ଭୁବନେଶ୍ୱର, ୨୬ ସେପ୍ଟେମ୍ବର ୨୦୨୬: ଦେଶର ପ୍ରମୁଖ ଷ୍ଟକ୍ ଏକ୍ସଚେଞ୍ଜ ‘ଏନ୍ଏସ୍ଇ’ (ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ) ଇଲେକ୍ଟ୍ରୋନିକ୍ ଗୋଲ୍ଡ ରିସିଟ୍ (ଇଜିଆର୍)ର ପ୍ରସାର ପାଇଁ ଅଗ୍ମଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡର ସହାୟକ ସଂସ୍ଥା ‘ଅଗ୍ମଂଟ ଗୋଲ୍ଡ ଟେକ୍ ପ୍ରାଇଭେଟ ଲିମିଟେଡ’କୁ ଏକ ମୁଖ୍ୟ ଅଂଶୀଦାର ଭାବେ ଚୟନ କରିଛି। ଭାରତୀୟ ସୁନା ବଜାରକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ରଣନୈତିକ ଭାଗୀଦାରୀ ଆରମ୍ଭ କରାଯାଇଛି, ଯାହା ଇଜିଆର୍ ସୃଷ୍ଟି, ବିକ୍ରୟ ଏବଂ ସମାପ୍ତି ପ୍ରକ୍ରିୟାକୁ ବେଶ ସରଳ କରିବ। ଏହି ବୁଝାମଣା ଅନୁସାରେ, ଅଗ୍ମଣ୍ଟ ସୁନା ମୂଲ୍ୟ ଶୃଙ୍ଖଳାରେ ନିଜର ଦୀର୍ଘଦିନର ଅଭିଜ୍ଞତାକୁ ବ୍ୟବହାର କରି ଡିଜିଟାଲ ଫ୍ରେମୱର୍କକୁ ଅଧିକ ଶକ୍ତିଶାଳୀ କରିବା ସହ ଇଜିଆର୍ ପାଇଁ ଆବଶ୍ୟକୀୟ ବୈଷୟିକ ଏବଂ କ୍ଷେତ୍ରସ୍ତରୀୟ ସହାୟତା ଯୋଗାଇଦେବ। ଏହାଦ୍ୱାରା ନିୟନ୍ତ୍ରିତ ନିୟମାବଳୀ ଭିତରେ ରହି ନିବେଶକମାନେ ନିଜ ପାଖରେ ଥିବା ଫିଜିକାଲ ଗୋଲ୍ଡକୁ ଇଜିଆର୍ରେ ଏବଂ ଇଜିଆର୍କୁ ପୁନର୍ବାର ଫିଜିକାଲ ଗୋଲ୍ଡରେ ପରିଣତ କରିପାରିବେ। ଇଲେକ୍ଟ୍ରୋନିକ୍ ହୋଲ୍ଡିଂ, ଗୁଣବତ୍ତାର ସୁରକ୍ଷା ଏବଂ ସହଜ ରୂପାନ୍ତରଣ ସୁବିଧା ନିବେଶକମାନଙ୍କୁ ଆନୁଷ୍ଠାନିକ ସୁନା ବଜାର ପ୍ରତି ଆକୃଷ୍ଟ କରିବ।
ଇଜିଆର୍ ହେଉଛି ଡିମ୍ୟାଟେରିଆଲାଇଜ୍ଡ ଆକାରରେ ରହୁଥିବା ଏକ ସିକ୍ୟୁରିଟି, ଯାହା ପ୍ରକୃତ ଫିଜିକାଲ ଗୋଲ୍ଡର ମାଲିକାନାକୁ ଦର୍ଶାଇଥାଏ। ଏହି ସୁନା ସ୍ୱୀକୃତିପ୍ରାପ୍ତ ସୁରକ୍ଷିତ ଭଲ୍ଟଗୁଡ଼ିକରେ ଗ୍ରହଣ କରାଯାଇ ଡିପୋଜିଟୋରୀ ମାଧ୍ୟମରେ ଡିଜିଟାଲ୍ ଭାବେ ରଖାଯାଏ। ପ୍ରତ୍ୟେକ ଇଜିଆର୍ ପଛରେ ୧୦୦ ପ୍ରତିଶତ ଫିଜିକାଲ ଗୋଲ୍ଡର ସମର୍ଥନ ରହୁଥିବାରୁ ଏହା ଏକ୍ସଚେଞ୍ଜରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ କାରବାର ଯୋଗ୍ୟ ଅଟେ। ଏହା ଭାରତୀୟ ସୁନା କାରବାରକୁ ଦେଶର ବିଧିବଦ୍ଧ ଆର୍ଥିକ ପ୍ରଣାଳୀ ସହ ଯୋଡ଼ିବା ପାଇଁ ଏକ ବଡ଼ ମାଧ୍ୟମ ପାଲଟିଛି।
ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଏନ୍ଏସ୍ଇର ମୁଖ୍ୟ ବାଣିଜ୍ୟ ବିକାଶ ଅଧିକାରୀ ଶ୍ରୀରାମ କ୍ରିଷ୍ଣନ ପ୍ରକାଶ କରିଛନ୍ତି ଯେ, ଇଜିଆର୍ ପାଇଁ ଏକ ସୁଦୃଢ଼ ଓ ଚଳଚଞ୍ଚଳ ଇକୋସିଷ୍ଟମ ପ୍ରସ୍ତୁତ କରିବାରେ ଅଗ୍ମଂଟର ସହଯୋଗ ଅତ୍ୟନ୍ତ ପ୍ରଭାବଶାଳୀ ହେବ। ଏନ୍ଏସ୍ଇର ବୈଷୟିକ ଦକ୍ଷତା ଓ ଲିକ୍ୱିଡିଟି ସହ ଅଗ୍ମଂଟର ସୁନା ବଜାର ଅନୁଭୂତି ମିଶିବା ଦ୍ୱାରା ଇଜିଆର୍ ପ୍ରକ୍ରିୟା ଅଧିକ ସରଳ ହେବ ଏବଂ ଦେଶର କୋଣଅନୁକୋଣରେ ଥିବା ନିବେଶକଙ୍କ ପାଇଁ ସୁନାରେ ନିବେଶ ଅତି ସୁଲଭ ହୋଇପାରିବ। ସେହିପରି ଅଗ୍ମଂଟର ପୂର୍ଣ୍ଣକାଳିନ ନିର୍ଦ୍ଦେଶକ କେତନ କୋଠାରି କହିଛନ୍ତି ଯେ, ଇଜିଆର୍ ଇକୋସିଷ୍ଟମକୁ ଆଗକୁ ନେବା ପାଇଁ ଏନ୍ଏସ୍ଇ ସହ ଚୁକ୍ତିବଦ୍ଧ ହୋଇ ସେମାନେ ଉତ୍ସାହିତ। ସୁନା ବିଶୋଧନ, ସଂଗ୍ରହ ଓ ବଣ୍ଟନ କ୍ଷେତ୍ରରେ ସେମାନଙ୍କ ଦକ୍ଷତାକୁ ଏନ୍ଏସ୍ଇର ବଜାର ଭିତ୍ତିଭୂମି ସହ ଯୋଡ଼ି ନିବେଶକ ଓ ବ୍ୟବସାୟୀଙ୍କ ପାଇଁ ଫିଜିକାଲ ଓ ଡିଜିଟାଲ ସୁନା ରୂପାନ୍ତରଣକୁ ଆହୁରି ଦ୍ରୁତ, ସରଳ ଓ ସ୍ୱଚ୍ଛ କରାଯିବ।



