ନୂଆଦିଲ୍ଲୀ, ୫ ଅଗଷ୍ଟ ୨୦୨୬: ଦେଶର ବଦଳୁଥିବା ଅର୍ଥନୈତିକ ପରିଦୃଶ୍ୟ ମଧ୍ୟରେ ଭାରତୀୟ ସୁନା କ୍ଷେତ୍ରର ସମ୍ପୂର୍ଣ୍ଣ କ୍ଷମତାକୁ ଉନ୍ମୋଚନ କରିବା ପାଇଁ ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲ୍ ‘ସ୍ୱର୍ଣ୍ଣିମ ଉଡାନ୍ ୨୦୪୭: ଅନ୍ଲକିଂ ଦ ଫୁଲ୍ ପୋଟେନ୍ସିଆଲ୍ ଅଫ୍ ଗୋଲ୍ଡ ଟୁୱାର୍ଡସ ବିକଶିତ ଭାରତ ୨୦୪୭’ ଶୀର୍ଷକ ଏକ ଯୁଗାନ୍ତକାରୀ ଭିଜନ୍ ଡକ୍ୟୁମେଣ୍ଟ୍ ଉନ୍ମୋଚନ କରିଛି। ମନିଟର ଡିଲଏଟ୍କୁ ନଲେଜ୍ ପାର୍ଟନର ଭାବେ ନେଇ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟ, ୨୦୪୭ ସୁଦ୍ଧା ଭାରତକୁ ୩୦ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟରେ ସୁନାକୁ ଏକ ପାରମ୍ପରିକ ଅଳଙ୍କାର କିମ୍ବା ନିଷ୍କ୍ରିୟ ସମ୍ପତ୍ତି ବଦଳରେ ରଣନୈତିକ ଜାତୀୟ ଆସେଟ୍ ଭାବେ ସ୍ଥାପିତ କରିଛି। ଏହାଦ୍ୱାରା ଆର୍ଥିକ ସ୍ଥିରତା, ରପ୍ତାନି, ଦାୟିତ୍ୱପୂର୍ଣ୍ଣ ମୂଲ୍ୟ ସୃଷ୍ଟି, ଉଦ୍ଭାବନ ଏବଂ ହାଇଟେକ୍ ଉତ୍ପାଦନ କ୍ଷେତ୍ରଗୁଡ଼ିକ ଅଧିକ ମଜବୁତ ହୋଇପାରିବ।
ଏହି ସ୍ୱର୍ଣ୍ଣିମ ଉଡାନ୍ ୨୦୪୭ ରୋଡମ୍ୟାପ୍ ସମ୍ପର୍କରେ ଡବ୍ଲୁଜିସିର ସିଇଓ ଡେଭିଡ୍ ଟେଟ୍ କହିଛନ୍ତି ଯେ ବିଶ୍ୱର ଗୋଲ୍ଡ ଇକୋସିଷ୍ଟମରେ ଭାରତ କେନ୍ଦ୍ରବିନ୍ଦୁ ସାଜିଛି। ସୁନାର ମହତ୍ତ୍ୱ କେବଳ ଗହଣା କିମ୍ବା ସଞ୍ଚୟରେ ସୀମିତ ନୁହେଁ, ବରଂ ଶିଳ୍ପ ଉଦ୍ଭାବନ, ଆର୍ଥିକ ସ୍ଥିରତା ଓ ଜାତୀୟ ଅର୍ଥନୈତିକ ସୁରକ୍ଷା ପାଇଁ ଏହା ଅତି ଜରୁରୀ। ଏହି ଭିଜନ୍ ଡକ୍ୟୁମେଣ୍ଟ୍ ଦେଶର ସୁନା ବଜାରକୁ ଆଧୁନିକୀକରଣ କରିବା, ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଏବଂ ଦୀର୍ଘକାଳୀନ ବିକାଶରେ ଯୋଗଦାନ ପାଇଁ ସ୍ପଷ୍ଟ ଦିଗଦର୍ଶନ ଦେଉଛି। ଡବ୍ଲୁଜିସି ଇଣ୍ଡିଆର ଆଞ୍ଚଳିକ ସିଇଓ ସଚିନ ଜୈନ ପ୍ରକାଶ କରିଛନ୍ତି ଯେ ଭାରତର ସଂସ୍କୃତି ଓ ଅର୍ଥନୀତି ସହ ସୁନା ଓତପ୍ରୋତ ଭାବେ ଜଡ଼ିତ। ଖନନ, ରିସାଇକ୍ଲିଂ, ରପ୍ତାନି ଓ ଆର୍ଥିକୀକରଣ କ୍ଷେତ୍ରରେ ନୂତନ ସଂସ୍କାର ଆଣି ଭାରତର ‘ସୋନେକି ଚିଡ଼ିୟା’ ଗୌରବକୁ ପୁନଃପ୍ରତିଷ୍ଠିତ କରାଯାଇପାରିବ। ସେହିପରି ମନିଟର ଡିଲଏଟ୍ ସାଉଥ୍ ଏସିଆର ପାର୍ଟନର ହର୍ଷ କପୁରଙ୍କ ମତରେ, ଏହି ରୋଡମ୍ୟାପ୍ ନୀତିଗତ ସୁଧାର, ଆନୁଷ୍ଠାନିକ ସହଭାଗିତା ଏବଂ ଉଦ୍ଭାବନକୁ ଏକତ୍ରିତ କରି ଦେଶର ଭବିଷ୍ୟତ ଅର୍ଥନୀତି ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ।
ରିପୋର୍ଟରେ ଭାରତୀୟ ସୁନା ଶିଳ୍ପକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗୀ ପରିଣତ କରିବା ପାଇଁ ୫ଟି ମୁଖ୍ୟ ସ୍ତମ୍ଭ ଦର୍ଶାଯାଇଛି:
୧. ‘ମାଇନ୍ ଇନ୍ ଇଣ୍ଡିଆ’ ପ୍ରୋତ୍ସାହନ: ଏମଏମଡିଆର ଆଇନ ଅଧୀନରେ ସୁନାକୁ ‘ରଣନୈତିକ ଖଣିଜ’ ମାନ୍ୟତା ଦେବା, ଉନ୍ନତ ଭୂତାତ୍ୱିକ ତଥ୍ୟ, ଅନ୍ୱେଷଣ ପ୍ରୋତ୍ସାହନ ଓ ନୂତନ ଟେକ୍ନୋଲୋଜି ମାଧ୍ୟମରେ ୨୦୪୭ ସୁଦ୍ଧା ଘରୋଇ ମାଇନିଂ ଜରିଆରେ ଦେଶର ୧୦-୧୫% ସୁନା ଚାହିଦା ପୂରଣ କରିବା।
୨. ବିଶ୍ୱ ବଜାରରେ ଭାରତୀୟ ଅଳଙ୍କାର: ‘ମେଡ୍ ଇନ୍ ଇଣ୍ଡିଆ’ ବ୍ରାଣ୍ଡିଂ, ‘କାରିଗର କନେକ୍ଟ’ କାର୍ଯ୍ୟକ୍ରମ, ଗୋଲ୍ଡ ଜୁଏଲାରୀ ଟେକ୍ନୋଲୋଜି ଅପଗ୍ରେଡେସନ୍ ଫଣ୍ଡ ଏବଂ ‘ଇଣ୍ଡିଆ ଗୋଲ୍ଡ ଫ୍ୟାଶନ ୱିକ୍’ ପରି ଗ୍ଲୋବାଲ ମଞ୍ଚ ଜରିଆରେ ୨୦୪୭ ସୁଦ୍ଧା ଭାରତକୁ ବିଶ୍ୱର ନମ୍ବର-୧ ସୁନା ଅଳଙ୍କାର ରପ୍ତାନିକାରୀ ଦେଶରେ ପରିଣତ କରିବା।
୩. ସୁନାର ଆର୍ଥିକୀକରଣ: ବର୍ତ୍ତମାନ ଭାରତୀୟ ପରିବାରଗୁଡ଼ିକ ପାଖରେ ୩୧,୦୦୦ ଟନ୍ ନିଷ୍କ୍ରିୟ ସୁନା ରହିଛି, ଯାହାର ମୂଲ୍ୟ ପ୍ରାୟ ୩୧୪.୯ ଲକ୍ଷ କୋଟି ଟଙ୍କା (୩.୪ ଟ୍ରିଲିୟନ ଡଲାର)। ଏହି ଗଚ୍ଛିତ ସୁନାର ମାତ୍ର ୧% ପ୍ରତିବର୍ଷ ମୁଦ୍ରୀକରଣ କରାଗଲେ ବାର୍ଷିକ ପ୍ରାୟ ୩.୧ ଲକ୍ଷ କୋଟି ଟଙ୍କାର ($୩.୪ ବିଲିୟନ) ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବ।
୪. ନୂତନ ପିଢ଼ି ପାଇଁ ଅଳଙ୍କାରର ପୁନଃପରିକଳ୍ପନା: ଦେଶର ୩୮୦ ମିଲିୟନରୁ ଅଧିକ ଜେନ୍ ଜି ଗ୍ରାହକଙ୍କ ପାଇଁ ଫିଜିଟାଲ୍ ରିଟେଲ୍, ଆଧୁନିକ ଡିଜାଇନ୍, ହଲ୍ମାର୍କିଂ ଓ ଟ୍ରେସେବିଲିଟି ଜରିଆରେ ସୁନା ଅଳଙ୍କାର ଶିଳ୍ପକୁ ଅଧିକ ଆକର୍ଷଣୀୟ କରିବା।
୫. ରଣନୈତିକ ଉଦ୍ଦେଶ୍ୟରେ ସୁନାର ବ୍ୟବହାର: ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ବାୟୋଟେକ୍ନୋଲୋଜି, ଏରୋସ୍ପେସ, AI ଓ କ୍ୱାଣ୍ଟମ ଟେକ୍ନୋଲୋଜି ଭଳି ହାଇଟେକ୍ କ୍ଷେତ୍ରରେ ସୁନାକୁ ରଣନୈତିକ ଉପାଦାନ ଭାବେ ବ୍ୟବହାର କରିବା, ଯେଉଁଠାରେ ୨୦୪୭ ସୁଦ୍ଧା ଭାରତର ସେମିକଣ୍ଡକ୍ଟର ବଜାର ୭୫୦ ବିଲିୟନ ଡଲାରରେ ପହଞ୍ଚିବାର ଆକଳନ କରାଯାଇଛି।
ଏହି ସମସ୍ତ ସୁପାରିଶର ସଫଳ କାର୍ଯ୍ୟକାରିତା ପାଇଁ ୨୦୧୮ର ୱାଟାଲ କମିଟି ସୁପାରିଶ ଆଧାରରେ ନୀତି ଆୟୋଗ ସହ ସମନ୍ୱୟ ରଖି ଏକ ‘ନ୍ୟାଶନାଲ ଗୋଲ୍ଡ ବୋର୍ଡ’ ଗଠନ, ଗବେଷଣା ଓ ଟେକ୍ନୋଲୋଜି ପାଇଁ ‘ଗୋଲ୍ଡ ଇନୋଭେସନ ସେଣ୍ଟର’ ସ୍ଥାପନ ଏବଂ ଏକ ମଲ୍ଟି-ଷ୍ଟେକ୍ହୋଲ୍ଡର ଟାସ୍କଫୋର୍ସ ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି। ସମ୍ପୂର୍ଣ୍ଣ ‘ସ୍ୱର୍ଣ୍ଣିମ ଉଡାନ୍ ୨୦୪୭’ ଭିଜନ ରିପୋର୍ଟ ବର୍ତ୍ତମାନ ଡାଉନଲୋଡ୍ ପାଇଁ ଉପଲବ୍ଧ ରହିଛି।



