦ୍ଧିମତ୍ତା ଓ କାର୍ଯ୍ୟର ଭବିଷ୍ୟତ, ଦକ୍ଷତା ବିକାଶ, ପରିବର୍ତ୍ତନଶୀଳ ନେତୃତ୍ୱ, ବିବିଧତା, ସମାନତା ଓ ସମାବେଶ, ଇଏସଜି, କର୍ମଚାରୀ କଲ୍ୟାଣ, ଶିଳ୍ପ ସମ୍ପର୍କ, ସମନ୍ୱିତ ସିଏସଆର-ଏଚଆର-ଆଇଆର ଢାଞ୍ଚା ଏବଂ ଶିଳ୍ପ-ଶିକ୍ଷାନୁଷ୍ଠାନ-ସମୁଦାୟ ସହଭାଗିତା ମଡେଲ୍ ଉପରେ ବିଚାରବିମର୍ଶ କରିଥିଲେ। ଉଦ୍ଯାପନୀ ଅଧିବେଶନରେ ଜିନ୍ଦଲ୍ ଷ୍ଟିଲ୍ ଲିମିଟେଡ୍ର ସଭାପତି ଶ୍ରୀ ପ୍ରଶାନ୍ତ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। ପ୍ରମାଣପତ୍ର ବଣ୍ଟନ ଏବଂ ସ୍ଥାୟୀ ଓ ସମାବେଶୀ ସଂଗଠନ ଗଠନ ପାଇଁ ନବୀକୃତ ସଂକଳ୍ପ ସହ ଏହି କାର୍ଯ୍ୟକ୍ରମର ଉଦ୍ଯାପନ ଘଟିଥିଲା।



