ଭୁବନେଶ୍ୱର, ୨୫ ସେପ୍ଟେମ୍ବର, ୨୦୨୬: ଭାରତୀୟ କନ୍ସ୍ୟୁମର୍ ଟେକ୍ନୋଲୋଜି ବ୍ରାଣ୍ଡ୍ ‘ମିଭି’ ଆଜି ଆନୁଷ୍ଠାନିକ ଭାବେ ନିଜର ପ୍ରଥମ ସ୍ମାର୍ଟଫୋନ୍ ‘ମିଭି ୱାନ୍ ୫ଜି’ ବଜାରପ୍ରବେଶ କରାଇଛି। “ପ୍ରିଟି ପାୱାରଫୁଲ୍” ଆଭିମୁଖ୍ୟରେ ନିର୍ମିତ ଏହି ଫୋନ୍ ଗେମିଂ, ଫଟୋଗ୍ରାଫି, ସୋସିଆଲ୍ ମିଡିଆ ଏବଂ ଦୈନନ୍ଦିନ ବ୍ୟବହାର କରୁଥିବା ଯୁବପିଢ଼ିଙ୍କ ପାଇଁ ଏକ ଦକ୍ଷ ବିକଳ୍ପ ଭାବେ ଆସିଛି। ସମଗ୍ର ଭାରତରେ ଫ୍ଲିପକାର୍ଟ ମାଧ୍ୟମରେ ୮ ଅକ୍ଟୋବର ୨୦୨୬ ମଧ୍ୟରାତ୍ରିରୁ ଏହାର ପ୍ରଥମ ବିକ୍ରି ଆରମ୍ଭ ହେବାକୁ ଯାଉଛି। ଏହି ସ୍ମାର୍ଟଫୋନ୍ଟି ନୀଳ, ଗୋଲାପୀ, ସବୁଜ, ବୁର୍ଗୁଣ୍ଡି ଏବଂ ନେଭି ନୀଳ ଭଳି ପାଞ୍ଚଟି ମନୋରମ ରଙ୍ଗରେ ଉପଲବ୍ଧ ହେବ।
ଏହି ସ୍ମାର୍ଟଫୋନ୍ ୧୨୮ ଜିବି ଷ୍ଟୋରେଜ୍ ସହ ତିନୋଟି ଭାରିଆଣ୍ଟରେ ପ୍ରସ୍ତୁତ କରାଯାଇଛି। ୪ ଜିବି ରାମ୍ ସହିତ ୧୨୮ ଜିବି ଷ୍ଟୋରେଜ୍ ଭାରିଆଣ୍ଟର ମୂଳ ମୂଲ୍ୟ ₹୧୪,୯୯୯ ରହିଥିବା ବେଳେ ବିଗ୍ ବିଲିୟନ୍ ଡେ’ ସେଲ୍ରେ ₹୧,୦୦୦ ବ୍ୟାଙ୍କ ଅଫର୍ ସହ ₹୧୧,୯୯୯ରେ ମିଳିବ। ୬ ଜିବି ରାମ୍ ସହିତ ୧୨୮ ଜିବି ଭାରିଆଣ୍ଟର ମୂଳ ମୂଲ୍ୟ ₹୧୫,୯୯୯ ରହିଥିବା ବେଳେ ₹୧,୫୦୦ ବ୍ୟାଙ୍କ ଅଫର୍ ସହ ₹୧୩,୪୯୯ରେ ମିଳିବ। ସେହିପରି ୮ ଜିବି ରାମ୍ ସହିତ ୧୨୮ ଜିବି ଭାରିଆଣ୍ଟର ମୂଳ ମୂଲ୍ୟ ₹୧୬,୯୯୯ ରହିଥିବା ବେଳେ ସେଲ୍ ସମୟରେ ₹୧,୫୦୦ ବ୍ୟାଙ୍କ ଅଫର୍ ସହ ₹୧୪,୯୯୯ ବିଶେଷ ମୂଲ୍ୟରେ ମିଳିବ। ଏହାସହ ଜିଓ ଗ୍ରାହକଙ୍କ ପାଇଁ ୧୨ ମାସ ଯାଏଁ ମାସିକ ₹୪,୦୦୦ ମୂଲ୍ୟର କ୍ୟାଶବ୍ୟାକ୍, ୧ ମାସର ହଟଷ୍ଟାର୍ ସବସ୍କ୍ରିପସନ୍, ୧୮ ମାସ ପାଇଁ ଗୁଗଲ୍ ଜେମିନି ପ୍ରୋ ସହ ୫୦୦୦ ଜିବି ଗୁଗଲ୍ ଷ୍ଟୋରେଜ୍ ଏବଂ ଅତିରିକ୍ତ ୫୦ ଜିବି ଜିଓ କ୍ଲାଉଡ୍ ଷ୍ଟୋରେଜ୍ ଅଫର୍ ଦିଆଯାଉଛି।
ଦ୍ରୁତ କାର୍ଯ୍ୟକ୍ଷମତା ପାଇଁ ଏଥିରେ ୪ ଏନ୍ଏମ୍ ପ୍ରୋସେସ୍ରେ ନିର୍ମିତ ସ୍ନାପଡ୍ରାଗନ୍ ୪ ଜେନ୍ ୨ ୫ଜି ମୋବାଇଲ୍ ପ୍ଲାଟଫର୍ମ ଦିଆଯାଇଛି, ଯାହା ପ୍ରାୟ ୪,୯୦,୦୦୦ ଆନ୍ଟୁଟୁ ସ୍କୋର୍ ପ୍ରଦାନ କରେ। ଦୀର୍ଘ ସମୟର ଚାଲିବା ପାଇଁ ୧୮ ୱାଟ୍ ଚାର୍ଜିଂ ସପୋର୍ଟ ସହ ୬୦୦୦ ଏମ୍ଏଏଚ୍ର ବ୍ୟାଟେରୀ ରହିଛି। କ୍ୟାମେରା ବିଭାଗରେ ୫୦ ଏମ୍ପି ପ୍ରାଥମିକ କ୍ୟାମେରା, ସେକେଣ୍ଡାରୀ ରିୟର କ୍ୟାମେରା ଏବଂ ୮ ଏମ୍ପି ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଫୋନ୍ରେ ୧୨୦ ହର୍ଟଜ୍ ରିଫ୍ରେଶ୍ ରେଟ୍, ୨.୫ ଡି କଭର୍ ଗ୍ଲାସ୍ ସହିତ ୬.୭୪୫-ଇଞ୍ଚ ଏଚ୍ଡି ପ୍ଲସ୍ ଇନ୍-ସେଲ୍ ଡିସପ୍ଲେ ରହିଛି। ୯.୧୫ ମିଲିମିଟର ପତଳା ଏହି ଫୋନ୍ର ଓଜନ ୨୧୦ ଗ୍ରାମ୍ ଏବଂ ଏଥିରେ ଆଲୁମିନିୟମ୍-ଟାଇଟାନିୟମ୍ ଆଲୋଏ ଫ୍ରେମ୍ ସହ ଧୂଳି ଓ ପାଣିରୁ ସୁରକ୍ଷା ପାଇଁ ଆଇପି୬୪ ରେଟିଂ ଦିଆଯାଇଛି।
ଫୋନ୍ କଲ୍ ସମୟରେ ନିର୍ଭୁଲ୍ ଶ୍ରବଣ ଅନୁଭୂତି ପାଇଁ ‘କ୍ଲିୟରଟକ୍’ ଟେକ୍ନୋଲୋଜି ରହିଛି, ଯାହା ବାହାର କୋଳାହଳକୁ କମାଇ ଆୱାଜକୁ ସ୍ପଷ୍ଟ କରେ। ସଫ୍ଟୱେର୍ କ୍ଷେତ୍ରରେ କୌଣସି ଅନାବଶ୍ୟକ ଆପ୍ସ ବିନା ପ୍ୟୁଅର୍ ଆଣ୍ଡ୍ରଏଡ୍ ୧୬ ଦିଆଯାଇଛି ଏବଂ ଆଣ୍ଡ୍ରଏଡ୍ ୧୮ ପର୍ଯ୍ୟନ୍ତ ଅପଡେଟ୍ ମିଳିବ। ଏହାସହିତ ୧ ବର୍ଷର ୱାରେଣ୍ଟି, ୫୦୦ରୁ ଅଧିକ ସର୍ଭିସ୍ ସେଣ୍ଟର, ୧୯,୦୦୦ରୁ ଅଧିକ ପିନ୍କୋଡ୍ରେ ୭-୧୦ ଦିନ ମଧ୍ୟରେ ମାଗଣା ପିକ୍-ଅପ୍ ଓ ଡ୍ରପ୍ ସୁବିଧା ଏବଂ ୭ ଦିନିଆ ସିଧାସଳଖ ଫୋନ୍ ବଦଳାଇବାର ନୀତି ଉପଲବ୍ଧ।
କମ୍ପାନୀର ସହ-ପ୍ରତିଷ୍ଠାତା ବିଶ୍ୱନାଥ କନ୍ଦୁଲା, ଚିଫ୍ ବିଜନେସ୍ ଅଫିସର ହିମାଂଶୁ ଟଣ୍ଡନ୍ ଏବଂ କ୍ୱାଲକମ୍ ଇଣ୍ଡିଆର ବିଜନେସ୍ ହେଡ୍ ସୌରଭ ଆରୋରା ଏହି ସ୍ମାର୍ଟଫୋନ୍କୁ ଭାରତୀୟ ଗ୍ରାହକଙ୍କ ଦୈନନ୍ଦିନ ଜୀବନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଅଭିହିତ କରିଛନ୍ତି। ଭାରତରେ ନିର୍ମିତ ଏହି ଫୋନ୍ ଲଞ୍ଚ୍ ସହ ମିଭି ନିଜର ଦ୍ୱିତୀୟ ଦଶକରେ ପାଦ ଥାପିଛି ଏବଂ ଆଗାମୀ ୧୨ ମାସ ମଧ୍ୟରେ ଭାରତର ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍ ହୋଇଥିବା ସ୍ମାର୍ଟଫୋନ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି।



