ଢେଙ୍କାନାଳ ସହରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ପରିସରରେ ଶନିବାର ଅପରାହ୍ନରେ ଜଣେ ୧୭ ବର୍ଷୀୟ ନାବାଳକ ଛାତ୍ରଙ୍କୁ ସାଥୀ ପିଲାମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରାୟ ଅପରାହ୍ନ ଗୋଟାଏ ସମୟରେ ଘଟିଥିବା ଏହି ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଛାତ୍ର ଜଣକ ଆହତ ହୋଇଛନ୍ତି। ପୂର୍ବରୁ ଚାଲିଆସୁଥିବା ଏକ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା ସନ୍ଦେହ କରାଯାଉଛି। ତିନି ଜଣ ଯୁବକ ମିଶି ସଂପୃକ୍ତ ଛାତ୍ରଙ୍କ ସହ ଯୁକ୍ତିତର୍କ କରିବା ପରେ ତାଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି।
ଏହି ଘଟଣା ସମୟରେ ଆକ୍ରମଣକାରୀମାନେ ବନ୍ଧୁକ ଦେଖାଇ ଫାଙ୍କା ଗୁଳିଚାଳନା କରିଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ପୋଲିସ ଏବଂ କଲେଜ କର୍ତ୍ତୃପକ୍ଷ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। କଲେଜ ଅଧ୍ୟକ୍ଷ ମାତୃ ପ୍ରସାଦ ଦାସ କହିଛନ୍ତି ଯେ, ଗୁଳିଚାଳନା ନେଇ କୌଣସି ପ୍ରମାଣ ମିଳିନାହିଁ ଏବଂ ଏଥିରେ କୌଣସି ବାହାର ଲୋକ ସାମିଲ ନଥିଲେ। କେବଳ ପିଲାମାନଙ୍କ ମଧ୍ୟରେ ହିଁ ଏହି ଗଣ୍ଡଗୋଳ ହୋଇଥିଲା।
ଆହତ ନାବାଳକ ଛାତ୍ର ଜଣକ ଏନେଇ ଢେଙ୍କାନାଳ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଢେଙ୍କାନାଳ ଏସପି ଅଭିନବ ସୋନକର କହିଛନ୍ତି ଯେ, ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ଏହି ହିଂସାକାଣ୍ଡ ଘଟିଛି। ବର୍ତ୍ତମାନ କଲେଜ କ୍ୟାମ୍ପସରେ ସ୍ଥିତି ସ୍ବାଭାବିକ ରହିଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।



