Thursday, April 2, 2026
spot_img
Homeରାଜନୀତିସିପିଆଇ ରାଜ୍ୟ ପରିଷଦ ବୈଠକ: ପଲ୍ଲୀରୁ ରାଜଧାନୀ ପର୍ଯ୍ୟନ୍ତ ଜନ ଆନ୍ଦୋଳନ ପାଇଁ ଆହ୍ୱାନ

ସିପିଆଇ ରାଜ୍ୟ ପରିଷଦ ବୈଠକ: ପଲ୍ଲୀରୁ ରାଜଧାନୀ ପର୍ଯ୍ୟନ୍ତ ଜନ ଆନ୍ଦୋଳନ ପାଇଁ ଆହ୍ୱାନ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଓଡ଼ିଶା ରାଜ୍ୟ ପରିଷଦ ବୈଠକ ଭୁବନେଶ୍ୱରସ୍ଥିତ ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରେ ଭାଗବତ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର ଓଡ଼ିଶାର ବର୍ତ୍ତମାନର ସାମାଜିକ ଓ ରାଜନୈତିକ ସ୍ଥିତି ଉପରେ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ବିଶେଷ କରି ସରକାରଙ୍କ ଇଙ୍ଗିତରେ ସଂଖ୍ୟାଲଘୁଙ୍କ ଉପରେ ସାମ୍ପ୍ରଦାୟିକ ଆକ୍ରମଣ, ଭିଡ଼ ହତ୍ୟା, ଦଳିତ, ଆଦିବାସୀ ଓ ମହିଳାଙ୍କ ଉପରେ ବଢୁଥିବା ନିର୍ଯାତନା, ଖଣିଜ ଲୁଣ୍ଠନ ଏବଂ ଦୁର୍ନୀତି ଭଳି ପ୍ରସଙ୍ଗକୁ ସେ କଡ଼ା ସମାଲୋଚନା କରିଥିଲେ । ଏହାସହ ରାଜ୍ୟସଭା ନିର୍ବାଚନ ସମୟରେ କେନ୍ଦ୍ରୀୟ ସଂସ୍ଥାର ଭୟ ଦେଖାଇ ବିଜେପି ପକ୍ଷରୁ ହେଉଥିବା ଘୋଡ଼ା ବେପାରକୁ ମଧ୍ୟ ସେ ନିନ୍ଦା କରିବା ସହ ଗତ ଚାରି ମାସର କାର୍ଯ୍ୟ ବିବରଣୀ ଉପସ୍ଥାପନ କରିଥିଲେ

ବୈଠକରେ ଯୋଗଦେଇ ସିପିଆଇର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଆନ୍ତର୍ଜାତୀୟ ଓ ଜାତୀୟ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସେ ଆମେରିକା ଓ ଇସ୍ରାଏଲର ମିଳିତ ସାମ୍ରାଜ୍ୟବାଦୀ ନୀତି, ମଧ୍ୟପ୍ରାଚ୍ୟରେ ଚାଲିଥିବା ନରସଂହାର, ଇରାନ ରାଷ୍ଟ୍ରପତିଙ୍କ ହତ୍ୟା ଏବଂ ଶିକ୍ଷାନୁଷ୍ଠାନ ଉପରେ ବୋମାମାଡ଼ ଭଳି ଘଟଣାକୁ ନିନ୍ଦା କରିଥିଲେ । ଭାରତ ପ୍ରସଙ୍ଗରେ ସେ କହିଥିଲେ ଯେ କେନ୍ଦ୍ର ସରକାର ଦେଶର ସ୍ୱାଧୀନ ବୈଦେଶିକ ନୀତିକୁ ଜଳାଞ୍ଜଳି ଦେଇ ଆମେରିକା ସହ ଏପରି ବାଣିଜ୍ୟ ଚୁକ୍ତି କରିଛନ୍ତି, ଯାହା ଭାରତର କୃଷକ, କୃଷି ଉତ୍ପାଦନ ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବ । ଏଥିସହିତ କେନ୍ଦ୍ରୀୟ ନିର୍ବାଚନ କମିଶନ ବିଜେପିର ଏଜେଣ୍ଟ ଭାବେ କାର୍ଯ୍ୟ କରି ଭୋଟର ତାଲିକାରୁ ସାଧାରଣ ଲୋକଙ୍କ ନାମ ବାଦ୍ ଦେବାର ଯେଉଁ ଷଡ଼ଯନ୍ତ୍ର କରୁଛନ୍ତି, ତାହାକୁ ବୁଥ ସ୍ତରରୁ ମୁକାବିଲା କରିବା ପାଇଁ ସେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ

ରାଜ୍ୟର ଜନସାଧାରଣଙ୍କ ସମସ୍ୟାକୁ ନେଇ ପାର୍ଟି ପକ୍ଷରୁ ଆଗାମୀ ଦିନ ପାଇଁ ଏକ ବ୍ୟାପକ ଆନ୍ଦୋଳନର ଯୋଜନା କରାଯାଇଛି । ଭୂମି ଅଧିକାର ଓ ମୌଳିକ ସୁରକ୍ଷା ପାଇଁ ଆସନ୍ତା ୨୦୨୬ ଏପ୍ରିଲ ୬ ତାରିଖରେ ଓଡ଼ିଶା ବିଧାନସଭା ସମ୍ମୁଖରେ ଏକ ବିଶାଳ ଗଣଧାରଣା ଦିଆଯିବ । ଏହି ଆନ୍ଦୋଳନକୁ ସଂଗଠିତ କରିବା ପାଇଁ ଜୟନ୍ତ ଦାସଙ୍କ ଆବାହକତ୍ୱରେ ଏକ କମିଟି ଗଠନ କରାଯାଇଛି ଏବଂ ଏଥିରେ ସୁନ୍ଦରଗଡ଼, କଳାହାଣ୍ଡି, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଓ ବାଲେଶ୍ୱର ଜିଲ୍ଲାରୁ ଶହ ଶହ ବିସ୍ଥାପିତ ଲୋକ ଯୋଗଦେବେ । ସେହିପରି ମାର୍ଚ୍ଚ ୧୬ ଓ ୧୭ ତାରିଖରେ ପୁରୀଠାରେ “ଯୁବ ମହିଳା ଜାତୀୟ କନଭେନସନ” ଏବଂ ଭୁବନେଶ୍ୱରରେ “ଉତ୍କଳ ଭାରତ ଦଳିତ ଅଧିକାର ଆନ୍ଦୋଳନ”ର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି

ପଞ୍ଚାୟତ ଓ ସହରାଞ୍ଚଳରେ ଲୋକପ୍ରତିନିଧିଙ୍କ କ୍ଷମତାକୁ ସଂକୁଚିତ କରି ସରକାରୀ ଅଧିକାରୀଙ୍କ ସ୍ୱେଚ୍ଛାଚାରିତା ବୃଦ୍ଧି ପାଉଥିବା ଅଭିଯୋଗ କରି ପାର୍ଟି ମେ ମାସ ବ୍ୟାପୀ ପ୍ରତ୍ୟେକ ୱାର୍ଡ ସ୍ତରରେ ଆନ୍ଦୋଳନ କରିବ । ଏଥିସହିତ ସମଗ୍ର ଏପ୍ରିଲ ମାସରେ ରାଜ୍ୟର କୋଣ ଅନୁକୋଣରେ ଘରକୁ ଘର ଯାଇ ଗଣପାଣ୍ଠି ସଂଗ୍ରହ କରାଯିବ । ଏହି ବୈଠକରେ ପୂର୍ବତନ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ପାର୍ଟିକୁ ସାଂଗଠନିକ ଭାବେ ସୁଦୃଢ଼ କରିବା ପାଇଁ ଆଲୋଚନା କରିଥିଲେ

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments