ଭୁବନେଶ୍ୱର, ୨ ।୧୦: କେମ୍ବ୍ରିଜ୍ ଶିକ୍ଷା ଏକାଡେମିକ୍ ଇମରସନ୍ କାର୍ଯ୍ୟକ୍ରମ ଅଧୀନରେ ୭ଦିନିଆ ଶିକ୍ଷାତ୍ମକ ଗସ୍ତରେ ଆସିଥିବା ଭୁଟାନର ୪୦ ଜଣିଆ ଶିକ୍ଷକ ପ୍ରତିନିଧିମଣ୍ଡଳୀ ଆଜି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଭୁଟାନର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରଣାଳୟ ଅଧୀନ ସ୍କୁଲ ଏଜୁକେସନ ବିଭାଗର ଏହି ଶିକ୍ଷକ ଦଳ ‘ଇଣ୍ଡିଆ ଟ୍ରେକ୍’ କାର୍ଯ୍ୟକ୍ରମରେ ଯୋଗଦେଇ କିଟ୍ରେ ଅବସ୍ଥାନ କରୁଛନ୍ତି । ଏହି ସାକ୍ଷାତକାର କାଳରେ ସେମାନେ ଶିକ୍ଷାର ପ୍ରସାର ଓ ସାମାଜିକ ବିକାଶ କ୍ଷେତ୍ରରେ ଶ୍ରୀ ସାମନ୍ତଙ୍କ ନିରବଚ୍ଛିନ୍ନ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ ।
ପ୍ରତିନିଧି ଦଳର ସଦସ୍ୟମାନେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଯେ, ବିଶ୍ୱରେ ଶିକ୍ଷାର ବିକାଶ ଓ ମାନବସେବା ପାଇଁ ସମଗ୍ର ଜୀବନ ଉତ୍ସର୍ଗ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଚ୍ୟୁତ ସାମନ୍ତ ଅନ୍ୟତମ । ସେମାନଙ୍କ ମତରେ, କିସ୍ କେବଳ ଏକ ଶିକ୍ଷାନୁଷ୍ଠାନ ମଧ୍ୟରେ ସୀମାବଦ୍ଧ ହୋଇରହିନାହିଁ; ବରଂ ଏହା ହଜାର ହଜାର ଜନଜାତି ଶିଶୁଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିଥିବା ଏକ ଅନନ୍ୟ ସାମାଜିକ ଆନ୍ଦୋଳନ ଏବଂ ଜନଜାତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏକ ନୂତନ ଆଶାର ଆଲୋକ । ଶ୍ରୀ ସାମନ୍ତଙ୍କ ଆଦର୍ଶ ଏବଂ ତାଙ୍କର ପ୍ରସିଦ୍ଧ ‘ଆର୍ଟ ଅଫ୍ ଗିଭିଂ’ (ଦାନର କଳା) ଦର୍ଶନ ସେମାନଙ୍କୁ ବିଶେଷ ଭାବେ ଅନୁପ୍ରାଣିତ କରିଛି ବୋଲି ସେମାନେ କହିଥିଲେ ।
ଏହି ଅବସରରେ ଭୁଟାନର ଶିକ୍ଷକ ପ୍ରତିନିଧି ଦଳକୁ ସ୍ୱାଗତ ଜଣାଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ ଯେ, ଅନୁଷ୍ଠାନର ପ୍ରତ୍ୟେକ ସଫଳତା କେବଳ ଭଲ ପାଇବା, ସ୍ନେହ ଓ କରୁଣା ଯୋଗୁଁ ସମ୍ଭବ ହୋଇପାରିଛି । ଅନ୍ୟମାନଙ୍କ ସହ ହୃଦୟର ସହ ଭଲ ପାଇବା ବାଣ୍ଟିପାରିଲେ ହିଁ ଜୀବନରେ ପ୍ରକୃତ ଆତ୍ମସନ୍ତୋଷ ଓ ଶାନ୍ତି ମିଳିଥାଏ ବୋଲି ସେ ପ୍ରକାଶ କରିଥିଲେ । ଏହି ଗସ୍ତ କାଳରେ ଭୂଟାନର ପ୍ରତିନିଧିମାନଙ୍କୁ ଓଡ଼ିଶାର ସମୃଦ୍ଧ କଳା, ସାହିତ୍ୟ, ଭାସ୍କର୍ଯ୍ୟ ଓ ଐତିହ୍ୟ ସହ ପରିଚିତ କରାଇବା ପାଇଁ କିଟ୍ ପକ୍ଷରୁ ସ୍ୱତନ୍ତ୍ର ପରିକ୍ରମାର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଐତିହାସିକ ଖଣ୍ଡଗିରି, ଉଦୟଗିରି ଏବଂ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସାମିଲ ରହିଛି ।



