ଭୁବନେଶ୍ୱର, ସେପ୍ଟେମ୍ବର ୨୬: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ଫାର୍ମାସ୍ୟୁଟିକାଲ ସାଇନ୍ସେସ (ଏସପିଏସ) ଦ୍ୱାରା ଶୁକ୍ରବାର ଦିନ ବିଶ୍ୱ ଫାର୍ମାସିଷ୍ଟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସାଧାରଣ ଜନତାଙ୍କୁ ଔଷଧ ପ୍ରତିରୋଧକତା ବା ଆଣ୍ଟିମାଇକ୍ରୋବିଆଲ ରେଜିଷ୍ଟାନ୍ସ (ଏଏମଆର) ବିଷୟରେ ବୁଝାଇବା ଏବଂ ଆଣ୍ଟିବାୟୋଟିକର ଅନୁଚିତ ତଥା ଅପବ୍ୟବହାର ରୋକିବା ଲକ୍ଷ୍ୟରେ ଏସପିଏସର ଛାତ୍ରଛାତ୍ରୀମାନେ ଏକ ସଚେତନତା ପଦଯାତ୍ରା ସଂଘଟିତ କରିଥିଲେ। ଛାତ୍ର ସଂଯୋଜକ ଶ୍ରୀ ଦିବ୍ୟଦର୍ଶନ ଢଳ ଓ ସୁଶ୍ରୀ ସ୍ମୃତିଶ୍ରୀ ବଡଜେନାଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଅନୁଷ୍ଠିତ ଏହି ରାଲି ଶେଷରେ ଏକ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଫାର୍ମାସିଷ୍ଟଙ୍କ ଅପରିହାର୍ଯ୍ୟ ଭୂମିକା ଓ ନୈତିକ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟପଟେ ସିଡିଏସସିଓର ଡ୍ରଗ ଇନ୍ସପେକ୍ଟର ଶ୍ରୀ ମଙ୍ଗଳ ଜ୍ୟୋତି ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୋଗୀ ସୁରକ୍ଷା, ଔଷଧର ଯୁକ୍ତିଯୁକ୍ତ ବ୍ୟବହାର ଏବଂ ଜନସ୍ୱାସ୍ଥ୍ୟସେବାରେ ଫାର୍ମାସିଷ୍ଟମାନଙ୍କ ନିରନ୍ତର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ। ସ୍କୁଲ ଅଫ ଫାର୍ମାସିର ଡୀନ ପ୍ରଫେସର ଦେବଜ୍ୟୋତି ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହରେ ମାନବ କଲ୍ୟାଣ ନିମନ୍ତେ ଫାର୍ମାସି ପେଷାର ସାମାଜିକ ପ୍ରତିବଦ୍ଧତା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।
ବିଶ୍ୱ ଫାର୍ମାସିଷ୍ଟ ସପ୍ତାହ ପରିପ୍ରେକ୍ଷୀରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ପୁରସ୍କାର ତଥା ମାନପତ୍ର ପ୍ରଦାନ କରାଯାଇଥିଲା। ଆସୋସିଏଟ ପ୍ରଫେସର ଡକ୍ଟର ପ୍ରିୟବ୍ରତ ପଟ୍ଟନାୟକ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ରୁଦ୍ର ନାରାୟଣ ସାହୁ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଡକ୍ଟର ଶକ୍ତିକେତନ ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶପଥ ଗ୍ରହଣ ସମାରୋହରେ ଏସପିଏସର ଅଧ୍ୟାପକବୃନ୍ଦ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ସହ ଫାର୍ମାସି କ୍ଷେତ୍ରର ସାମାଜିକ ଦାୟିତ୍ୱବୋଧକୁ ପୁନଃ ଦୋହରାଇଥିଲେ।



