Homeଶିକ୍ଷାନ୍ୟାୟିକ ହସ୍ତକ୍ଷେପ ବଦଳାଉଛି ସମାଜର ଚିନ୍ତାଧାରା: ସୋଆରେ ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର

ନ୍ୟାୟିକ ହସ୍ତକ୍ଷେପ ବଦଳାଉଛି ସମାଜର ଚିନ୍ତାଧାରା: ସୋଆରେ ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର

ଭୁବନେଶ୍ୱର, ସେପ୍ଟେମ୍ବର ୨୭: ଭାରତର ସମ୍ବିଧାନ ଓ ଆଇନ୍‌ ବ୍ୟବସ୍ଥା କେବଳ ଶାସନ ପରିଚାଳନାର ମାଧ୍ୟମ ନୁହେଁ, ବରଂ ଏହା ସମାଜକୁ ସଂସ୍କାରିତ ଓ ରୂପାନ୍ତରିତ କରିବାର ମୁଖ୍ୟ ଇଞ୍ଜିନ୍‌ ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର ବ୍ୟକ୍ତ କରିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ‘ଆଇନ୍‌ : ସାମାଜିକ ପରିବର୍ତ୍ତନ ଓ ସୁଶାସନର ଏକ ଉପକରଣ’ ଶୀର୍ଷକ ବାର୍ଷିକ ବକ୍ତୃତାମାଳାରେ ଆଇନ୍‌ କାର୍ଯ୍ୟକାରୀ ହେଲେ ସମାଜ ସ୍ୱେଚ୍ଛାକୃତ ଭାବେ ତାକୁ ଆପଣେଇ ନିଏ ବୋଲି ସେ ମତ ରଖିଛନ୍ତି।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସୋଆ ନାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’ (ଏସ୍‌ଏନ୍‌ଆଇଏଲ୍‌)ର ଡିନ୍‌ ପ୍ରଫେସର ଏସ୍‌.ଏ.କେ. ଆଜାଦ୍‌ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ। ଏଥିରେ ଆଇନ୍‌ ଓ କୃଷି ବିଜ୍ଞାନ ବିଭାଗର ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।

ସମ୍ବିଧାନ ପୂର୍ବର ସାମାଜିକ ସ୍ଥିତି ଓ ଅସ୍ପୃଶ୍ୟତା ସମ୍ପର୍କରେ କହି ଜଷ୍ଟିସ୍‌ ମିଶ୍ର ଦର୍ଶାଇଥିଲେ ଯେ, ସମ୍ବିଧାନର ଧାରା ୧୭ ମାଧ୍ୟମରେ କୁପ୍ରଥାର ବିଲୋପ ଘଟାଯାଇ ସମସ୍ତଙ୍କୁ ମନ୍ଦିର ପ୍ରବେଶ ଓ ସମାନ ଅଧିକାର ମିଳିପାରିଛି। ଗାଡ଼ି ଚଳାଇବା ବେଳେ ହେଲ୍‌ମେଟ୍‌ ଓ ସୀଟ୍‌-ବେଲ୍ଟ ପିନ୍ଧିବା ନିୟମ ଯୋଗୁଁ ଆଜି ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ ହେବା ସହ କାର୍‌ ନିର୍ମାତାମାନେ ମଧ୍ୟ ଗାଡ଼ିରେ ସୀଟ୍‌-ବେଲ୍ଟ ଯୋଗାଇବାକୁ ବାଧ୍ୟ ହୋଇଛନ୍ତି। ସେହିଭଳି ସର୍ବସାଧାରଣ ସ୍ଥାନରେ ଧୂମପାନ ଉପରେ କଟକଣା ନାଗରିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏକ ବିପ୍ଲବ ଆଣିଛି।

ସୂଚନା ଅଧିକାର ଆଇନ୍‌ (RTI Act), ତୃତୀୟ ଲିଙ୍ଗଙ୍କୁ ଆଇନ୍‌ଗତ ପରିଚୟ, ବଞ୍ଚିତ ବର୍ଗଙ୍କ ପାଇଁ ସଂରକ୍ଷଣ, ଯୌତୁକ ନିରୋଧୀ ଆଇନ୍‌, ସତୀ ପ୍ରଥା ଉଚ୍ଛେଦ, ବାଲ୍ୟବିବାହ ରୋକିବା ଓ ବିଧବା ବିବାହକୁ ସ୍ୱୀକୃତି ଦ୍ୱାରା ପୁରୁଷକେନ୍ଦ୍ରିକ ସାମାଜିକ ଚିନ୍ତାଧାରା ବଦଳିପାରିଛି।

ସମ୍ବିଧାନର ଧାରା ୨୧ କୁ ‘ସମ୍ବିଧାନର ଆତ୍ମା’ ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ, ଏହା ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନର ସହ ଜୀବନ ଜୀଇଁବାର ମୌଳିକ ଅଧିକାର ଦେଇଛି। ୧୯୯୭ର ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ‘ବିଶାଖା ମାମଲା’ ରାୟ କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷାକୁ ବାଧ୍ୟତାମୂଳକ କରିଥିଲା। ସେହିପରି ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଦୁର୍ନୀତି ନିବାରଣ ଆଇନ୍‌ ଗଣତାନ୍ତ୍ରିକ ସୁଶାସନର ମୂଳଦୁଆ ସାଜିଛି। କୃଷି ଛାତ୍ରଛାତ୍ରୀଙ୍କୁ ଚାଷୀଙ୍କ ପରି ଚିନ୍ତା କରିବାକୁ ପରାମର୍ଶ ଦେଇ ସେ କହିଥିଲେ ଯେ, ମାନବ ମନ ପାରାସୁଟ୍‌ ଭଳି ଖୋଲା ରହିଲେ ହିଁ ସଫଳ ଭାବେ କାର୍ଯ୍ୟ କରିଥାଏ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments