ଭୁବନେଶ୍ୱର, ୨୬ ସେପ୍ଟେମ୍ବର: ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ ଅବସରରେ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍) ପରିସରରେ ଶୁକ୍ରବାର ଦିନ ‘ଫାର୍ମାଭାନ୍ଟେଜ୍ 2026’ ନାମକ ଏକ ସ୍ୱତନ୍ତ୍ର ସମ୍ମିଳନୀ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। “ସୁସ୍ଥ ଭବିଷ୍ୟତ ପାଇଁ ଫାର୍ମାସିଷ୍ଟ ମାନଙ୍କୁ ସଶକ୍ତ କରିବା” ବିଷୟବସ୍ତୁକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ଚିକିତ୍ସା ବିଶେଷଜ୍ଞ, ଫାର୍ମାସିଷ୍ଟ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ସମ୍ ଅଲ୍ଟିମେଟ୍ ମେଡିକେୟାରର ଚୀଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ମେଡିକାଲ ସୁପରିନ୍ଟେଣ୍ଡେଣ୍ଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦେଇ ଆଧୁନିକ ଚିକିତ୍ସା ପ୍ରଣାଳୀରେ ଫାର୍ମାସିଷ୍ଟମାନଙ୍କର ଗୁରୁତ୍ୱପୂର୍ଣ୍ଣ ସେବା ଓ ବଦଳୁଥିବା ଦାୟିତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ।
ଏହି ସମାରୋହରେ ଫାର୍ମାସି ବିଭାଗ ମୁଖ୍ୟ ଶ୍ରୀ ଦିଲ୍ଲୀପ କୁମାର ଦାସମହାପାତ୍ର ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଫାର୍ମାସିଷ୍ଟମାନେ କେବଳ ଔଷଧ ଯୋଗାଣରେ ସୀମିତ ନୁହଁନ୍ତି, ବରଂ ରୋଗୀଙ୍କ ସୁରକ୍ଷା, ଔଷଧର ସଠିକ୍ ପ୍ରୟୋଗ ଏବଂ ଚିକିତ୍ସାର ସଫଳତା ସୁନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସେହିପରି ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା-ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ^ନାୟକ ନିଜ ବାର୍ତ୍ତାରେ ଜଣାଇଥିଲେ ଯେ ଚିକିତ୍ସା ବିଜ୍ଞାନ ଓ ଏହାର ପ୍ରଭାବଶାଳୀ ବ୍ୟବହାର ମଧ୍ୟରେ ଫାର୍ମାସିଷ୍ଟମାନେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାର୍ଯ୍ୟ କରନ୍ତି। ସେମାନଙ୍କ ଦକ୍ଷତା ଓ ପେଷାଗତ ବିକାଶ ଦ୍ୱାରା ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧିକ ସୁଦୃଢ଼ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ।
ସମ୍ ଅଲ୍ଟିମେଟ୍ ମେଡିକେୟାରର ଚୀଫ୍ ଏକ୍ସଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ନିଜ ସନ୍ଦେଶରେ ଫାର୍ମାସିଷ୍ଟମାନଙ୍କ ନିଷ୍ଠାପୂର୍ଣ୍ଣ ସେବାକୁ ଉଚ୍ଚ ପ୍ରଶଂସା କରି ସେମାନଙ୍କୁ ସ୍ୱାସ୍ଥ୍ୟସେବା ଦଳର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବର୍ଣ୍ଣନା କରିଥିଲେ। ସଠିକ୍ ସମୟରେ, ସଠିକ୍ ପଦ୍ଧତିରେ ରୋଗୀଙ୍କ ନିକଟରେ ସଠିକ୍ ଔଷଧ ପହଞ୍ଚାଇବା ସେମାନଙ୍କର ପ୍ରାଥମିକ କର୍ତ୍ତବ୍ୟ ବୋଲି ସେ ଦୋହରାଇଥିଲେ।
ଉତ୍ସବ ପରିପ୍ରେକ୍ଷୀରେ ବହୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟସେବା ଓ ସଂଗଠନ ପ୍ରତି ନିଷ୍ଠାପୂର୍ଣ୍ଣ ଅବଦାନ ପାଇଁ ଫାର୍ମାସିଷ୍ଟ ଓ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ କ୍ଲିନିକାଲ ଫାର୍ମାକୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସନ୍ତୋଷ କୁମାର ^ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଆଧୁନିକ ଚିକିତ୍ସା ସେବାରେ ଫାର୍ମାସିଷ୍ଟମାନଙ୍କ ଅପରିହାର୍ଯ୍ୟତା ଓ ସଶକ୍ତୀକରଣର ସମ୍ଭାବନାକୁ ସଫଳତାର ସହ ପ୍ରଦର୍ଶିତ କରିଛି।



