Thursday, April 2, 2026
spot_img
Homeଆଂଚଳିକ ଖବରସିନାପାଲି-ଖଡ଼ିଆଳ ମୁଖ୍ୟରାସ୍ତା ନିର୍ମାଣ ପାଇଁ ପ୍ରଶାସନର ଜବରଦଖଲ ଉଚ୍ଛେଦ ଆରମ୍ଭ

ସିନାପାଲି-ଖଡ଼ିଆଳ ମୁଖ୍ୟରାସ୍ତା ନିର୍ମାଣ ପାଇଁ ପ୍ରଶାସନର ଜବରଦଖଲ ଉଚ୍ଛେଦ ଆରମ୍ଭ

ସିନାପାଲି-ଖଡ଼ିଆଳ ମୁଖ୍ୟରାସ୍ତା ନିର୍ମାଣ ଓ ପ୍ରଶସ୍ତିକରଣ କାର୍ଯ୍ୟରେ ଦୀର୍ଘ ଦିନରୁ ଲାଗି ରହିଥିବା ପ୍ରତିବନ୍ଧକକୁ ଦୂର କରିବା ପାଇଁ ଆଜି ପ୍ରଶାସନ ପକ୍ଷରୁ ବ୍ୟାପକ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଗଣ୍ଡାବାହାଲି ନିକଟରେ ଥିବା ବିବାଦୀୟ ସ୍ଥଳରେ ଏହି ଉଚ୍ଛେଦ ପ୍ରକ୍ରିୟା ଜେସିବି ସାହାଯ୍ୟରେ କରାଯାଉଛି। ପୂର୍ବରୁ ଏହି ଅଞ୍ଚଳରେ ପ୍ରାୟ ୪୧ ଜଣଙ୍କ ଜବରଦଖଲ ଚିହ୍ନଟ କରାଯାଇଥିବା ବେଳେ ଶୁକ୍ରବାର ପୂର୍ବାହ୍ନରୁ ଏହାକୁ ହଟାଇବା ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି।

ଏହି ଉଚ୍ଛେଦ କାର୍ଯ୍ୟ ନୂଆପଡ଼ା ଉପଜିଲ୍ଲାପାଳ ସୁର୍ମୀ ସୋରେନଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ କରାଯାଉଛି। ଏହି ଅଭିଯାନରେ ସିନାପାଲି ତହସିଲଦାର ଉପାଞ୍ଜଳି ମାଝି, ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ, ଆଇଆଇସି ଦୁର୍ଗାମାଧବ ବାଗଙ୍କ ସମେତ ରାଜସ୍ୱ ବିଭାଗୀୟ ଅଧିକାରୀମାନେ ସାମିଲ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ସିନାପାଲି ଓ ବୋଡ଼େନ ପୋଲିସ ପ୍ରଶାସନ, ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବାହିନୀ ସହିତ ସ୍ଥାନୀୟ ଜନପ୍ରତିନିଧିମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଗଣ୍ଡାବାହାଲି ନିକଟରେ ଜବରଦଖଲ ଯୋଗୁଁ ମୁଖ୍ୟରାସ୍ତା କାର୍ଯ୍ୟ ଦୀର୍ଘ ଦିନ ହେବ ଅଧପନ୍ତରିଆ ହୋଇ ରହିଥିଲା। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଶେଷରେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତୁରନ୍ତ ଉଚ୍ଛେଦ କାର୍ଯ୍ୟ ନହେଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ। ଏହା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ଆଜି ଏହି ଉଚ୍ଛେଦ ପ୍ରକ୍ରିୟା ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments