Homeଆନ୍ତର୍ଜାତୀୟଆମେରିକାରେ ଚିକାଗୋ ହିନ୍ଦୁ ମନ୍ଦିରରେ ବଡ଼ଧରଣର ଗୁଳିକାଣ୍ଡ ଯୋଜନା, ୧୯ ବର୍ଷୀୟ ଯୁବକ ଗିରଫ

ଆମେରିକାରେ ଚିକାଗୋ ହିନ୍ଦୁ ମନ୍ଦିରରେ ବଡ଼ଧରଣର ଗୁଳିକାଣ୍ଡ ଯୋଜନା, ୧୯ ବର୍ଷୀୟ ଯୁବକ ଗିରଫ

ୱାସିଂଟନ୍, ୧୫ ଅକ୍ଟୋବର ୨୦୨୬: ଆମେରିକାର ଇଲିନୋଇସ୍ ଅନ୍ତର୍ଗତ ଚିକାଗୋ ନିକଟସ୍ଥ ଅରୋରା ଅଞ୍ଚଳରେ ଥିବା ଏକ ବିଶାଳ ହିନ୍ଦୁ ମନ୍ଦିରକୁ ଲକ୍ଷ୍ୟ କରି ବଡ଼ଧରଣର ସଂଘବଦ୍ଧ ଗୁଳିକାଣ୍ଡ ଚଳାଇବା ପାଇଁ ଯୋଜନା କରୁଥିବା ଅଭିଯୋଗରେ ୧୯ ବର୍ଷୀୟ ଯୁବକ ଆଲେକ୍ସାଣ୍ଡ୍ରୋସ୍ ପାପୋରାକିସ୍‌କୁ ପୋଲିସ ଗିରଫ କରିଛି। ଆମେରିକାର ପାଲାଟାଇନ୍‌ସହରର ବାସିନ୍ଦା ଏହି ଯୁବକ ଜଣକ ନିଜକୁ ନିଓ-ନାଜି ଓ ଶ୍ୱେତାଙ୍ଗ ସର୍ବୋଚ୍ଚତାବାଦୀ (ୱାଇଟ୍ ସୁପ୍ରିମାସିଷ୍ଟ) ଭାବେ ପରିଚୟ ଦେଇ ଭାରତୀୟ, ଯିହୂଦୀ ଓ କୃଷ୍ଣକାୟ ଲୋକଙ୍କ ପ୍ରତି କ୍ରମାଗତ ଭାବେ ଘୃଣାଭାବ ପୋଷଣ କରିଆସୁଥିଲା। ତଦନ୍ତରୁ ପ୍ରକାଶ ଯେ, ସେ ଆକ୍ରମଣ କରିବା ପାଇଁ ବିଗତ ଦୁଇ ବର୍ଷ ଧରି ଯୋଜନା କରିବା ସହ ଗୁଗୁଲ୍ ଷ୍ଟ୍ରିଟ୍ ଭ୍ୟୁ ଓ ୟୁଟ୍ୟୁବ୍ ଜରିଆରେ ସମ୍ପୃକ୍ତ ହିନ୍ଦୁ ମନ୍ଦିରର ନକ୍ସା ନିରୀକ୍ଷଣ କରୁଥିଲା।

ଗିରଫଦାରୀ ପୂର୍ବରୁ ସେ ତା’ର ଜଣେ ସହକର୍ମୀଙ୍କୁ ୮ ପୃଷ୍ଠାର ଏକ ଇସ୍ତାହାର ପଠାଇଥିଲା, ଯାହାର ଶୀର୍ଷକ ଥିଲା “ମୁଁ କାହିଁକି ଲଢ଼ିଲି: ଅରୋରା ସୁଟର୍ସ ମାନିଫେଷ୍ଟୋ”। ଏହି ଦସ୍ତାବିଜ୍‌ରେ ସେ ଅନେକ ଧର୍ମ ଓ ସମ୍ପ୍ରଦାୟର ଲୋକଙ୍କ ପ୍ରତି ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ବ୍ୟବହାର କରିବା ସହ ବହୁ ସଂଖ୍ୟକ ଲୋକଙ୍କୁ ହତ୍ୟା କରିବାର ନିଜର ଆକାଂକ୍ଷା ବ୍ୟକ୍ତ କରିଥିଲା। ଆକ୍ରମଣ ପାଇଁ ପ୍ରସ୍ତୁତ ରହିବା ବେଳେ ତା’ର ବନ୍ଧୁକଟି ଜାମ୍ ହୋଇଯିବାରୁ ସେ ସେଠାରୁ ତୁରନ୍ତ ଖସି ଆସିଥିବା ଏବଂ ଗାଡ଼ି ଭିତରେ ଥାଇ ପୁଣି ବନ୍ଧୁକ ମରାମତି କରି ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ନେଇ ତା’ର ସହକର୍ମୀଙ୍କୁ ବାର୍ତ୍ତା ପ୍ରେରଣ କରିଥିଲା। ଏହା ପରେ ସମ୍ପୃକ୍ତ ସହକର୍ମୀ ତୁରନ୍ତ ୯୧୧କୁ କଲ୍ କରି ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ଏବଂ ଏଫ୍‌ବିଆଇ ମିଳିତ ଭାବେ ଚଢ଼ାଉ କରି ପାଲାଟାଇନ୍ ଅଞ୍ଚଳରୁ ତାକୁ ଗିରଫ କରିବା ସହ ତା’ ବାସଭବନରୁ ଏକ ମୋଡିଫାଏଡ୍ ଏଆର୍-ଷ୍ଟାଇଲ୍ ରାଇଫଲ୍, ବିପୁଳ ପରିମାଣର ଗୁଳିଗୋଳା, ଟାକ୍ଟିକାଲ୍ ଭେଷ୍ଟ ଏବଂ ନାଜି ପ୍ରତୀକ ଥିବା ସାମଗ୍ରୀ ଜବତ କରିଛନ୍ତି। ପାଲାଟାଇନ୍ ଓ ମାଉଣ୍ଟ ପ୍ରୋସପେକ୍ଟ ପୋଲିସର ତୁରନ୍ତ ପଦକ୍ଷେପ ଯୋଗୁଁ ନବରାତ୍ରୀ ଓ ପାର୍ବଣ ସମୟରେ ଏକ ଭୟଙ୍କର ରକ୍ତପାତ ଏଡ଼ାଇ ଦିଆଯାଇପାରିଛି। ବୁଧବାର ଦିନ କୋର୍ଟରେ ହାଜର କରାଯିବା ପରେ ବିଚାରପତି ତା’ର ଜାମିନ୍ ଆବେଦନ ଖାରଜ କରି ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି। ଅକ୍ଟୋବର ୩୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments