ଭୁବନେଶ୍ୱର: ରାଜଧାନୀରେ ଏକ ବଡ଼ ଧରଣର ବେଆଇନ ଅସ୍ତ୍ରଶସ୍ତ୍ର କାରବାରକୁ ପଣ୍ଡ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ। ଭୁବନେଶ୍ୱର-କଟକ ସ୍ପେଶାଲ କ୍ରାଇମ ୟୁନିଟ୍ ଚନ୍ଦକା ଥାନା ଅଞ୍ଚଳରେ ଏକ ଚଢ଼ାଉ କରି ୬ଟି ଅତ୍ୟାଧୁନିକ ସେମି-ଅଟୋମେଟିକ୍ ପିସ୍ତଲ ଜବତ କରିବା ସହ ଜଣେ ଅନ୍ତଃରାଜ୍ୟ ବନ୍ଧୁକ ବେପାରୀକୁ ଗିରଫ କରିଛି।
ଶୁକ୍ରବାର ଭୋର ସମୟରେ ଚନ୍ଦକାରେ ବନ୍ଧୁକ କାରବାର ହେବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ପୋଲିସ ଏକ ଜାଲ ବିଛାଇଥିଲା। ଅଭିଯୁକ୍ତ ମନୋଜ କୁମାର ମଲ୍ଲିକ ଓରଫ ପପୁକୁ ସେହି ସ୍ଥାନରୁ ଗିରଫ କରାଯାଇଛି। ପୋଲିସ ସୂଚନା ମୁତାବକ, ମନୋଜ ଜଣେ ପେସାଦାର ଅପରାଧୀ ଏବଂ ପୂର୍ବରୁ ସେ ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡ଼ିତ ହୋଇ ଜେଲ ମଧ୍ୟ ଯାଇଥିଲା।
ତଲାସି ସମୟରେ ପୋଲିସ ତା’ ନିକଟରୁ ୬ଟି ସେମି-ଅଟୋମେଟିକ୍ ପିସ୍ତଲ ସମେତ ୧୦ ରାଉଣ୍ଡ ଜୀବନ୍ତ ଗୁଳି, ୬ଟି ମାଗାଜିନ୍, ଏକ ବାଇକ୍ ଏବଂ ବ୍ୟକ୍ତିଗତ ମୋବାଇଲ୍ ଫୋନ୍ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରଗୁଡ଼ିକ ବିହାରର ମୁଙ୍ଗେର ଅଞ୍ଚଳରୁ ସଂଗ୍ରହ କରାଯାଇଥିଲା। ଅଭିଯୁକ୍ତ ଜଣକ ଏହି ବନ୍ଧୁକଗୁଡ଼ିକୁ ଭୁବନେଶ୍ୱରର ବିଭିନ୍ନ ଅପରାଧୀ ଗୋଷ୍ଠୀ ଏବଂ ଜମି ମାଫିଆଙ୍କୁ ବିକ୍ରି କରିବା ପାଇଁ ଯୋଜନା କରିଥିଲା।
ପୋଲିସ କମିଶନର ଏସ. ଦେବଦତ୍ତ ସିଂ ଏହି ସଫଳତା ସମ୍ପର୍କରେ କହିଛନ୍ତି ଯେ, ଗତ ୬ ମାସ ମଧ୍ୟରେ କମିଶନରେଟ ପୋଲିସ ରାଜଧାନୀ ଅଞ୍ଚଳରୁ ପ୍ରାୟ ୩୪ରୁ ଅଧିକ ବେଆଇନ ବନ୍ଧୁକ ଜବତ କରିସାରିଛି। ବର୍ତ୍ତମାନ ପୋଲିସ ଏହି କାରବାର ସହ ଜଡ଼ିତ ଅନ୍ୟ କୌଣସି ବ୍ୟକ୍ତି ବା ମୁଖ୍ୟ ସପ୍ଲାଏର୍ଙ୍କ ସମ୍ପର୍କରେ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି।



