ଭୁବନେଶ୍ୱର, ୨୬ ସେପ୍ଟେମ୍ବର ୨୦୨୬: ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପ୍ରମୁଖ ଶିକ୍ଷାନୁଷ୍ଠାନ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ (WSC)ରେ ୨୦୨୬–୨୭ ଶିକ୍ଷାବର୍ଷ ନିମନ୍ତେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ସେପ୍ଟେମ୍ବର ୩୦ ତାରିଖ ଆବେଦନର ଶେଷ ତାରିଖ ଥିବାରୁ ବିଭିନ୍ନ ଆଧୁନିକ ତାଲିମ ପାଠ୍ୟକ୍ରମ ପାଇଁ ଯୋଗ୍ୟ ଆଶାୟୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଭୁବନେଶ୍ୱରସ୍ଥିତ କ୍ୟାମ୍ପସ ସହ ଚଳିତ ବର୍ଷଠାରୁ ସମ୍ବଲପୁର କ୍ୟାମ୍ପସରେ ମଧ୍ୟ ବିଭିନ୍ନ ବିଷୟରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି, ଯାହା ରାଜ୍ୟର ଯୁବପିଢ଼ିଙ୍କ ପାଇଁ ଦକ୍ଷତା ବୃଦ୍ଧିର ଅଧିକ ସୁଯୋଗ ସୃଷ୍ଟି କରିବ।
ଉଭୟ ଭୁବନେଶ୍ୱର ଓ ସମ୍ବଲପୁର କ୍ୟାମ୍ପସରେ ଏକବର୍ଷୀୟ ପାଠ୍ୟକ୍ରମ ପ୍ରଦାନ କରାଯାଉଥିବା ବେଳେ ଭୁବନେଶ୍ୱରସ୍ଥିତ ସ୍କୁଲ୍ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲୋଜି ଅଧୀନରେ ୬ ମାସିଆ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣ୍ଡ ମେସିନ୍ ଲର୍ଣ୍ଣିଂ’ (AI/ML) କୋର୍ସ ମଧ୍ୟ ଉପଲବ୍ଧ। ଭୁବନେଶ୍ୱରର ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଅଧୀନରେ ମେକାନିକାଲ୍ ଆଣ୍ଡ ଇଲେକ୍ଟ୍ରିକାଲ୍ ସର୍ଭିସେସ୍, ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ୍ ଟେକ୍ନୋଲୋଜି, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ, ଭର୍ଟିକାଲ ଟ୍ରାନ୍ସପୋର୍ଟେସନ, ପ୍ରିସିସନ ଇଞ୍ଜିନିୟରିଂ, ଡିଜିଟାଲ୍ ଆନିମେସନ୍ ଏବଂ ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ୍ ମ୍ୟାନେଜମେଣ୍ଟ ଭଳି କୋର୍ସ ପାଇଁ ୨ ବର୍ଷିଆ ITI କିମ୍ବା ୩ ବର୍ଷିଆ ଡିପ୍ଲୋମାଧାରୀମାନେ ଯୋଗ୍ୟ। ‘ସ୍କୁଲ ଅଫ୍ ସର୍ଭିସେସ୍’ର ‘ବ୍ୟୁଟି ଆଣ୍ଡ ୱେଲନେସ୍’ କୋର୍ସ ପାଇଁ +2, ITI କିମ୍ବା ଡିପ୍ଲୋମା ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ। ସେହିପରି ୬ ମାସିଆ AI/ML ପାଠ୍ୟକ୍ରମ ନିମନ୍ତେ B.E./B.Tech କିମ୍ବା MCA ଡିଗ୍ରୀ ଅନିବାର୍ଯ୍ୟ। ନୂତନ ସମ୍ବଲପୁର କ୍ୟାମ୍ପସରେ ବ୍ୟୁଟି ଆଣ୍ଡ ୱେଲନେସ୍, ହସ୍ପିଟାଲିଟି ଆଣ୍ଡ ହୋଟେଲ୍ ଅପରେସନ୍ସ ଏବଂ ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ୍ ମ୍ୟାନେଜମେଣ୍ଟରେ ୧ ବର୍ଷିଆ ତାଲିମ ଦିଆଯିବ।

ଏହି ବ୍ୟାଚରୁ ଓଡ଼ିଶା ବାହାରର ପ୍ରାର୍ଥୀଙ୍କ ପାଇଁ ୧୦ ପ୍ରତିଶତ ସିଟ୍ ସଂରକ୍ଷିତ ରଖାଯାଇଛି। ଗତ ୨୦୨୫–୨୬ ଶିକ୍ଷାବର୍ଷରେ ଏହି ଅନୁଷ୍ଠାନ ୯୯ ପ୍ରତିଶତ ସଫଳ ନିଯୁକ୍ତି ହାର ବଜାୟ ରଖିବା ସହ ୨୯୫ ଜଣ ପ୍ରାର୍ଥୀଙ୍କୁ ବିଶ୍ୱସ୍ତରୀୟ ସଂସ୍ଥାରେ ନିଯୁକ୍ତି ଦେବାରେ ସଫଳ ହୋଇଥିଲା। ସରକାରଙ୍କ ସମାବେଶୀ ବିକାଶ ଲକ୍ଷ୍ୟ ଅନୁଯାୟୀ ଯୋଗ୍ୟ SC, ST, OBC, SEBC ଏବଂ ସଂଖ୍ୟାଲଘୁ ବର୍ଗର ପ୍ରାର୍ଥୀମାନଙ୍କୁ ଏକବର୍ଷୀୟ ପାଠ୍ୟକ୍ରମ ସମ୍ପୂର୍ଣ୍ଣ ନିଃଶୁଳ୍କରେ ପଢ଼ାଯିବ। ନାମଲେଖା ଆବେଦନ www.worldskillcenter.org ୱେବସାଇଟ୍ ମାଧ୍ୟମରେ କରାଯାଇପାରିବ। ଅଧିକ ବିବରଣୀ ପାଇଁ ଫୋନ୍ ନମ୍ବର 0674-2580079, ଟୋଲ୍ ଫ୍ରି ନମ୍ବର 1800 266 6002 କିମ୍ବା admissions@worldskillcenter.org ଇମେଲ୍ ଜରିଆରେ ଯୋଗାଯୋଗ କରାଯାଇପାରିବ।
ସିଙ୍ଗାପୁରର ‘ITE Education Services’ ସହଯୋଗରେ ପରିଚାଳିତ ଏହି କେନ୍ଦ୍ର ଏକ ‘ଫିନିସିଙ୍ଗ ସ୍କୁଲ’ ଭାବେ ଅନ୍ତର୍ଜାତୀୟ ମାନର ଶିକ୍ଷା, ଆଧୁନିକ ଲାବୋରେଟୋରି ଓ ଯନ୍ତ୍ରପାତି ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ କ୍ଷେତ୍ର ନିମନ୍ତେ ପ୍ରସ୍ତୁତ କରୁଛି। ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ହଷ୍ଟେଲ, ଖାଦ୍ୟ, ୟୁନିଫର୍ମ ଏବଂ ଯାତାୟାତ ପାଇଁ ବସ୍ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ତାଲିମ ଶେଷରେ ପ୍ରମୁଖ ଜାତୀୟ ଓ ଆନ୍ତର୍ଜାତୀୟ ସଂସ୍ଥାରେ ନିଯୁକ୍ତିକୁ ପ୍ରାଥମିକତା ଦିଆଯାଉଛି।



