ଭୁବନେଶ୍ୱର, ୧ ଅଗଷ୍ଟ ୨୦୨୬: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପାଇଁ ୨୦୨୫-୨୬ ପ୍ଲେସମେଣ୍ଟ ସିଜିନ୍ ସୋପାନଗତ ସଫଳତା ଆଣିଦେଇଛି। ପ୍ରତିଷ୍ଠାନର ଇତିହାସରେ ପ୍ରଥମ ଥର ପାଇଁ କ୍ୟାମ୍ପସ୍ ପ୍ଲେସମେଣ୍ଟରେ ସମୁଦାୟ ଚାକିରି ଅଫର୍ ସଂଖ୍ୟା ୫୦୦ ଅତିକ୍ରମ କରିଛି। ବିଶ୍ୱବ୍ୟାପୀ ଅର୍ଥନୈତିକ ଅନିଶ୍ଚିତତା ଏବଂ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆଇଆଇଟି ଭୁବନେଶ୍ୱର ନିଜର ଦୃଢ଼ ଶୈକ୍ଷିକ ଏବଂ ବୃତ୍ତିଗତ ଗୁଣବତ୍ତା ବଜାୟ ରଖିଛି। ଅକ୍ଟୋବର ୨୦୨୫ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଏହି ଦୀର୍ଘ ନିଯୁକ୍ତି ପ୍ରକ୍ରିୟାରେ ସଫ୍ଟୱେର୍, ଆଇଟି, କନସଲଟିଂ, ଉତ୍ପାଦନ, ତୈଳ ଓ ଗ୍ୟାସ୍, ସେମିକଣ୍ଡକ୍ଟର, ମିନେରାଲ୍ସ ଏବଂ ଫିନଟେକ୍ ଭଳି ବହୁବିଧ କ୍ଷେତ୍ରର ପ୍ରମୁଖ ସଂସ୍ଥାଗୁଡ଼ିକ ଯୋଗଦେଇ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ଚାକିରି ପ୍ରଦାନ କରିଛନ୍ତି।
ଏହି କ୍ୟାମ୍ପସ୍ ଡ୍ରାଇଭ୍ରେ ସରକାରୀ କ୍ଷେତ୍ରର ନାମୀ ପ୍ରତିଷ୍ଠାନ ଯଥା ବିପିସିଏଲ୍, ଏଚପିସିଏଲ୍, ଇଆଇଏଲ୍, ବିଇଏଲ୍ ଓ ଜିଏମଡିସି ସହିତ ବେସରକାରୀ କ୍ଷେତ୍ରର ଅଗ୍ରଣୀ କମ୍ପାନୀ ଯଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଏନ୍ଭିଡିଆ, ମାଇକ୍ରୋସଫ୍ଟ, ଗୁଗୁଲ୍, ଡି. ଇ. ଶ’, ଆକ୍ସେଞ୍ଚର୍, ଜୋମାଟୋ, ଏଚସିଏଲ୍ ଟେକ୍, ଜେଡ଼ଏସ୍ ଆସୋସିଏଟ୍ସ, ସିସ୍କୋ, ଜିଇ ଭର୍ନୋଭା, ବେକର୍ ହ୍ୟୁଜେସ୍, ସାମସଙ୍ଗ ଆର୍ ଆଣ୍ଡ ଡି, ମ୍ୟାଥ୍ୱର୍କ୍ସ, ଫ୍ଲିପକାର୍ଟ, ଭିସା, ଟାଟା ଷ୍ଟିଲ୍, ଏଲ୍ ଆଣ୍ଡ ଟି, ଜିନ୍ଦାଲ୍ ଷ୍ଟିଲ୍, ମାରୁତି ସୁଜୁକି, ଆପ୍ଲାଇଡ୍ ମାଟେରିଆଲ୍ସ, କେଏଲ୍ଏ ଟେନ୍କର୍, ଏଚଏସବିସି, ସ୍କାଇରୁଟ୍ ଏରୋସ୍ପେସ୍, ଇନଫୋସିସ୍ ଏବଂ ଟାଇଗର୍ ଆନାଲିଟିକ୍ସ ଭଳି ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ଅଂଶଗ୍ରହଣ କରିଥିଲେ।
ଚଳିତ ଶିକ୍ଷାବର୍ଷରେ ସ୍ନାତକ (ୟୁଜି) ବିଭାଗର ୮୫% ରୁ ଅଧିକ ଏବଂ ସ୍ନାତକୋତ୍ତର (ପିଜି) ବିଭାଗର ୭୧% ରୁ ଅଧିକ ଛାତ୍ରଛାତ୍ରୀ ସଫଳତାର ସହ କ୍ୟାମ୍ପସ୍ ନିଯୁକ୍ତି ପାଇଛନ୍ତି। ସ୍ନାତକ କାର୍ଯ୍ୟକ୍ରମର ମଧ୍ୟମ (ମିଡିଆନ୍) ଦରମା ବାର୍ଷିକ ୧୫.୩ ଲକ୍ଷ ଟଙ୍କା ଏବଂ ସ୍ନାତକୋତ୍ତର କାର୍ଯ୍ୟକ୍ରମର ମଧ୍ୟମ ଦରମା ବାର୍ଷିକ ୧୧.୨ ଲକ୍ଷ ଟଙ୍କା ରହିଛି। ଘରୋଇ ନିଯୁକ୍ତି ସହ ପ୍ରତିଷ୍ଠାନର କେତେକ ଛାତ୍ରଛାତ୍ରୀଙ୍କୁ ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକରୁ ମଧ୍ୟ ଆକର୍ଷଣୀୟ ଅଫର୍ ମିଳିଛି।
ଏହି ସଫଳତା ସମ୍ପର୍କରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର କହିଛନ୍ତି ଯେ, ଏହି ମାଇଲଖୁଣ୍ଟ ପ୍ରତିଷ୍ଠାନର ଗବେଷଣା-ଭିତ୍ତିକ ଶିକ୍ଷା, ଶୈକ୍ଷିକ ଶ୍ରେଷ୍ଠତା ଏବଂ ଶିଳ୍ପ ଜଗତ ସହ ରହିଥିବା ସହଯୋଗର ଏକ ପ୍ରତ୍ୟକ୍ଷ ପ୍ରମାଣ। ବିଶ୍ୱ ଅର୍ଥନୀତି ପ୍ରଯୁକ୍ତିବିଦ୍ୟା ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ ପ୍ରତିଷ୍ଠାନ କେବଳ ଚାକିରି ପାଇଁ ନୁହେଁ, ବରଂ ନବସୃଜନ ମାଧ୍ୟମରେ ସାମାଜିକ ସମସ୍ୟାର ସମାଧାନ କରିପାରୁଥିବା ଦକ୍ଷ ଗ୍ରାଜୁଏଟ୍ ତିଆରି ଉପରେ ଗୁରୁତ୍ୱ ଦେଉଛି। ପ୍ରତିଷ୍ଠାନର କ୍ୟାରିଅର ଡେଭଲପମେଣ୍ଟ ସେଲର ପ୍ରଫେସର-ଇନ-ଚାର୍ଜ ଡକ୍ଟର ଶ୍ରୀକାନ୍ତ ଗୋଲ୍ଲାପୁଡି ପ୍ରକାଶ କରିଛନ୍ତି ଯେ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଆବିର୍ଭାବ ଏବଂ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ସତ୍ତ୍ୱେ ୨୦୨୫-୨୬ ସିଜିନ୍ ସଫଳତାର ସହ ଶେଷ ହୋଇଛି ଏବଂ ଆଗାମୀ ୨୦୨୬-୨୭ ସିଜିନରେ ମଧ୍ୟ ଏହି ପ୍ରଗତିର ଧାରା ବଜାୟ ରହିବ।



