ଭୁବନେଶ୍ୱର, ୬ ଅଗଷ୍ଟ ୨୦୨୬: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ସଂଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ (ଆଇଟିଇଆର) ଅନ୍ତର୍ଗତ ଗଣିତ ବିଭାଗ ଦ୍ୱାରା ତିନିଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ‘ଇଣ୍ଟରନ୍ୟାସନାଲ୍ କନ୍ଫରେନ୍ସ ଅନ୍ କମ୍ପ୍ୟୁଟେସନାଲ୍ ମ୍ୟାଥମାଟିକ୍ସ ଫର୍ ଇଞ୍ଜିନିୟରିଂ ସାଇନ୍ସେସ୍ ଆଣ୍ଡ୍ ହେଲ୍ଥକେୟାର (ଆଇସିସିଏମ୍ଏସ୍ଏଚ୍-୨୦୨୬)’ ଗୁରୁବାର ଦିନ ଉଦ୍ଘାଟିତ ହୋଇଯାଇଛି। ଏହି ସମ୍ମିଳନୀରେ ଭାରତ ତଥା ବିଦେଶରୁ ଅନେକ ବିଶିଷ୍ଟ ଗବେଷକ, ଶିକ୍ଷାବିତ୍, ùaଜ୍ଞାନିକ ଏବଂ ଶିଳ୍ପ ବିଶାରଦମାନେ ଏକତ୍ରିତ ହୋଇ କମ୍ପ୍ୟୁଟେସନାଲ୍ ମ୍ୟାଥମାଟିକ୍ସର ବିଭିନ୍ନ ଇଞ୍ଜିନିୟରିଂ, ସ୍ୱାସ୍ଥ୍ୟସେବା ଓ ଆନ୍ତଃବିଭାଗୀୟ ସାଇନ୍ସ କ୍ଷେତ୍ରରେ ପ୍ରୟୋଗ ସଂକ୍ରାନ୍ତୀୟ ନୂତନ ଗବେଷଣା ବିଷୟରେ ଆଲୋଚନା କରୁଛନ୍ତି। ଉଦ୍ଘାଟନୀ ସେସନ୍ରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କରିଥିବା ବେଳେ ଶ୍ରୀଲଙ୍କାର ୟୁନିଭର୍ସିଟି ଅଫ୍ କଲମ୍ବୋର ସେଣ୍ଟର ଫର୍ ମ୍ୟାଥମାଟିକାଲ୍ ମଡେଲିଂର ନିର୍ଦ୍ଦେଶକ ପ୍ରଫେସର ସଞ୍ଜୀବ ପେରେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ସୋଆର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ସମ୍ମାନିତ ଅତିଥି ଭାବେ ସାମିଲ ହୋଇଥିଲେ। ଏହି ବିଶେଷ ଅବସରରେ ଆଇଟିଇଆର୍ ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଆୟୋଜକ ଅଧ୍ୟକ୍ଷା ପ୍ରଫେସର ସୁନୀତା ଚାନ୍ଦ, ଆବାହକ ପ୍ରଫେସର ମିତାଲୀ ମଧୁସ୍ମିତା ନାୟକ, ସହ-ଆବାହକ ଡଃ ସୌଭାଗ୍ୟ କୁମାର ସାହୁ ଏବଂ ଡଃ ପିନାକୀ ପ୍ରସାଦ କର ମଞ୍ଚାସୀନ ଥିଲେ।
ମୁଖ୍ୟ ଅତିଥି ପ୍ରଫେସର ସଞ୍ଜୀବ ପେରେରା ନିଜ ବକ୍ତବ୍ୟରେ ସଂକ୍ରାମକ ରୋଗର ମୁକାବିଲା ଓ ଗ୍ଲୋବାଲ୍ ସ୍ୱାସ୍ଥ୍ୟସେବାର ଚ୍ୟାଲେଞ୍ଜ କ୍ଷେତ୍ରରେ ଗାଣିତିକ ମଡେଲିଂ, କମ୍ପ୍ୟୁଟେସନାଲ୍ ମ୍ୟାଥମାଟିକ୍ସ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ପ୍ରଭାବଶାଳୀ ଯୋଗଦାନ ଉପରେ ଆଲୋକପାତ କରିଥିଲେ। ଅନ୍ୟପଟେ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରକାଶ କରିଥିଲେ ଯେ ସାମ୍ପ୍ରତିକ ଯୁଗର ଜଟିଳ ବାସ୍ତବ ସମସ୍ୟାର ସମାଧାନ ପାଇଁ କମ୍ପ୍ୟୁଟେସନାଲ୍ ସାଇନ୍ସେସ୍ର ଗୁରୁତ୍ୱ ନିରନ୍ତର ବୃଦ୍ଧି ପାଉଛି। ଗବେଷଣାର ଉଚ୍ଚ ମାନଦଣ୍ଡ ଓ ଆନ୍ତର୍ଜାତୀୟ ସହଯୋଗକୁ ସୋଆ ସଦାବେଳେ ପ୍ରାଧାନ୍ୟ ଦେଇଆସୁଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କୁ ସ୍ମାରକ ସମ୍ମାନ ପ୍ରଦାନ କରାଯିବା ସହ ସମ୍ମିଳନୀର ‘ଆବଷ୍ଟ୍ରାକ୍ଟ ବୁକ୍’ ଉନ୍ମୋଚନ କରାଯାଇଥିଲା। ଏହି ସମ୍ମିଳନୀରେ ଫ୍ରାକ୍ସନାଲ୍ କାଲ୍କୁଲସ୍ର ଆନ୍ତର୍ଜାତୀୟ ଗବେଷକ ପ୍ରଫେସର ଡୁମିତ୍ରୁ ବାଲେନୁ, ଆଇଆଇଟି ରୁରକି ଗଣିତ ବିଭାଗ ମୁଖ୍ୟ ପ୍ରଫେସର ମିଲେ ପନ୍ଥ, ଏବଂ ଆଇଆଇଟି ପାଟନାର ପ୍ରଫେସର ପ୍ରଶାନ୍ତ କୁମାର ଶ୍ରୀବାସ୍ତବଙ୍କ ପରି ବିଶିଷ୍ଟ ବ୍ୟକ୍ତିବିଶେଷ ପ୍ରମୁଖ ବକ୍ତା ଭାବେ ଅଂଶଗ୍ରହଣ କରିଛନ୍ତି।

ଏହା ସହିତ ଆଇଆଇଟି ମାନ୍ଦ୍ରାସ୍ର ଡକ୍ଟର ଆର୍ଯ୍ୟ କୁମାର ବେଦବ୍ରତ ଚାନ୍ଦ, ଆଇଆଇଟି ମଣ୍ଡିର ଡକ୍ଟର ନୀତୁ କୁମାରୀ, ଆଇଆଇଆଇଏସ୍ଟି ଶିବପୁରର ଡକ୍ଟର ବାସ୍କର ଘୋଷ, ସିମ୍ବାୟୋସିସ୍ ପୁଣେର ଡକ୍ଟର ଜିତେନ୍ଦ୍ର କୌଶିକ, ଆଇଆଇଟି ରୂପାରର ପ୍ରଫେସର ଏସ୍. ସି. ମାର୍ଥା, ଆଇଆଇଟି ଇନ୍ଦୋରର ପ୍ରଫେସର ଏମ୍. ତନବୀର ଏବଂ ଆଇଆଇଟି ଗୌହାଟୀର ଡକ୍ଟର ରବୀନ୍ଦ୍ର ଝା ବିଭିନ୍ନ ବୈଷୟିକ ଅଧିବେଶନରେ ବ୍ୟାଖ୍ୟାନ ପ୍ରଦାନ କରିବେ। ଏହି ସେସନ୍ଗୁଡ଼ିକରେ ଏଆଇ, ଅପ୍ଟିମାଇଜେସନ୍, ଡାଟା-ଡ୍ରିଭେନ୍ ରିସର୍ଚ୍ଚ, ଇଞ୍ଜିନିୟରିଂ ଏବଂ ହେଲ୍ଥକେୟାର ସମ୍ପର୍କିତ ଗାଣିତିକ ପ୍ରୟୋଗ ଉପରେ ଦିଗ୍ଦର୍ଶନ ମିଳିବ। ତିନିଦିନିଆ ଏହି କନ୍ଫରେନ୍ସରେ କି-ନୋଟ୍ ଆଡ୍ରେସ୍, ବୈଷୟିକ ଗବେଷଣାପତ୍ର ଉପସ୍ଥାପନା ଓ ଆକାଡେମିକ୍ ଆଲୋଚନା ଅନୁଷ୍ଠିତ ହେଉଛି। ଦେଶ-ବିଦେଶର ବହୁସଂଖ୍ୟାକ ଗବେଷକ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀଙ୍କ ଯୋଗଦାନ ଏହି ଆନ୍ତର୍ଜାତୀୟ ଜ୍ଞାନ ବିନିମୟ ମଞ୍ଚକୁ ଅଧିକ ସମୃଦ୍ଧ କରିଛି।



