Wednesday, April 15, 2026
spot_img
Homeରାଜନୀତି ଜାଲ୍ ଗ୍ରାମସଭା ଓ ପୁଲିସ ଅତ୍ୟାଚାର ବିରୋଧରେ ଚାରି ବାମପନ୍ଥୀ ଦଳର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

 ଜାଲ୍ ଗ୍ରାମସଭା ଓ ପୁଲିସ ଅତ୍ୟାଚାର ବିରୋଧରେ ଚାରି ବାମପନ୍ଥୀ ଦଳର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ରାୟଗଡ଼ା ଜିଲ୍ଲାର ସିଜିମାଳି ଅଞ୍ଚଳରେ ଚାଲୁଥିବା ପୁଲିସ ଦମନଲୀଳା ଓ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନକୁ ନେଇ ଚାରୋଟି ବାମପନ୍ଥୀ ଦଳ ପକ୍ଷରୁ ଏକ ମିଳିତ ପ୍ରେସ ବିବୃତ୍ତି ଜରିଆରେ ତୀବ୍ର ନିନ୍ଦା କରାଯାଇଛି। ଗତ ୬ ଓ ୭ ଏପ୍ରିଲ ମଧ୍ୟରାତ୍ରିରେ କଣ୍ଟାମାଲ ଓ ଏହାର ଆଖପାଖ ଅଞ୍ଚଳରେ ଶହ ଶହ ସଶସ୍ତ୍ର ପୁଲିସ ବାହିନୀ ପକ୍ଷରୁ ହୋଇଥିବା ଚଢ଼ାଉକୁ ଏହି ଦଳଗୁଡ଼ିକ ଅଗଣତାନ୍ତ୍ରିକ ବୋଲି ଅଭିହିତ କରିଛନ୍ତି। ଏହି ଘଟଣାରେ ଲୋକଙ୍କ ଉପରେ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ବ୍ୟବହାର କରାଯିବା ସହ ମହିଳା ଓ ବୃଦ୍ଧମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଅନେକ ଗ୍ରାମବାସୀ ଗୁରୁତର ଆହତ ହୋଇଥିବା ପ୍ରକାଶ ପାଇଛି।

ଏହି ପ୍ରେସ ବିବୃତ୍ତିରେ ଗ୍ରାମସଭା କାର୍ଯ୍ୟବିବରଣୀ ଜାଲିଆତି କରାଯାଇଥିବା ନେଇ ମଧ୍ୟ ଗୁରୁତର ଦାବି କରାଯାଇଛି। ଅଭିଯୋଗ ଅନୁଯାୟୀ, ୨୦୨୩ ଡିସେମ୍ବର ୮ ତାରିଖରେ ଏକାଧିକ ସ୍ଥାନରେ ଏକ ସମୟରେ ଗ୍ରାମସଭା କରାଯାଇଥିବା ଦର୍ଶାଯାଇଛି ଏବଂ ସେଥିରେ ମୃତ ବ୍ୟକ୍ତିଙ୍କ ଟିପ ଚିହ୍ନ ବା ଦସ୍ତଖତ ରହିବା ଗ୍ରାମସଭାର ପବିତ୍ରତାକୁ କ୍ଷୁଣ୍ଣ କରିଛି। ସିଜିମାଳିରେ ଘଟୁଥିବା ଏହି ସମସ୍ତ ଘଟଣା ସମ୍ବିଧାନର ପଞ୍ଚମ ଅନୁସୂଚୀ, ଜଙ୍ଗଲ ଅଧିକାର ଆଇନ ଓ ପେସା ଆଇନର ସ୍ପଷ୍ଟ ଉଲ୍ଲଂଘନ ବୋଲି ବାମପନ୍ଥୀ ନେତାମାନେ ମତ ପ୍ରକାଶ କରିଛନ୍ତି। ବେଦାନ୍ତ କମ୍ପାନୀକୁ ସୁହାଇବା ଭଳି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ଏଥିରେ ଉଦବେଗ ପ୍ରକାଶ ପାଇଛି।

ସିଜିମାଳି ସୁରକ୍ଷା ପାଇଁ ଆନ୍ଦୋଳନ କରୁଥିବା “ମା ମାଟି ମାଳି ସୁରକ୍ଷା ମଞ୍ଚ”ର ନେତା ଲିଙ୍ଗରାଜ ଆଜାଦ, ସୁରେଶ ସଂଗ୍ରାମ ଓ ଉମାକାନ୍ତ ନାୟକଙ୍କ ସମେତ ୨୪ ଜଣଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଇଥିବା ବିଷୟକୁ ନେଇ ଦଳଗୁଡ଼ିକ ଆପତ୍ତି ଉଠାଇଛନ୍ତି। ଜେଲରେ ଜଣେ ଗର୍ଭବତୀ ମହିଳାଙ୍କୁ ରଖାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି। ବକ୍ସାଇଟ୍ ଖଣି ପ୍ରକଳ୍ପ ଦ୍ୱାରା ଅଞ୍ଚଳର ପରିବେଶ, ଜଳଉତ୍ସ ଓ ଜନଜୀବନ ସମ୍ପୂର୍ଣ୍ଣ ବିପନ୍ନ ହେବାକୁ ଯାଉଥିବା ବେଳେ ଜନସାଧାରଣଙ୍କ ସମ୍ମତି ବିନା ଏହାକୁ ଲଦି ଦିଆଯାଉଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ସିପିଆଇ(ଏମ୍.ଏଲ୍)-ରେଡଷ୍ଟାର, ସିପିଆଇ (ଏମ୍.ଏଲ୍), ସିପିଆଇ(ଏମ୍.ଏଲ)-ନ୍ୟୁ ଡେମୋକ୍ରାସୀ ଓ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଆଜି ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଉଛି।

ବାମପନ୍ଥୀ ଦଳଗୁଡ଼ିକ ପକ୍ଷରୁ ସିଜିମାଳି ଘଟଣାର ନ୍ୟାୟିକ ତଦନ୍ତ, ଗିରଫ ଆନ୍ଦୋଳନକାରୀଙ୍କ ମୁକ୍ତି ଓ ସେମାନଙ୍କ ବିରୋଧରେ ଥିବା ମିଥ୍ୟା ମାମଲା ପ୍ରତ୍ୟାହାର ପାଇଁ ଦାବି କରାଯାଇଛି। ଏହା ସହ ସିଜିମାଳି, ମାଳିପର୍ବତ, ସେରୁବନ୍ଧ ଓ ନାଗେଶ୍ୱର ମାଳି ଆଦି ଅଞ୍ଚଳରେ ଚାଲିଥିବା ଖଣି ଖନନ ପ୍ରକ୍ରିୟାକୁ ତୁରନ୍ତ ବାତିଲ କରିବାକୁ ସେମାନେ ଜୋର ଦେଇଛନ୍ତି। ଆସନ୍ତା ୧୭ ଏପ୍ରିଲ ୨୦୨୬କୁ ସମଗ୍ର ଓଡ଼ିଶାରେ ‘ପ୍ରତିବାଦ ଦିବସ’ ଭାବେ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି। ଏହି ଦିନ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସମସ୍ତ ଗଣତାନ୍ତ୍ରିକ ଶକ୍ତି ଓ ସଚେତନ ନାଗରିକଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments