ଭୁବନେଶ୍ୱର, ଅଗଷ୍ଟ ୫: କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଆଧୁନିକ କୃଷି ପଦ୍ଧତି ଏବଂ ଯୁବଶକ୍ତିର ସଠିକ୍ ଉପଯୋଗ ଦ୍ୱାରା ୨୦୪୭ ସୁଦ୍ଧା ଓଡ଼ିଶା ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ଛୁଇଁପାରିବ ବୋଲି ଆଇସିଏଆରର ପ୍ରାକ୍ତନ ଉପ-ନିର୍ଦ୍ଦେଶକ ଡକ୍ଟର ପୁରଞ୍ଜନ ଦାସ ମତ ଦେଇଛନ୍ତି। ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍) ଦ୍ୱାରା ଆୟୋଜିତ “ଗ୍ଲୋବାଲ୍ ଲେକ୍ଚର ସିରିଜ୍”ର ବିଶେଷ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହି ଆହ୍ୱାନ ଦେଇଛନ୍ତି।
ସୋମବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର ଦାସ କହିଥିଲେ ଯେ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ବିକଶିତ ଓଡ଼ିଶା ଗଠନ ଜରୁରୀ। ଏଥିପାଇଁ ରାଜ୍ୟର ବିପୁଳ ଖଣିଜ ସମ୍ପଦର ସୁଚିନ୍ତିତ ବିନିଯୋଗ, ଖାଦ୍ୟଶସ୍ୟ ଉତ୍ପାଦନରେ ବୈଜ୍ଞାନିକ ପ୍ରଣାଳୀ ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ସେ ଛାତ୍ରଛାତ୍ରୀମାନଙ୍କୁ କୃଷକ ଓ ସମାଜର କଲ୍ୟାଣ ନିମନ୍ତେ ଉଦ୍ୟମିତା ଆପଣାଇବାକୁ ପରାମର୍ଶ ଦେଇଥିଲେ। ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଆଲୋଚନାକୁ ପ୍ରେରଣାଦାୟୀ ବୋଲି ବର୍ଣ୍ଣନା କରିବା ସହ ଏହା ଶିକ୍ଷାର୍ଥୀଙ୍କ ମଧ୍ୟରେ ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣର ଭାବନା ଜାଗ୍ରତ କରିବ ବୋଲି ପ୍ରକାଶ କରିଥିଲେ।
ଏହି ସମାରୋହରେ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ସରୋଜ କୁମାର ମହାନ୍ତି, ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ, ଅଂଶୁମାନ ଜେନା, ରାଜୀବ କୁମାର ବେହେରା ଓ ପ୍ରଫେସର ବିବୁଧ ପରାଶର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ସୋଆ ପକ୍ଷରୁ ଡକ୍ଟର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଗବେଷକ ଓ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।



