ଭୁବନେଶ୍ୱର, ୮ ଅଗଷ୍ଟ: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ର ୧୩ତମ ଛାୟା ଜାତିସଂଘ (ମଡେଲ ୟୁନାଇଟେଡ ନେସନ୍ସ) ଶନିବାର ସମାରୋହପୂର୍ବକ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ରାଷ୍ଟ୍ରଦୂତ ତଥା ନୂଆଦିଲ୍ଲୀସ୍ଥିତ ମନୋହର ପାରିକର ପ୍ରତିରକ୍ଷା ଅଧ୍ୟୟନ ଏବଂ ଆନାଲିସିସ୍ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ସୁଜନ ଚିନୟ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ ଓ ସମୂହ ମନୋଭାବ ନେଇ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟାବଳୀର ଉଦାହରଣ ଦେଇ ସେ କହିଥିଲେ ଯେ, ଭୁବନେଶ୍ୱରକୁ ଏକ ବିଶାଳ ଶିକ୍ଷା ହବ୍ରେ ପରିଣତ କରିବାରେ ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ। ଅଚ୍ୟୁତ ସାମନ୍ତଙ୍କ ଜୀବନର ସରଳତା, ଉଚ୍ଚ ମୂଲ୍ୟବୋଧ, କଠୋର ପରିଶ୍ରମ ଓ ଦଳଗତ ନେତୃତ୍ୱ ଅନ୍ୟମାନଙ୍କ ପାଇଁ ଶ୍ରେଷ୍ଠ ପ୍ରେରଣା। ଯେପରି ଗୋଟିଏ ଚକରେ ରଥ ଚାଲିପାରିବ ନାହିଁ, ସେହିପରି ସମାଜ ଓ ଦେଶର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଦେଶର ଆଗାମୀ ସଫଳତା ଛାତ୍ରଛାତ୍ରୀଙ୍କ କାର୍ଯ୍ୟ ଉପରେ ନିର୍ଭର କରୁଥିବାରୁ, କୌଣସି ପରିବର୍ତ୍ତନ ଆଣିବା ପୂର୍ବରୁ ସକାରାତ୍ମକ ଓ ନକାରାତ୍ମକ ଉଭୟ ଦିଗକୁ ଧୈର୍ଯ୍ୟର ସହ ବିଚାର କରିବାକୁ ସେ ଆହ୍ୱାନ ଦେଇଥିଲେ।
ଜାତିସଂଘର ବିଚାରଧାରା ଉପରେ ସୂଚନା ଦେଇ ସୁଜନ ଚିନୟ କହିଥିଲେ ଯେ, ଜାତିସଂଘ ପ୍ରତିଷ୍ଠା ପରେ ସୁରକ୍ଷା ପରିଷଦର ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ହୋଇଥିଲେ ବି ଏଥିରେ ଆହୁରି ଅନେକ ସଂସ୍କାରର ଆବଶ୍ୟକତା ରହିଛି। ଆଜିର ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଅଧିକ ବିନମ୍ର ଏବଂ ସମାଜ ପ୍ରତି ଉତ୍ତରଦାୟୀ ହେବାକୁ ଶିଖାଏ। ଗଣତାନ୍ତ୍ରିକ ମୂଲ୍ୟବୋଧ, ଇ-ଜ୍ଞାନ, ସାମରିକ ଦକ୍ଷତା ଓ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ବଳରେ ବିଶ୍ୱ ଦରବାରରେ ଭାରତର ସ୍ଥାନ ଅଧିକ ମଜବୁତ ହୋଇଛି। ଜଳବାୟୁ ପରିବର୍ତ୍ତନ, ସବୁଜ ଶକ୍ତି, ଖାଦ୍ୟ ଓ ଶକ୍ତି ସୁରକ୍ଷା ଭଳି ବଡ଼ ବଡ଼ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତ ସର୍ବଦା ଆନ୍ତର୍ଜାତୀୟ ସମୁଦାୟ ସହ ମିଶି କାମ କରିବାକୁ ପ୍ରସ୍ତୁତ ରହିଛି।
କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ, କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ବିଦ୍ୟାର୍ଥୀମାନେ ଶିକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରରେ କ୍ରମାଗତ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ କରିଆସୁଛନ୍ତି। ଛାତ୍ରଛାତ୍ରୀମାନେ ନିଜ ପ୍ରତି ଏବଂ ସମାଜ ପ୍ରତି ନିଷ୍ଠାପର ହେବା ଉଚିତ। ନିଜେ ସନ୍ମାର୍ଗୀ ହେଲେ ଦେଶରେ ସକାରାତ୍ମକ ପରିବର୍ତ୍ତନ ଆଣିହେବ। ଏହିପରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମରୁ ଛାତ୍ରଛାତ୍ରୀମାନେ ନୂତନ ଜ୍ଞାନ ଓ ବ୍ୟାପକ ଚିନ୍ତାଧାରା ଆହରଣ କରିବାର ସୁଯୋଗ ପାଆନ୍ତି।
ଏହି ଦୁଇଦିନିଆ ୧୩ତମ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ସମାରୋହରେ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ୧୦୦ଟି ପ୍ରମୁଖ ବିଦ୍ୟାଳୟର ୧୫୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଏଥିପାଇଁ ୧୩ଟି ବିଭିନ୍ନ କମିଟି ଗଠନ କରାଯାଇଛି, ଯେଉଁଥିରେ ପ୍ରତିନିଧିମାନେ ପ୍ରମୁଖ ବିଶ୍ୱ ପ୍ରସଙ୍ଗଗୁଡ଼ିକ ଉପରେ ଗଠନମୂଳକ ଆଲୋଚନା ଓ ବିତର୍କରେ ଭାଗ ନେବେ।



