ମୁମ୍ବାଇ, ୨୯ ସେପ୍ଟେମ୍ବର, ୨୦୨୬: ଦେଶର ଅନ୍ୟତମ ପ୍ରମୁଖ ନିର୍ମାଣ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ନୁଭୋକୋ ଭିଷ୍ଟାସ୍ କର୍ପୋରେସନ୍ ଲିମିଟେଡ୍ (“ନୁଭୋକୋ”), ରାଜସ୍ଥାନରେ ୪୬.୪ ମେଗାୱାଟ୍ କ୍ଷମତାସମ୍ପନ୍ନ ଏକ ପବନ-ସୌର ହାଇବ୍ରିଡ୍ ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପ ପାଇଁ ବାଣିଜ୍ୟିକ ଓ ଶିଳ୍ପ (“ସି ଆଣ୍ଡ୍ ଆଇ”) କ୍ଷେତ୍ରର ଅଗ୍ରଣୀ ସବୁଜ ଶକ୍ତି ଯୋଗାଣକାରୀ ସଂସ୍ଥା କ୍ଲିନ୍ ମ୍ୟାକ୍ସ ଏନଭାୟରୋ ଏନର୍ଜି ସଲ୍ୟୁସନ୍ସ ଲିମିଟେଡ୍ (“କ୍ଲିନମ୍ୟାକ୍ସ”) ସହିତ ସହବନ୍ଧନ କରିଛି। ଏହି ପ୍ରକଳ୍ପ ମାଧ୍ୟମରେ ନୁଭୋକୋ ନିଜର ସିମେଣ୍ଟ ଉତ୍ପାଦନ ପ୍ରକ୍ରିୟା ପାଇଁ ସ୍ୱଚ୍ଛ ବିଜୁଳି ପ୍ରାପ୍ତ କରିବ, ଯାହା କମ୍ପାନୀର ଦୀର୍ଘକାଳୀନ ନବୀକରଣଯୋଗ୍ୟ ଶକ୍ତି ବ୍ୟବହାର ଓ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ (ଡିକାର୍ବୋନାଇଜେସନ୍) ଲକ୍ଷ୍ୟକୁ ଅଧିକ ସୁଦୃଢ଼ କରିବ। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ନୁଭୋକୋର ମୋଟ ବିଜୁଳି ବ୍ୟବହାରରେ ସବୁଜ ଶକ୍ତିର ଶତକଡ଼ା ଭାଗ ବୃଦ୍ଧି କରିବା, ଯାହା ଦ୍ୱାରା ପାରମ୍ପରିକ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ଏବଂ ପରିବେଶ ପ୍ରଦୂଷଣ ହ୍ରାସ ପାଇପାରିବ।
ଏହି ସ୍ୱଚ୍ଛ ଶକ୍ତି ପ୍ରକଳ୍ପଟି ରାଜସ୍ଥାନର ଭିକମଖୋରଠାରେ ଏକ ସ୍ୱାଧୀନ ବିଜୁଳି ଉତ୍ପାଦନକାରୀ (ଆଇପିପି) ଭାବେ କ୍ଲିନମ୍ୟାକ୍ସ ଦ୍ୱାରା ପ୍ରତିଷ୍ଠା କରାଯିବ। ପ୍ରକଳ୍ପରେ ୨୦ ମେଗାୱାଟ୍ର ପବନ ଶକ୍ତି ଏବଂ ୨୬.୪ ମେଗାୱାଟ୍ (ଡିସି) ସୌର ଶକ୍ତି କ୍ଷମତା ସହିତ ୨ ମେଗାୱାଟ୍-ଘଣ୍ଟା (ଏମଡବ୍ଲୁଏଚ୍) ବିଶିଷ୍ଟ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ (ବିଇଏସଏସ) ସାମିଲ କରାଯାଇଛି। ରାଜ୍ୟ ଟ୍ରାନ୍ସମିସନ୍ ୟୁଟିଲିଟି (ଏସଟିୟୁ) ଓପନ୍ ଆକ୍ସେସ୍ ଜରିଆରେ ଏହି ପ୍ରକଳ୍ପରୁ ଉତ୍ପାଦିତ ବିଜୁଳି ନୁଭୋକୋର ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯିବ। ପ୍ରକଳ୍ପଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏଥିରୁ ବାର୍ଶିକ ପ୍ରାୟ ୧୦ କୋଟି ୟୁନିଟ୍ ସବୁଜ ବିଜୁଳି ଉତ୍ପାଦନ ହେବାର ଆଶା ରଖାଯାଇଛି, ଯାହା ବାର୍ଶିକ ପ୍ରାୟ ୧,୨୫,୪୮୫ ଟନ୍ ଅଙ୍ଗାରକାମ୍ଳ (ସ୍କୋପ୍ ୧ ଏବଂ ସ୍କୋପ୍ ୨) ନିର୍ଗମନକୁ ରୋକିବାରେ ସଫଳ ହେବ।
ନୁଭୋକୋ ନିଜର ଉତ୍ପାଦନ ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ନିର୍ଗମନ କମାଇବା ପାଇଁ ନବୀକରଣଯୋଗ୍ୟ ଶକ୍ତି, ୱେଷ୍ଟ ହିଟ୍ ରିକଭରୀ ସିଷ୍ଟମ୍ (ଡବ୍ଲୁଏଚ୍ଆରଏସ୍), ଶକ୍ତି ସଂରକ୍ଷଣ କୌଶଳ ଏବଂ ବିକଳ୍ପ ଇନ୍ଧନର ବ୍ୟବହାରକୁ ନିରନ୍ତର ପ୍ରୋତ୍ସାହିତ କରିଆସୁଛି। ଏହି ନୂତନ ହାଇବ୍ରିଡ୍ ପ୍ରକଳ୍ପ କମ୍ପାନୀର “ଡିଆଆରଇ” (ଡିଜିଟାଲାଇଜେସନ୍, ଇନୋଭେସନ୍ ଏବଂ ରିନିୱେବୁଲ୍ସ) ଯୋଜନାକୁ ଅଧିକ ବେଗବାନ୍ କରିବ। ଏହି ଯୋଜନାଟି ସମଗ୍ର କାର୍ଯ୍ୟପନ୍ଥାରେ ଜଳବାୟୁ ସୁରକ୍ଷା, ସବୁଜ ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ, ପୁନଃଚକ୍ରଣ ଏବଂ ଜୈବ ବିବିଧତା ସୁରକ୍ଷାକୁ ପ୍ରାଥମିକତା ଦେଇ ସମଗ୍ର ପ୍ରକ୍ରିୟାକୁ ଅଧିକ ଦକ୍ଷ, ସମ୍ବଳ-ସଞ୍ଚୟକାରୀ ଏବଂ ସ୍ୱଳ୍ପ-ଅଙ୍ଗାରକାମ୍ଳ ବିଶିଷ୍ଟ କରିବାରେ ସାହାଯ୍ୟ କରେ।
ଏହି ସହଭାଗୀତା ସମ୍ବନ୍ଧରେ ନୁଭୋକୋ ଭିଷ୍ଟାସ୍ କର୍ପୋରେସନ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଜୟକୁମାର କୃଷ୍ଣସ୍ୱାମୀ ମତପ୍ରକାଶ କରିଛନ୍ତି ଯେ ଏକ ସ୍ଥାୟୀ ଓ ସୁଦୃଢ଼ ଭବିଷ୍ୟତ ଆଡ଼କୁ କମ୍ପାନୀର ଅଗ୍ରଗତିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ। କ୍ଲିନମ୍ୟାକ୍ସ ସହ ଏହି ଭାଗିଦାରୀ ରାଜସ୍ଥାନରେ କମ୍ପାନୀର କାର୍ଯ୍ୟକ୍ଷେତ୍ରରେ ସବୁଜ ଶକ୍ତିର ବିନିଯୋଗ ବୃଦ୍ଧି କରିବା ସହ ଶକ୍ତି ନିରାପତ୍ତା ଆଣିବ, ଦୀର୍ଘକାଳୀନ ପରିଚାଳନା ଖର୍ଚ୍ଚ ହ୍ରାସ କରିବ ଏବଂ ପାରମ୍ପରିକ ବିଜୁଳି ଉପରେ ନିର୍ଭରଶୀଳତା କମାଇବ। ଅନ୍ୟପଟେ, କ୍ଲିନମ୍ୟାକ୍ସର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ କୁଲଦୀପ ଜୈନ କହିଛନ୍ତି ଯେ କ୍ରମାଗତ ଭାବେ ଚାଲୁଥିବା ସିମେଣ୍ଟ ପ୍ଲାଣ୍ଟଗୁଡ଼ିକ ପାଇଁ ଦୀର୍ଘମିଆଦୀ ଓ ବିଶ୍ୱସନୀୟ ସ୍ୱଚ୍ଛ ଶକ୍ତିର ଯୋଗାଣ ଅତି ଆବଶ୍ୟକ। ନୁଭୋକୋ ସହ ଏହି ଚୁକ୍ତି ଶିଳ୍ପ କ୍ଷେତ୍ରରେ ସ୍ୱଚ୍ଛ ଶକ୍ତି ଗ୍ରହଣ କରିବାର ପରିବର୍ତ୍ତନକୁ ଦର୍ଶାଉଛି ଏବଂ ଏହି ପବନ-ସୌର ହାଇବ୍ରିଡ୍ ପ୍ରକଳ୍ପ ଦୀର୍ଘକାଳୀନ ଖର୍ଚ୍ଚ ସ୍ଥିରତା ପ୍ରଦାନ କରିବା ସହିତ କମ୍ପାନୀକୁ ସ୍ୱଚ୍ଛ ଶକ୍ତି ଆଡ଼କୁ ପରିବର୍ତ୍ତିତ ହେବାରେ ସୂଚାରୁ ରୂପେ ସହାୟତା କରିବ।



