ନୂଆଦିଲ୍ଲୀ, ଅକ୍ଟୋବର ୧୨, ୨୦୨୬: ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତ ସୋମବାର ଦିନ ଇଣ୍ଡିଆ (INDIA) ମେଣ୍ଟର ନେତାମାନଙ୍କୁ ଭେଟିବାକୁ ଦିଆଯାଇଥିବା ଅନୁରୋଧକୁ ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲେ ଏବଂ ସୋମବାର ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବୈଠକର ଅନୁରୋଧକୁ ସ୍ପଷ୍ଟ କାରଣ ସହ ନାକଜ କରାଯାଇଥିବା ନେଇ ସ୍ପଷ୍ଟ କରାଯାଇଛି ଏବଂ ଏହାର ଜବାବ ରାହୁଲ ଗାନ୍ଧୀଙ୍କ ଅଫିସିଆଲ୍ ମେଲ୍ କୁ ପଠାଇ ଦିଆଯାଇଛି। ସୂତ୍ରରୁ ପ୍ରକାଶ ଯେ, ଯେଉଁ ପ୍ରସଙ୍ଗଗୁଡ଼ିକ ଉପସ୍ଥାପନ ହେବାର ଥିଲା ସେଗୁଡ଼ିକ ପୂର୍ବରୁ ହିଁ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏବଂ କୋର୍ଟ ପ୍ରଶାସନିକ ସ୍ତରରେ ରାଜ୍ୟର ଶାସନ ଏବଂ କାର୍ଯ୍ୟକାରିତା ମଧ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଏହି ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ରାଜନୈତିକ ଦଳଗୁଡ଼ିକ ସହ ଭେଟଘାଟ କରିବା ଶକ୍ତି ପୃଥକୀକରଣ ନୀତିର ଉଲ୍ଲଂଘନ ହେବ ବୋଲି ମଧ୍ୟ ଦର୍ଶାଯାଇଛି। ବିରୋଧୀ ନେତାମାନେ ସୁପ୍ରିମକୋର୍ଟ ଅଭିମୁଖେ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିବାବେଳେ, ମୌଳିକ ଅଧିକାର ସମ୍ପର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ କୋର୍ଟରେ ଆଇନଗତ ଭାବେ ଉପସ୍ଥାପନ କରିବାକୁ ପରାମର୍ଶ ଦିଆଯାଇଛି।



