Homeପାଣିପାଗବନ୍ୟା ମୁକାବିଲାକୁ ଅଧିକ କଡ଼ାକଡ଼ି କଲେ ରାଜ୍ୟ ସରକାର; ୨୪ ଘଣ୍ଟିଆ ତଦାରଖ ସହ ରାତ୍ରିକାଳୀନ...

ବନ୍ୟା ମୁକାବିଲାକୁ ଅଧିକ କଡ଼ାକଡ଼ି କଲେ ରାଜ୍ୟ ସରକାର; ୨୪ ଘଣ୍ଟିଆ ତଦାରଖ ସହ ରାତ୍ରିକାଳୀନ ପାଟ୍ରୋଲିଂ ଜୋରଦାର

ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୬: ବଦଳୁଥିବା ପାଣିପାଗକୁ ଦୃଷ୍ଟିରେ ରଖି ରାଜ୍ୟରେ ବନ୍ୟା ମୁକାବିଲା ଓ ପ୍ରସ୍ତୁତିକୁ ଅଧିକ ବ୍ୟାପକ ଏବଂ କଡ଼ାକଡ଼ି କରାଯାଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ୨୪ ଘଣ୍ଟିଆ ସତର୍କତା ଏବଂ କ୍ଷେତ୍ରସ୍ତରୀୟ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଏନେଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲ୍ଲୀପ କୁମାର ରାଉତ, ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସା), ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ପର୍ଯ୍ୟବେକ୍ଷଣ)ଙ୍କ ସମେତ ରାଜ୍ୟର ସମସ୍ତ ମୁଖ୍ୟ ଯନ୍ତ୍ରୀ ଓ ବେସିନ୍ ମ୍ୟାନେଜରମାନେ ଅଂଶଗ୍ରହଣ କରିଥିଲେ।

ରାତ୍ରିକାଳୀନ ସୁରକ୍ଷା ଓ ସତର୍କତା ଉପରେ ଗୁରୁତ୍ୱାରୋପ କରି ପ୍ରମୁଖ ଶାସନ ସଚିବ ରାଜ୍ୟର ସମସ୍ତ ସମ୍ବେଦନଶୀଳ ନଦୀ ଅବବାହିକା, ଦୁର୍ବଳ ନଦୀବନ୍ଧ ଏବଂ ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିଗୁଡ଼ିକରେ ୨୪ ଘଣ୍ଟିଆ ନିରୀକ୍ଷଣ ସହ ରାତ୍ରିକାଳୀନ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅତିରିକ୍ତ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ଏଥିସହ, ଜନସାଧାରଣ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କଠାରୁ ଆସୁଥିବା ପ୍ରତ୍ୟେକ ଫୋନ୍ କଲ୍ ଓ ସତର୍କ ସୂଚନାକୁ ଗୁରୁତ୍ୱର ସହ ଗ୍ରହଣ କରି ବିଳମ୍ବ ନକରି ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବ ବନ୍ୟା ଅନୁଭୂତିରୁ ଶିକ୍ଷା ନେଇ ଆଗୁଆ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ବୈଠକରେ ପରାମର୍ଶ ଦିଆଯାଇଛି। ପୂର୍ବରୁ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକର ପୁନଃ ଅନୁଧ୍ୟାନ କରାଯାଇ ପୂର୍ବର ଆହ୍ୱାନଗୁଡ଼ିକର ଆକଳନ ଏବଂ ପ୍ରତିକାରମୂଳକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ଏହାଛଡ଼ା, ବର୍ଷା, ଉପରମୁଣ୍ଡରୁ ଆସୁଥିବା ଜଳପ୍ରବାହ ଏବଂ ନଦୀ ଜଳସ୍ତର ସମ୍ପର୍କିତ ସୂଚନାର ତ୍ୱରିତ ଆଦାନପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ଓ ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ଗୁରୁତ୍ୱ ଦିଆଯାଇଛି। ଏହି ଆନ୍ତଃରାଜ୍ୟ ସମନ୍ୱୟ ଦ୍ୱାରା ଜଳଭଣ୍ଡାରଗୁଡ଼ିକର ସଠିକ୍ ପରିଚାଳନା ହୋଇପାରିବ ଏବଂ ନିମ୍ନ ଅବବାହିକାରେ ସମ୍ଭାବ୍ୟ ବିପଦକୁ ହ୍ରାସ କରାଯାଇପାରିବ।

ପ୍ରଶାସନିକ ଉତ୍ତରଦାୟିତ୍ୱ ଓ ସମନ୍ୱିତ କାର୍ଯ୍ୟଧାରା ଉପରେ ଜୋର୍ ଦେଇ ପ୍ରମୁଖ ଶାସନ ସଚିବ ସ୍ପଷ୍ଟ କରିଛନ୍ତି ଯେ, ବନ୍ୟା ପ୍ରସ୍ତୁତି କେବଳ କାଗଜକଲମରେ ସୀମିତ ନରହି କ୍ଷେତ୍ରସ୍ତରରେ ନିରନ୍ତର ସତର୍କତା, ପ୍ରଭାବଶାଳୀ ଯୋଗାଯୋଗ ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ପ୍ରତିଫଳିତ ହେବା ଆବଶ୍ୟକ। ଜନସାଧାରଣଙ୍କ ଜୀବନଜୀବିକା ଓ ସୁରକ୍ଷା ସହିତ ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିଗୁଡ଼ିକର ସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments