Homeଶିକ୍ଷାନିଶାମୁକ୍ତ ଏବଂ ବିକଶିତ ଭାରତ ଗଠନ ପାଇଁ ସୋଆରେ ଯୁବ ସଚେତନତା ସମାରୋହ

ନିଶାମୁକ୍ତ ଏବଂ ବିକଶିତ ଭାରତ ଗଠନ ପାଇଁ ସୋଆରେ ଯୁବ ସଚେତନତା ସମାରୋହ

ଭୁବନେଶ୍ୱର, ଅଗଷ୍ଟ ୩: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୨ ଅଡିଟୋରିୟମ୍‌ରେ ରବିବାର “ବିକଶିତ ଭାରତ ପାଇଁ ନିଶାମୁକ୍ତ ଭାରତ ଅଭିଯାନ” ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଯୁବସମାଜକୁ ନିଶାଦ୍ରବ୍ୟର କୁପ୍ରଭାବ ବିଷୟରେ ସଚେତନ କରିବା ଏବଂ ନିଶାମୁକ୍ତ ସମାଜ ଗଠନରେ ସେମାନଙ୍କ ସକ୍ରିୟ ଭାଗୀଦାରୀକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା। ଏହି ସମାରୋହରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍ ଆଞ୍ଚଳିକ ନିର୍ଦ୍ଦେଶାଳୟର ଯୁବ ଅଧିକାରୀ ଶ୍ରୀ ଏ. ଏସ୍. କବୀର ଓ ଶ୍ରୀ ଅଜିତ କୁଶୱାହା ଏବଂ ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର କମଳ ଲୋଚନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ନିଜ ଅଭିଭାଷଣରେ ଶ୍ରୀ କବୀର ଏପରି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସୋଆ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିବା ସହ ନିଶାମୁକ୍ତ ଭାରତ ଗଠନରେ ଶିକ୍ଷାନୁଷ୍ଠାନ ଓ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟଠାରୁ ଦୂରରେ ରହିବାକୁ ଆହ୍ୱାନ ଦେଇ “ନିଶାମୁକ୍ତ ଭାରତ” ଶପଥ ପାଠ କରାଇଥିଲେ। ଛାତ୍ର କଲ୍ୟାଣ ଡିନ୍ ପ୍ରଫେସର ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଡକ୍ଟର ମହାନ୍ତ ସଂଯୋଜନା ଭାର ସମ୍ଭାଳି ‘ମାଇ ଭାରତ’ ସ୍ୱେଚ୍ଛାସେବୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ।

ଏହି ଅବସରରେ ୫୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଅଧ୍ୟାପକ ବୃନ୍ଦ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସିଧାସଳଖ ଅଭିଭାଷଣ ଶୁଣିଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ଯୁବଶକ୍ତିଙ୍କୁ ନିଶା ବିରୋଧୀ ସଂଗ୍ରାମରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଖଣ୍ଡଗିରି ବିଜେପି ମଣ୍ଡଳ ସଭାପତି ଶ୍ରୀମତୀ ଆରତୀ ଭୂୟାଁ, ବିଧାୟକ ଶ୍ରୀ ବାବୁ ସିଂଙ୍କ ପ୍ରତିନିଧି ଭାବେ ଯୋଗଦେଇଥିଲେ। ଶେଷରେ ଡକ୍ଟର ମହାନ୍ତ ଧନ୍ୟବାଦ ଅର୍ପଣ କରିବା ସହ ସମାଜରେ ସଚେତନତା ବାର୍ତ୍ତା ପହଞ୍ଚାଇବାର ସଂକଳ୍ପ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments