ଭୁବନେଶ୍ୱର, ୧୯ ନଭେମ୍ବର ୨୦୨୬: ସମ୍ଭାବ୍ୟ ବାତ୍ୟା ‘ଅକ୍ଭାନ୍’ ଓଡ଼ିଶା ଉପକୂଳରେ ପ୍ରଭାବ ପକାଇବାର ଆଶଙ୍କା ଦେଖାଦେଇଥିବାରୁ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ସମସ୍ତ ଆଞ୍ଚଳିକ ଓ ବନ୍ୟପ୍ରାଣୀ ବନଖଣ୍ଡକୁ ସତର୍କ କରାଯାଇଛି। ଜଙ୍ଗଲ, ବନ୍ୟଜନ୍ତୁ ଏବଂ ବିଭାଗୀୟ ଭିତ୍ତିଭୂମିର କ୍ଷୟକ୍ଷତିକୁ ଯଥାସମ୍ଭବ କମାଇବା ପାଇଁ ଆଗୁଆ ପ୍ରସ୍ତୁତି ଓ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ବନଖଣ୍ଡ ଅଧିକାରୀଙ୍କ ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ଶିମିଳିପାଳ ଉତ୍ତର ଓ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦ୍ଦେଶକମାନଙ୍କୁ ଆବଶ୍ୟକ ପ୍ରସ୍ତୁତି ସହ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ନିର୍ଦ୍ଦେଶନାମାରେ ଆବଶ୍ୟକ ସରଞ୍ଜାମ ସହ ଉଦ୍ଧାରକାରୀ ଦଳଙ୍କୁ ସଜାଗ ରଖିବା, ଜରୁରୀ ଔଷଧ ମହଜୁଦ ରଖିବା ଓ ପଶୁ ଚିକିତ୍ସା ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିସହ ପ୍ରାଣୀ ଉଦ୍ୟାନ ଓ ବିପଦସଙ୍କୁଳ ସ୍ଥାନରେ ରହୁଥିବା ବନ୍ୟଜନ୍ତୁଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ଓ ଖାଦ୍ୟର ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହାଛଡ଼ା ବନ୍ୟଜନ୍ତୁଙ୍କ ସୁରକ୍ଷା, ବିଭାଗୀୟ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏବଂ ପର୍ଯ୍ୟଟକ ଓ ପରିଦର୍ଶକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ସମସ୍ତ ବନଖଣ୍ଡର ନିୟନ୍ତ୍ରଣ କକ୍ଷକୁ ସକ୍ରିୟ ରଖିବା ସହିତ ଭିଏଚ୍ଏଫ୍ ଓ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ୨୪ ଘଣ୍ଟିଆ ଯୋଗାଯୋଗ ବ୍ୟବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ସ୍ଥିତିରେ ତ୍ୱରିତ ଓ ସମନ୍ୱିତ ପଦକ୍ଷେପ ନେବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଜିଲ୍ଲା ପ୍ରଶାସନ, ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାମ କରିବେ।



