ଭୁବନେଶ୍ୱର, ୩ ଅକ୍ଟୋବର ୨୦୨୬: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୯ ବର୍ଷର ସମୃଦ୍ଧ ପରମ୍ପରା, ଲୋକକଳା ଓ ସାଂସ୍କୃତିକ ଭାବପ୍ରବଣତାକୁ ନେଇ ନିର୍ମିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଏବଂ ସମ୍ବର୍ଦ୍ଧନା ସମାରୋହ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ପ୍ରମୁଖ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍ ପକ୍ଷରୁ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଥିବା ବେଳେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ଏହାର ସହଯୋଗୀ ସଂସ୍ଥା ଭାବେ ଯୋଗଦାନ କରିଛି।
ଏହି ସୁନ୍ଦର ସାଂସ୍କୃତିକ ସନ୍ଧ୍ୟାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରିଥିଲେ। ଧନୁଯାତ୍ରା ଭଳି ଏକ ଅନନ୍ୟ ଲୋକପରମ୍ପରା ଉପରେ ଏଭଳି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟାରୀ ନିର୍ମାଣକୁ ପ୍ରଶଂସା କରି ସାଂସଦ ପ୍ରଦୀପ ପୁରୋହିତ କହିଥିଲେ ଯେ, ଏହା ଦ୍ୱାରା ଧନୁଯାତ୍ରାର ଇତିହାସ ଓ କଳା ସାରା ବିଶ୍ୱରେ ଆହୁରି ପ୍ରସାରିତ ହୋଇପାରିବ। ଭବିଷ୍ୟତରେ ଧନୁଯାତ୍ରା ଉପରେ ଗବେଷଣା କରୁଥିବା ଗବେଷକ, ଐତିହାସିକ ଓ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଏହି ପ୍ରାମାଣିକ ଚଳଚ୍ଚିତ୍ର ଏକ ପ୍ରମୁଖ ଆଧାର ହେବ।
ଉତ୍ସବ ଅବସରରେ ଅତିଥିମାନଙ୍କ ଦ୍ୱାରା ‘ମାମୁ ଘରକୁ ଯାତ୍ରା’ର ଅଫିସିଆଲ ପୋଷ୍ଟର ଉନ୍ମୋଚନ କରାଯିବା ସହ ଧନୁଯାତ୍ରାର ଲୋକପରମ୍ପରାକୁ ଆଗେଇ ନେଉଥିବା ବହୁ ସୃଜନଶୀଳ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶେଷ କରି ୧୯୯୮ରୁ ୨୦୦୦, ୨୦୧୭ରୁ ୨୦୨୦ ଏବଂ ୨୦୨୫ ମସିହାରେ କ୍ରମାଗତ ଭାବେ କଂସ ଭୂମିକାରେ ଜୀବନ୍ତ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ଭୁବନେଶ୍ୱର ପ୍ରଧାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଏହାସହିତ ଅନ୍ୟ ବରିଷ୍ଠ ଓ ଶିଶୁ କଳାକାର, ନିର୍ଦ୍ଦେଶକ ଏବଂ ପ୍ରଯୋଜନା ଟିମ୍ର ସଦସ୍ୟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ଓଡ଼ିଶାଲାଇଭର ସିଇଓ ତଥା ‘ମାମୁ ଘରକୁ ଯାତ୍ରା’ର ପ୍ରଯୋଜକ ନୀଳାମ୍ବର ରଥ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ବରଗଡ଼ ଧନୁଯାତ୍ରା ହେଉଛି ଓଡ଼ିଶାର ସ୍ୱାଭିମାନ ଓ ସଂସ୍କୃତିର ଅନନ୍ୟ ପ୍ରତୀକ। ପୂର୍ବରୁ କଫି ଟେବୁଲ୍ ବୁକ୍ ଏବଂ ସୋସିଆଲ ମିଡିଆ ଭିଡିଓ ପରେ ଏବେ ଏହି ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଧନୁଯାତ୍ରାର ଲୋକଜୀବନ ଓ କାହାଣୀକୁ ଦେଶବିଦେଶର ଦର୍ଶକଙ୍କ ନିକଟରେ ପହଞ୍ଚାଯାଉଛି। ଏହି ଚଳଚ୍ଚିତ୍ରର ଗ୍ଲୋବାଲ୍ ଡିଜିଟାଲ୍ ପ୍ରିମିୟର ଓଡ଼ିଶାଲାଇଭର ୟୁଟ୍ୟୁବ୍ ଚ୍ୟାନେଲ୍ରେ କରାଯାଇଛି।
ଏହି ସମାରୋହରେ ଓଡ଼ିଶାଲାଇଭର ନିର୍ଦ୍ଦେଶିକା ତଥା ସହ ପ୍ରଯୋଜିକା ପ୍ରଣତି ପରିଡ଼ା, ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ, ସରକାରୀ ବିଭାଗର ପ୍ରଶାସକ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଏବଂ କଳା-ସାହିତ୍ୟ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଶେଷରେ ଓଡ଼ିଶାଲାଇଭର ନିର୍ଦ୍ଦେଶକ ଭବାନି ପ୍ରସାଦ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



