ଭୁବନେଶ୍ୱର, ଅଗଷ୍ଟ ୬: କୃଷି ଗବେଷଣାର ଆଧୁନିକ ସଫଳତାକୁ ସିଧାସଳଖ ଚାଷୀଙ୍କ ଜମିରେ ପହଞ୍ଚାଇବା ସହ ସ୍ଥାୟୀ ଓ ପରିବେଶ ଅନୁକୂଳ ଚାଷ ପ୍ରଣାଳୀକୁ ବ୍ୟାପକ କରିବା ଲକ୍ଷ୍ୟରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ‘ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି’ (ଆର୍ଡବ୍ଲ୍ୟୁଇ) କାର୍ଯ୍ୟକ୍ରମ ଅଧୀନରେ ୧୬ଟି କୃଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜୁଲାଇ ୩୦ରୁ ଅଗଷ୍ଟ ୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ୧୧ଟି ପୋଷ୍ୟ ଗ୍ରାମ ଝିଣ୍ଟିଶାସନ, ପାଣିକୋଟା, ବୁଢ଼ୀପଡ଼ା, କୁଜିମହଲ, ସିଙ୍ଗିରିଶାସନ, ପୁରୁଣା ପ୍ରଧାନ, ଛତାବର, ଭୋଳା, ବରୁଦାଖାନା, ମେଣ୍ଢାଶାଳ ଓ ପୁରୋହିତପୁରକୁ ସାମିଲ କରାଯାଇଥିଲା। କୃଷି ଶିକ୍ଷା ଓ ଗ୍ରାମୀଣ ସମାଜ ମଧ୍ୟରେ ସମ୍ପର୍କକୁ ନିବିଡ଼ କରିବା ଏବଂ ଚାଷୀଙ୍କ ନିକଟରେ ବୈଜ୍ଞାନିକ ଜ୍ଞାନକୌଶଳ ପହଞ୍ଚାଇବା ଏହି କାର୍ଯ୍ୟକ୍ରମଗୁଡ଼ିକର ମୂଳ ଉଦ୍ଦେଶ୍ୟ ଥିଲା।
ସମ୍ପ୍ରତି କୃଷି କ୍ଷେତ୍ରରେ ଦେଖାଦେଉଥିବା ମୁଖ୍ୟ ଆହ୍ୱାନ ଯେପରିକି ବୃଦ୍ଧିପାଉଥିବା ଉତ୍ପାଦନ ଖର୍ଚ୍ଚ, ଜଳବାୟୁ ପରିବର୍ତ୍ତନ, ମାଟିର ହ୍ରାସପାଉଥିବା ଉର୍ବରତା, ଜଳ ସଙ୍କଟ ଏବଂ ରୋଗ-ପୋକର ପ୍ରକୋପକୁ ଆଖିଆଗରେ ରଖି ସ୍ଥାନୀୟ ଚାଷୀଙ୍କ ଆବଶ୍ୟକତା ଓ ଉପଲବ୍ଧ ସମ୍ବଳ ଅନୁସାରେ ସଚେତନତା ବିଷୟବସ୍ତୁ ନିର୍ଦ୍ଧାରିତ ହୋଇଥିଲା। ଏଥିରେ ପାରମ୍ପରିକ ଶୈଳୀ ବଦଳରେ କୃଷକଙ୍କ ସିଧାସଳଖ ଭାଗିଦାରୀକୁ ଗୁରୁତ୍ୱ ଦିଆଯାଇଥିଲା। ଆଇଏଏସ୍ର କୃଷି ସ୍ନାତକ ଛାତ୍ରଛାତ୍ରୀମାନେ ଗ୍ରାମଗୁଡ଼ିକରେ ସଚେତନତା ରାଲି, ପ୍ଲାକାର୍ଡ, ସ୍ଲୋଗାନ, ବାଟନାଟକ, ମାଧ୍ୟମରେ ସରଳ ଭାଷାରେ ବୈଜ୍ଞାନିକ ତଥ୍ୟ ପ୍ରଦାନ କରିବା ସହ ଘରକୁ ଘର ବୁଲି ମତ ବିନିମୟ କରିଥିଲେ। ଏହାଦ୍ୱାରା ଚାଷୀମାନେ ନୂତନ ପ୍ରଯୁକ୍ତି ସମ୍ପର୍କରେ ସଚେତନ ହୋଇପାରିଥିବା ବେଳେ ଛାତ୍ରଛାତ୍ରୀମାନେ ଗ୍ରାମୀଣ କୃଷିର ବାସ୍ତବ ସମସ୍ୟା ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଛନ୍ତି।
ଏହି ସମସ୍ତ ଶିବିରରେ କୃଷକ, ମହିଳା ଚାଷୀ, ଗ୍ରାମୀଣ ଯୁବକଯୁବତୀ ଓ କୃଷି ଉଦ୍ୟୋଗୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଆଲୋଚନା ଓ ପ୍ରଶ୍ନୋତ୍ତର ଅଧିବେଶନ ଜରିଆରେ ଚାଷୀମାନେ ନିଜ ନିଜ ଜମିର ସମସ୍ୟା ପାଇଁ ବୈଜ୍ଞାନିକ ସମାଧାନର ପରାମର୍ଶ ପାଇଥିଲେ। ଆର୍ଡବ୍ଲ୍ୟୁଇ କମିଟିର ଅଧ୍ୟାପକମାନଙ୍କ ମାର୍ଗଦର୍ଶନରେ କୀଟନାଶକର ସୁରକ୍ଷିତ ବ୍ୟବହାର, ସମନ୍ୱିତ କୀଟ ପରିଚାଳନା (ଆଇପିଏମ୍), ସମନ୍ୱିତ ପୋଷକ ପରିଚାଳନା (ଆଇଏନ୍ଏମ୍), ସନ୍ତୁଳିତ ସାର ପ୍ରୟୋଗ, ବୈଜ୍ଞାନିକ ଆଗାଛା ନିୟନ୍ତ୍ରଣ, ମୃତ୍ତିକା ସ୍ୱାସ୍ଥ୍ୟ, ବର୍ଷାଜଳ ଅମଳ, ଫସଲ ବିବିଧୀକରଣ, ଡିଜିଟାଲ୍ କୃଷି, ମୋବାଇଲ୍ ଆଧାରିତ ପରାମର୍ଶ, ପରାଗସଂଗମକ ପୋକଙ୍କ ସଂରକ୍ଷଣ, ପାର୍ଥେନିୟମ୍ ଦମନ, ପନିପରିବା ଓ ଫଳର ပୌଷ୍ଟିକତା, ସୁରକ୍ଷିତ କୃଷି ରସାୟନ ବ୍ୟବହାର ଏବଂ ସରକାରୀ ଯୋଜନା ବିଷୟରେ ଆଲୋକପାତ କରାଯାଇଥିଲା। ଏହାସହିତ କମ୍ ଖର୍ଚ୍ଚରେ ଅଧିକ ଅମଳ ଦେଉଥିବା ଜଳବାୟୁ ଅନୁକୂଳ ପ୍ରଯୁକ୍ତି ଆପଣାଇବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।
ସୋଆ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କହିଛନ୍ତି ଯେ କୃଷି ଗବେଷଣାର ବାସ୍ତବ ସଫଳତା ସେତେବେଳେ ପ୍ରମାଣିତ ହୁଏ, ଯେତେବେଳେ ତାହା ଚାଷୀଙ୍କ ଖେତରେ ପହଞ୍ଚି ସେମାନଙ୍କ ଜୀବନମାନରେ ପରିବର୍ତ୍ତନ ଆଣିପାରେ। ଚାଷୀଙ୍କ ଜୀବିକାର ବିକାଶ, ଖାଦ୍ୟ ଓ ପୁଷ୍ଟି ସୁରକ୍ଷା ଏବଂ ସ୍ଥାୟୀ କୃଷି ପାଇଁ ଶିକ୍ଷା, ଗବେଷଣା ଓ ପ୍ରସାରକୁ ସମନ୍ୱିତ ଭାବେ ଆଗେଇ ନେବାକୁ ସୋଆ ସଦାସର୍ବଦା ପରିକରବଦ୍ଧ। ଅପରପକ୍ଷରେ ଆର୍ଡବ୍ଲ୍ୟୁଇ କମିଟିର ଅଧ୍ୟକ୍ଷ ଡଃ ଅଂଶୁମାନ ଜେନା ପ୍ରକାଶ କରିଛନ୍ତି ଯେ ସ୍ଥାନୀୟ କୃଷକଙ୍କ ଆବଶ୍ୟକତାକୁ ନଜରରେ ରଖି ପ୍ରତ୍ୟେକ ଶିବିର ଯୋଜନା କରାଯାଇଥିଲା, ଯାହାଦ୍ୱାରା ବୈଜ୍ଞାନିକ ପରାମର୍ଶ ସେମାନଙ୍କୁ ବ୍ୟାବହାରିକ ସମାଧାନ ଦେଇପାରିବ। କେବଳ ଶିକ୍ଷାଦାନରେ ସୀମିତ ନରହି ପ୍ରଯୁକ୍ତି ହସ୍ତାନ୍ତର ଓ କ୍ଷେତ୍ରସ୍ତରୀୟ ସମ୍ପ୍ରସାରଣ ମାଧ୍ୟମରେ କୃଷକ ସମାଜକୁ ସଶକ୍ତ କରିବା ପାଇଁ ଅନୁଷ୍ଠାନ ନିରନ୍ତର ପ୍ରୟାସରତ।



