ଭୁବନେଶ୍ୱର, ୫ ଅଗଷ୍ଟ ୨୦୨୬: ଉଚ୍ଚଶିକ୍ଷା ଏବଂ ପ୍ରଯୁକ୍ତି ଶିଳ୍ପ କ୍ଷେତ୍ର ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ନିକଟରେ ବନଶ୍ରୀ ସେମିକଣ୍ଡକ୍ଟର୍ସ ସହିତ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଛି। ସେମିକଣ୍ଡକ୍ଟର ପ୍ରଯୁକ୍ତି କ୍ଷେତ୍ରରେ ମିଳିତ ଗବେଷଣା, ପ୍ରଶିକ୍ଷଣ, ନବସୃଜନ ଏବଂ ଶିଳ୍ପ-ଉପଯୋଗୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏହି ଚୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ।
ଏହି ବୁଝାମଣାପତ୍ରରେ ଆଇଆଇଟି ଭୁବନେଶ୍ୱରର ପ୍ରାୟୋଜିତ ଗବେଷଣା ଓ ଶିଳ୍ପ ପରାମର୍ଶ (ଏସ୍ଆର୍ଆଇସି) ଡିନ୍ ପ୍ରଫେସର ବିଜୟ ଶଙ୍କର ପସୁପୁରେଡ୍ଡି ଏବଂ ବନଶ୍ରୀ ସେମିକଣ୍ଡକ୍ଟର୍ସର ନିର୍ଦ୍ଦେଶକ ଡ. ଚନ୍ଦ୍ରମୋହନ ଉମାପତି ସ୍ୱାକ୍ଷର କରିଛନ୍ତି। ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ସମୟରେ ସ୍କୁଲ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ କମ୍ପ୍ୟୁଟର ସାଇନ୍ସେସ୍ର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ନବଜିତ ବାଗ୍ଗା ଓ ଡକ୍ଟର ସନ୍ଦୀପ କୁମାର ସାମଲ ମଧ୍ୟ ଉପସ୍ଥିତ ଥିଲେ।
ଉନ୍ନତ ସିଲିକନ୍-ନୋଡ୍, କମ୍ ଶକ୍ତି ଚାଳିତ ଚିପ୍ ଡିଜାଇନ୍ ଏବଂ ପାୱାର, ପରଫର୍ମାନ୍ସ ଓ ଏରିଆ ଅପ୍ଟିମାଇଜେସନ୍ରେ ବନଶ୍ରୀ ସେମିକଣ୍ଡକ୍ଟର୍ସ ନିଜର ବୈଷୟିକ ଦକ୍ଷତା ପ୍ରଦର୍ଶନ କରିଛି। କମ୍ପାନୀ ବିଶେଷ କରି ସିଷ୍ଟମ୍-ଅନ୍-ଚିପ୍ ପାଇଁ କମ୍ ଟ୍ରାଞ୍ଜିଷ୍ଟର ଆବଶ୍ୟକ କରୁଥିବା ଆର୍କିଟେକ୍ଚର ଉପରେ କାର୍ଯ୍ୟ କରୁଛି। ଏହି ସହଯୋଗ ମାଧ୍ୟମରେ ଆଇଆଇଟି ଭୁବନେଶ୍ୱରର ଗବେଷଣାତ୍ମକ ଦକ୍ଷତା ଏବଂ ବନଶ୍ରୀ ସେମିକଣ୍ଡକ୍ଟର୍ସର ଉନ୍ନତ ଚିପ୍ ଡିଜାଇନ୍ କୌଶଳ ମିଳିତ ଭାବେ ବ୍ୟବହୃତ ହେବ।
ଆଗାମୀ ୫ ବର୍ଷ ପାଇଁ ହୋଇଥିବା ଏହି ବୁଝାମଣା ଅନୁଯାୟୀ, ଉଭୟ ସଂସ୍ଥା ମିଳିତ ଗବେଷଣା ଓ ବିକାଶ ପ୍ରକଳ୍ପ, ଡିଜାଇନ୍ ଅପ୍ଟିମାଇଜେସନ୍, ଅଧ୍ୟାପକ-ଛାତ୍ର ବିନିମୟ, ଇଣ୍ଟର୍ନସିପ୍ ଏବଂ ଗବେଷଣା କାର୍ଯ୍ୟକ୍ରମ ପରିଚାଳନା କରିବେ। ଏଥିସହିତ ବାହ୍ୟ ପାଣ୍ଠି ସହାୟତାରେ ପରିଚାଳିତ ପ୍ରକଳ୍ପ, କମ୍ପ୍ୟୁଟିଂ ସମ୍ବଳ, ଲାବୋରେଟୋରୀ ଭିତ୍ତିଭୂମି ଏବଂ ଗବେଷଣା ଉପକରଣର ମିଳିତ ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ।
ଏହି ସହଭାଗିତା ଦ୍ୱାରା ଆଇଆଇଟି ଭୁବନେଶ୍ୱରର ଛାତ୍ରଛାତ୍ରୀମାନେ ଶିଳ୍ପ କ୍ଷେତ୍ରର ବାସ୍ତବ ଅନୁଭୂତି ହାସଲ କରିବା ସହ ଇଣ୍ଟର୍ନସିପ୍ ଓ ପ୍ରକଳ୍ପ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଅନ୍ୟପଟେ କମ୍ପାନୀର ଇଞ୍ଜିନିୟର ଓ ବୈଜ୍ଞାନିକମାନେ ଶିକ୍ଷାନୁଷ୍ଠାନର ଗବେଷଣା, ସେମିନାର, କର୍ମଶାଳା ଏବଂ ସ୍ୱଳ୍ପକାଳୀନ ପାଠ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଏହା ସେମିକଣ୍ଡକ୍ଟର ଡିଜାଇନ୍ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।



