Homeବାଣିଜ୍ୟଭୁବନେଶ୍ୱରରେ ‘ଇ୩’ ସମ୍ମିଳନୀ: ୨୦୩୦ ସୁଦ୍ଧା ୧୦ ଗିଗାୱାଟ୍ ସ୍ୱଚ୍ଛ ଶକ୍ତି ଉତ୍ପାଦନ ନେଇ ଓଡ଼ିଶାର...

ଭୁବନେଶ୍ୱରରେ ‘ଇ୩’ ସମ୍ମିଳନୀ: ୨୦୩୦ ସୁଦ୍ଧା ୧୦ ଗିଗାୱାଟ୍ ସ୍ୱଚ୍ଛ ଶକ୍ତି ଉତ୍ପାଦନ ନେଇ ଓଡ଼ିଶାର ରୋଡମ୍ୟାପ୍

ଭୁବନେଶ୍ୱର, ଅଗଷ୍ଟ ୦୫, ୨୦୨୬: ପୂର୍ବ ଭାରତରେ ବିଦ୍ୟୁତ୍ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଇଣ୍ଡିଆନ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ମାନୁଫାକଚର୍ସ ଆସୋସିଏସନ୍ (ଆଇଇଇଏମଏ) ପକ୍ଷରୁ ଭୁବନେଶ୍ୱରସ୍ଥିତ ମେ’ଫେୟାର କନଭେନସନଠାରେ ‘ଇ୩: ଏନର୍ଜାଇଜ୍, ଏମପାୱାର୍, ଇଷ୍ଟ’ର ୫ମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ‘ଅନଫୋଲ୍ଡିଂ ଦ ଅନଏକ୍ସପ୍ଲୋର୍ଡ – ହ୍ୱେୟାର ନିଡ୍ ମିଟ୍ସ ସଲୁସନ’ ଶୀର୍ଷକ ମୂଳ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ପ୍ରଦର୍ଶନୀ ପ୍ରଥମ ଥର ପାଇଁ ଓଡ଼ିଶା ମାଟିରେ ପାଦ ଥାପିଛି। ଏହି ସମାରୋହରେ ଶିଳ୍ପ ନୀତି ନିର୍ଦ୍ଧାରକ, ଉତ୍ପାଦନକାରୀ, ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ, ଆର୍ଥିକ ଅନୁଷ୍ଠାନ ଏବଂ ଉତ୍ତରାଞ୍ଚଳ ରାଜ୍ୟ ସରକାରଗୁଡ଼ିକର ପ୍ରତିନିଧିମାନେ ଯୋଗଦେଇ ଆଞ୍ଚଳିକ ପୁଞ୍ଜିନିବେଶ ସମ୍ଭାବନା, କ୍ୟାପେକ୍ସ ଆଉଟଲୁକ୍ ଏବଂ ଏସଏମଇ କ୍ଷେତ୍ରର ସମ୍ପ୍ରସାରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ଅଞ୍ଚଳରେ ନୂତନ ନିବେଶ ଆକୃଷ୍ଟ କରିବା ପାଇଁ ଓଡ଼ିଶା ସରକାର ଓ ଆଇଇଇଏମଏ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ସୁବର୍ଣ୍ଣ କାର୍ଯ୍ୟକ୍ରମକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ କେନ୍ଦ୍ର ବିଦ୍ୟୁତ୍ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ଘନଶ୍ୟାମ ପ୍ରସାଦ ଯୁଗ୍ମ ଭାବେ ଉଦଘାଟନ କରିଥିଲେ।

ଉଦଘାଟନୀ ଭାଷଣରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରକାଶ କରିଛନ୍ତି ଯେ ଓଡ଼ିଶା ବର୍ତ୍ତମାନ ପାରମ୍ପରିକ ବିଦ୍ୟୁତ୍‌ରୁ ଆଗକୁ ବଢ଼ି କ୍ଲିନ୍ ପାୱାର, ଗ୍ରୀନ୍ ଫୁଏଲ ଏବଂ କମ୍ କାର୍ବନଯୁକ୍ତ ଶିଳ୍ପର ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଉଛି। ରାଜ୍ୟର ୫୭୫ କିଲୋମିଟର ଉପକୂଳ, ଦକ୍ଷ କର୍ମଚାରୀ ଓ ବିସ୍ତୃତ ଭିତ୍ତିଭୂମିକୁ ନେଇ ଅକ୍ଷୟ ଶକ୍ତି ନୀତି ବଳରେ ୨୦୩୦ ସୁଦ୍ଧା ସୌର, ପବନ, ଜଳବିଦ୍ୟୁତ୍ ଓ ଷ୍ଟୋରେଜ୍ ପ୍ରକଳ୍ପରୁ ୧୦ ଗିଗାୱାଟରୁ ଅଧିକ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ସ୍ଥିର କରାଯାଇଛି।

ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବୈଦ୍ୟୁତିକ ସରଞ୍ଜାମ ଉତ୍ପାଦନ କ୍ଲଷ୍ଟର, ପରୀକ୍ଷଣ ଲ୍ୟାବ୍, ଏକ୍ସଲେନ୍ସ ସେଣ୍ଟର ଏବଂ ଦୃଢ଼ ଏମଏସଏମଇ ଇକୋସିଷ୍ଟମ ଗଢ଼ିତୋଳିବା ପାଇଁ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ସମ୍ପର୍କରେ ଆଲୋକପାତ କରିବା ସହ ଆଇଇଇଏମଏ ସହ ମିଳିତ ଭାବେ ଉତ୍ପାଦନ ଓ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ନେବାକୁ ଆହ୍ୱାନ ଦେଇଛନ୍ତି।

ସେହିପରି କେନ୍ଦ୍ର ବିଦ୍ୟୁତ୍ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ଘନଶ୍ୟାମ ପ୍ରସାଦ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ବିଦ୍ୟୁତ୍ ଉତ୍ପାଦକ ଭାବେ ବ୍ୟାଖ୍ୟା କରି ପୂର୍ବ ଭାରତରେ ଗ୍ରୀନ୍ ହାଇଡ୍ରୋଜେନ, ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ଓ ଟ୍ରାନ୍ସମିସନ କ୍ଷେତ୍ରରେ ଥିବା ବ୍ୟାପକ ସୁଯୋଗ ବିଷୟରେ କହିଛନ୍ତି। ‘ମେକ୍ ଇନ୍ ଇଣ୍ଡିଆ’ ପ୍ରୟାସ ଏହି କ୍ଷେତ୍ରକୁ ସୁଦୃଢ଼ ପଥ ପ୍ରଦାନ କରୁଛି।

ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଦର୍ଶାଇଛନ୍ତି ଯେ ରାଜ୍ୟରେ ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ କାର୍ଯ୍ୟକାରୀ ହେଉଥିବାରୁ ଟ୍ରାନ୍ସଫର୍ମର, କେବୁଲ, ସୁଇଚଗିଅର ଓ ଅଟୋମେସନ ସିଷ୍ଟମର ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଉଛି।

ଆଇଇଇଏମଏ ସଭାପତି ଶ୍ରୀ ବିକ୍ରମ ଗାଣ୍ଡୋତ୍ରା ଆଇଆଇପି ତଥ୍ୟ ଆଧାରରେ ବୈଦ୍ୟୁତିକ ସରଞ୍ଜାମ ଉତ୍ପାଦନରେ ୩୪% ବୃଦ୍ଧି ଘଟିଥିବା ପ୍ରକାଶ କରିଥିବା ବେଳେ ପୂର୍ବାଞ୍ଚଳ ଅଧ୍ୟକ୍ଷ ଶ୍ରୀ ଉତ୍କର୍ଷ ବଂଶଲ ସ୍ମାର୍ଟ ପ୍ରଯୁକ୍ତି ଓ ଶକ୍ତି-ଦକ୍ଷ ସମାଧାନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। ‘ଇ୩ ୨୦୨୬’ ଆଞ୍ଚଳିକ ସମସ୍ୟାର ସମାଧାନ କରି ଭାରତର ଉତ୍ପାଦନ କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବାକୁ ଲକ୍ଷ୍ୟ ରଖିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments