Homeସ୍ୱାସ୍ଥ୍ୟ ଓ ଜୀବନଚର୍ଯ୍ୟାସମ୍ ହସ୍ପିଟାଲର ଚମତ୍କାର: ଟିଏଭିଆର ବିକଳ୍ପ ଚିକିତ୍ସାରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ସ୍ୱାସ୍ଥ୍ୟ ଓ...

ସମ୍ ହସ୍ପିଟାଲର ଚମତ୍କାର: ଟିଏଭିଆର ବିକଳ୍ପ ଚିକିତ୍ସାରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ସ୍ୱାସ୍ଥ୍ୟ ଓ ଜୀବନ

ଭୁବନେଶ୍ୱର, ସେପ୍ଟେମ୍ବର ୨୮: ହୃଦ୍‌ରୋଗ ଚିକିତ୍ସା କ୍ଷେତ୍ରରେ ଅସାଧାରଣ ସଫଳତା ହାସଲ କରିଛି ସିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍। ତୀବ୍ର ହୃଦ୍‌ଯନ୍ତ୍ର ବିଫଳତାର ଶିକାର ହୋଇଥିବା ଜଣେ ୭୧ ବର୍ଷୀୟା ମହିଳାଙ୍କଠାରେ ଅତ୍ୟାଧୁନିକ ‘ଟ୍ରାନ୍ସକ୍ୟାଥେଟର ଆଓର୍ଟିକ୍ ଭାଲ୍ଭ ରିପ୍ଲେସମେଣ୍ଟ’ ପଦ୍ଧତି ଆପଣାଇ ହସ୍ପିଟାଲ୍‌ର ଏକ ବହୁବିଭାଗୀୟ ଡାକ୍ତରୀ ଟିମ୍ ସଫଳତାର ସହ ଚିକିତ୍ସା କରିଛନ୍ତି। ଯେଉଁ ଗୁରୁତର ରୋଗୀଙ୍କ ପାଇଁ ଓପନ୍ ହାର୍ଟ ସର୍ଜରୀ କରିବା ଅତି ବିପଜ୍ଜନକ ବା ଅସମ୍ଭବ, ସେମାନଙ୍କ ପାଇଁ ଏହି ସର୍ବନିମ୍ନ ଆକ୍ରମଣାତ୍ମକ ଚିକିତ୍ସା ପଦ୍ଧତି ଏକ ବରଦାନ ସାବ୍ୟସ୍ତ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମିଳା ମହାରଣା ନାମ୍ନୀ ଏହି ବୃଦ୍ଧା ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ତିନି ସପ୍ତାହ ପୂର୍ବେ ସମ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାନିରୀକ୍ଷା ପରେ ତାଙ୍କର ଆଓର୍ଟିକ୍ ଷ୍ଟେନୋସିସ୍ ବା ହୃଦୟର ମୁଖ୍ୟ ଭାଲ୍ଭ ଅତିମାତ୍ରାରେ ସଙ୍କୁଚିତ ହୋଇଯାଇଥିବା ସ୍ପଷ୍ଟ ହୋଇଥିଲା। ଏହି ଜଟିଳତା ଯୋଗୁଁ ତାଙ୍କ ହୃଦ୍‌ଯନ୍ତ୍ରର କାର୍ଯ୍ୟକ୍ଷମତା ମାତ୍ର ୨୦ରୁ ୩୦ ପ୍ରତିଶତକୁ ଖସି ଆସିଥିଲା ଏବଂ ରକ୍ତଚାପ ମଧ୍ୟ ଚିନ୍ତାଜନକ ଭାବେ କମ୍ ରହୁଥିଲା ବୋଲି ହସ୍ପିଟାଲ୍‌ର ହୃଦ୍‌ରୋଗ ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) ସୁରେଶ କୁମାର ବେହେରା ସୋମବାର କହିଛନ୍ତି।

ରୋଗୀଙ୍କ ଶାରୀରିକ ଗୁରୁତରତାକୁ ଦୃଷ୍ଟିରେ ରଖି ପରିବାରବର୍ଗଙ୍କ ସହ ବିସ୍ତୃତ ଆଲୋଚନା ପରେ ପାରମ୍ପରିକ ଓପନ୍ ହାର୍ଟ ସର୍ଜରୀ ପରିବର୍ତ୍ତେ ଟିଏଭିଆର ପ୍ରକ୍ରିୟା ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା। ବିଶ୍ୱ ହୃଦ୍ ଦିବସ ପାଳନର ପୂର୍ବସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ବେହେରା ଏହି ଜୀବନରକ୍ଷାକାରୀ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ।

ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ବିଶ୍ୱ ହୃଦ୍ ଦିବସ ପାଳିତ ହେଉଥିବା ବେଳେ ଚଳିତ ବର୍ଷର ଆଭିମୁଖ୍ୟ ‘ଡୋଣ୍ଟ ମିସ୍ ଏ ବିଟ୍’ ରହିଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୁକ୍କାୟିତ ହୃଦ୍‌ରୋଗର ଲକ୍ଷଣ ଚିହ୍ନଟ କରିବା ଓ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା। ଟିଏଭିଆର କୌଶଳ ବାବଦରେ ବ୍ୟାଖ୍ୟା କରି ହୃଦ୍‌ରୋଗ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଜ୍ଞାନ ରଞ୍ଜନ ନାୟକ କହିଛନ୍ତି ଯେ ଏଥିରେ ଛାତିରେ କୌଣସି ବଡ଼ କାଟକୁଟ ନକରି, ଜଂଘ ଧମନୀ (ଫେମୋରାଲ୍ ଆର୍ଟେରୀ) ଦେଇ ଅତି ସୂକ୍ଷ୍ମ ଭାବେ ଏକ ନୂତନ ହୃଦୟ ଭାଲ୍ଭ ସ୍ଥାପନ କରାଯାଏ।

ଏହି ସ୍ୱଚ୍ଛନ୍ଦ ଓ ସୂକ୍ଷ୍ମ ଚିକିତ୍ସା ପାଇଁ ପୂର୍ବପ୍ରସ୍ତୁତି ସ୍ୱରୂପ ସିଟି ସ୍କାନ୍ ଓ ନିର୍ଭୁଲ ଯୋଜନାର ଆବଶ୍ୟକତା ଥାଏ। ଓପନ୍ ହାର୍ଟ ସର୍ଜରୀ ତୁଳନାରେ ଏଥିରେ ବିପଦର ମାତ୍ରା ଯଥେଷ୍ଟ କମ୍ ଏବଂ ରୋଗୀ ଶୀଘ୍ର ଆରୋଗ୍ୟ ଲାଭ କରନ୍ତି। ଏହି ପଦ୍ଧତି ଯୋଗୁଁ ରୋଗୀ ଅପରେସନ୍‌ର ମାତ୍ର ୨ ରୁ ୩ ଦିନ ମଧ୍ୟରେ ନିଜେ ଚଲାବୁଲା କରିପାରିଥିଲେ ଏବଂ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି।

ବୟସ୍କ ବ୍ୟକ୍ତି, ଏକାଧିକ ରୋଗରେ ଆକ୍ରାନ୍ତ ହୋଇଥିବା ପୀଡ଼ିତ ଏବଂ ଓପନ୍ ହାର୍ଟ ସର୍ଜରୀ ପାଇଁ ଅସମର୍ଥ ରୋଗୀଙ୍କ ପାଇଁ ଟିଏଭିଆର ଏକ ଅତ୍ୟନ୍ତ ଉପଯୋଗୀ ଚିକିତ୍ସା। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏହିଭଳି ଅତି-ଜଟିଳ ଅସ୍ତ୍ରୋପଚାର ପାଇଁ ସମ୍ପୂର୍ଣ୍ଣ ପ୍ରଶିକ୍ଷିତ ତଥା ଅଭିଜ୍ଞ ବିଶେଷଜ୍ଞ ଟିମ୍ ଉପଲବ୍ଧ ଅଛନ୍ତି। ଏହି ସଫଳ ଟିମ୍‌ରେ ସିଟିଭିଏସ୍ ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) ଆଶୁତୋଷ ସାମଲ, ହୃଦ୍‌ରୋଗ ବିଭାଗ ପ୍ରଫେସର ଡାକ୍ତର ସୌମ୍ୟ ରଞ୍ଜନ ମହାପାତ୍ର, ସହକାରୀ ପ୍ରଫେସର ଡାକ୍ତର ରାଜେନ୍ଦ୍ର ଶତପଥୀ, ବରିଷ୍ଠ ଟେକ୍ନିସିଆନ୍ ତାପସ ଚୟନୀ, ନର୍ସିଂ କର୍ମଚାରୀ ଓ ଅନ୍ୟାନ୍ୟ ସହକାରୀ ସାମିଲ ଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments