ନୂଆଦିଲ୍ଲୀ, ୧ ଅଗଷ୍ଟ ୨୦୨୬: ବର୍ଷ ୨୦୨୬ର ପ୍ରାରମ୍ଭରେ ସୁନା ଦର ସର୍ବକାଳୀନ ଉଚ୍ଚ ସ୍ତର ଛୁଇଁବା ପରେ ଦ୍ୱିତୀୟ ତ୍ରୈମାସରେ ଏହାର ବୃଦ୍ଧିରେ ମନ୍ଥରତା ଦେଖାଦେଇଛି। ତଥାପି ବିଶ୍ୱ ସୁନା ପରିଷଦର ନୂତନ ରିପୋର୍ଟ ଅନୁସାରେ ସୁନା ବଜାର ସ୍ଥିରତା ବଜାୟ ରଖିବାରେ ସଫଳ ହୋଇଛି। ଦ୍ୱିତୀୟ ତ୍ରୈମାସରେ ମୋଟ ସୁନା ଚାହିଦା ୧,୨୬୯ ଟନ୍ ରହିଥିବା ବେଳେ, ଚଳିତ ବର୍ଷର ପ୍ରଥମାର୍ଷରେ ସୁନା ଚାହିଦା ୨ ପ୍ରତିଶତ ବୃଦ୍ଧି ପାଇ ୨,୫୨୨ ଟନ୍ରେ ପହଞ୍ଚିଛି। ଏହି ମୋଟ ସୁନା ଚାହିଦାର ଆନୁମାନିକ ମୂଲ୍ୟ ପ୍ରାୟ ୩୮୦ ବିଲିୟନ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଛି।
ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ଆସିବା ଯୋଗୁଁ ଇଟିଏଫ(ସୁନା ବିନିମୟ ନିବେଶ ପାଣ୍ଠି), ବାର୍ ଏବଂ ମୁଦ୍ରା କ୍ଷେତ୍ରରେ ବିନିଯୋଗ ମନ୍ଥର ହୋଇ ଦ୍ୱିତୀୟ ତ୍ରୈମାସରେ ୨୬୨ ଟନ୍କୁ ଖସିଆସିଛି। ବିଶେଷ କରି ଦ୍ୱିତୀୟ ତ୍ରୈମାସରେ ସୁନା-ଆଧାରିତ ଇଟିଏଫ ରୁ ୪୫ ଟନ୍ ପୁଞ୍ଜି ବାହାରିଯିବା ଏହାର ମୁଖ୍ୟ କାରଣ। ତଥାପି, ପ୍ରଥମ ତ୍ରୈମାସର ମଜବୁତ ପ୍ରଦର୍ଶନ ଯୋଗୁଁ ବାର୍ ଓ ମୁଦ୍ରାରେ ବର୍ଷର ପ୍ରଥମାର୍ଷ ଚାହିଦା ଗତ ବର୍ଷ ତୁଳନାରେ ୨୧ ପ୍ରତିଶତ ଅଧିକ ରହିଛି। ଅନ୍ୟପକ୍ଷରେ, ଏସୀୟ ବିନିଯୋଗକାରୀଙ୍କ ଉତ୍ସାହ ଯୋଗୁଁ ପ୍ରତ୍ୟକ୍ଷ କାରବାର ବଜାରରେ ଚାହିଦା ଦ୍ୱିତୀୟ ତ୍ରୈମାସରେ ୩୨୭ ଟନ୍ ଏବଂ ପ୍ରଥମାର୍ଷରେ ୫୭୧ ଟନ୍ ଭଳି ଏକ ମଜବୁତ ସ୍ଥିତିରେ ରହିଛି।
କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ସୁନା କ୍ରୟ ନିରନ୍ତର ଜାରି ରହିଛି। ଦ୍ୱିତୀୟ ତ୍ରୈମାସରେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ ଓ ସରକାରୀ ପ୍ରତିଷ୍ଠାନଗୁଡ଼ିକ ନିଜ ସଞ୍ଚୟରେ ନିଟ୍ ୨୮୯ ଟନ୍ ସୁନା ଯୋଡ଼ିଛନ୍ତି, ଯାହା ଗତ ବର୍ଷର ଏହି ଅବଧି ତୁଳନାରେ ୬୨ ପ୍ରତିଶତ ଅଧିକ। ‘ସେଣ୍ଟ୍ରାଲ ବ୍ୟାଙ୍କ ଗୋଲ୍ଡ ରିଜର୍ଭ ସର୍ଭେ’ ଅନୁଯାୟୀ, ୪୫ ପ୍ରତିଶତ କେନ୍ଦ୍ରୀୟ ବ୍ୟାଙ୍କ ଆଗାମୀ ୧୨ ମାସରେ ସେମାନଙ୍କ ସୁନା ସଞ୍ଚୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ, ଉଚ୍ଚ ଦର ଯୋଗୁଁ ଅଳଙ୍କାର ଚାହିଦାରେ ୧୭ ପ୍ରତିଶତ ହ୍ରାସ ଘଟିଛି। ଗ୍ରାହକମାନେ କମ୍ ଓଜନର ଅଳଙ୍କାର କିଣିବାକୁ ପସନ୍ଦ କରୁଛନ୍ତି। ତଥାପି, ପ୍ରଥମାର୍ଷରେ ଅଳଙ୍କାର ଚାହିଦାର ଆର୍ଥିକ ମୂଲ୍ୟ ୨୨ ପ୍ରତିଶତ ବୃଦ୍ଧି ପାଇ ୮୬ ବିଲିୟନ ଡଲାର ହୋଇଛି। କାନାଡ଼ା ଏବଂ ଚିଲିରୁ ନୂତନ ଉତ୍ପାଦନ ଯୋଗୁଁ ଖଣି ଯୋଗାଣ ୨ ପ୍ରତିଶତ ବୃଦ୍ଧି ପାଇ ୯୬୬ ଟନ୍ ହୋଇଥିବା ବେଳେ ପୁନଃଚକ୍ରଣ ୬ ପ୍ରତିଶତ ହ୍ରାସ ପାଇବା ଫଳରେ ମୋଟ ଯୋଗାଣ ୧,୨୬୯ ଟନ୍ରେ ସ୍ଥିର ରହିଛି।
ବିଶ୍ୱ ସୁନା ପରିଷଦର ବରିଷ୍ଠ ବଜାର ବିଶ୍ଳେଷକ ଲୁଇସ୍ ଷ୍ଟ୍ରିଟ୍ ପ୍ରକାଶ କରିଛନ୍ତି ଯେ, “ଦ୍ୱିତୀୟ ତ୍ରୈମାସରେ ସୁନା ଦର ସ୍ଥିର ହୋଇଥିଲେ ବି ସୁନା ଏକ ନିରାପଦ ନିବେଶ ଏବଂ ମୂଲ୍ୟ ସଞ୍ଚୟର ମାଧ୍ୟମ ଭାବେ ନିଜର ଦୃଢ଼ ଭୂମିକା ପ୍ରଦର୍ଶନ କରିଛି। ୨୦୨୬ର ଦ୍ୱିତୀୟାର୍ଷରେ ବିନିଯୋଗ ସୁନା ବଜାରର ଅଭିବୃଦ୍ଧିକୁ ଆଗକୁ ନେବ। ବିଶେଷ କରି ଏସୀୟ ନିବେଶକ ଏବଂ ପ୍ରତ୍ୟକ୍ଷ କାରବାର ବଜାର ମୁଖ୍ୟ ଭୂମିକା ଗ୍ରହଣ କରିବ। ଆମେରିକାର ମୁଦ୍ରା ନୀତି ଓ ଡଲାର ସ୍ଥିତି ଉପରେ ପାଶ୍ଚାତ୍ୟ ଇଟିଏଫ ନିବେଶ ନିର୍ଭର କରିବ। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ କ୍ରେତା ଭାବେ ରହିବେ ଏବଂ ଅଳଙ୍କାର କ୍ଷେତ୍ରରେ ପରିମାଣଗତ ଚାପ ରହିଲେ ମଧ୍ୟ ପୁନଃଚକ୍ରଣ ବୃଦ୍ଧିର କୌଣସି ଆଶଙ୍କା ନାହିଁ।”



