ଭୁବନେଶ୍ୱର, ୩୧ ଜୁଲାଇ ୨୦୨୬: ଓଡ଼ିଶାର ନବସୃଜନ ଓ ଉଦ୍ୟୋଗୀ ଇକୋସିଷ୍ଟମ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି। ‘ଷ୍ଟାର୍ଟଅପ୍ ଓଡ଼ିଶା’ର ସହାୟତାରେ ଆଗକୁ ବଢ଼ୁଥିବା ରାଜ୍ୟର ତିନୋଟି ସଫଳ ଷ୍ଟାର୍ଟଅପ୍ ଶୁକ୍ରବାର ଦିନ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ କଲଚରାଲ ସେଣ୍ଟରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କରିଛନ୍ତି। ଏହି ପ୍ରଦର୍ଶନୀରେ ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ, ନ୍ୟୁରୁପ୍ ଟେକ୍ ସଲ୍ୟୁସନ୍ସ ଏବଂ ଆର୍ବାନ୍-ହାଇଫି ବାୟୋସାଇନ୍ସର ପ୍ରତିଷ୍ଠାତାମାନେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ନିଜ ନିଜର ନୂତନ ଜ୍ଞାନକୌଶଳ ଉପସ୍ଥାପନ କରିବାର ଗୌରବ ହାସଲ କରିଛନ୍ତି। ‘ଅଟଳ ଇନୋଭେସନ ମିଶନ’ ଅଧୀନରେ ଦେଶବ୍ୟାପୀ ଚୟନ ହୋଇଥିବା ଶ୍ରେଷ୍ଠ ତୃଣମୂଳ ସ୍ତରର ଯୁବ ଉଦ୍ୟୋଗୀମାନଙ୍କ ମଧ୍ୟରେ ଓଡ଼ିଶାର ଏହି ତିନି ନବସୃଜନକାରୀ ସ୍ଥାନ ପାଇଥିଲେ।

ଏହି ଆଞ୍ଚଳିକ ଗୌରବକୁ ପ୍ରଶଂସା କରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶନରେ ଭାରତୀୟ ଅର୍ଥନୀତି ସୁଦୃଢ଼ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସଫଳ ନେତୃତ୍ୱରେ ଓଡ଼ିଶା ଦେଶର ଏକ ପ୍ରମୁଖ ଇନୋଭେସନ ହବ୍ରେ ପରିଣତ ହୋଇଛି। ଜାତୀୟ ସ୍ତରରେ ଓଡ଼ିଶାର ଷ୍ଟାର୍ଟଅପ୍ଗୁଡ଼ିକୁ ମିଳିଥିବା ଏହି ସମ୍ମାନ ଭାରତୀୟ ଷ୍ଟାର୍ଟଅପ୍ ମାନଚିତ୍ରରେ ରାଜ୍ୟର ସ୍ୱତନ୍ତ୍ର ପରିଚୟକୁ ପ୍ରମାଣିତ କରୁଛି। ଅନ୍ୟପଟେ, ବିଭାଗୀୟ କମିଶନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା ସୂଚନା ଦେଇଛନ୍ତି ଯେ, ‘ଓଡ଼ିଶା ଷ୍ଟାର୍ଟଅପ୍ ନୀତି’ ରାଜ୍ୟର ଯୁବ ପ୍ରତିଭାମାନଙ୍କୁ ଆଗକୁ ବଢ଼ିବାରେ ପ୍ରମୁଖ ଶକ୍ତି ଯୋଗାଉଛି। ଏଥିସହିତ ‘ଷ୍ଟାର୍ଟଅପ୍ ଓଡ଼ିଶା’ର ସିଇଓ ସ୍ମୃତିରଞ୍ଜନ ପ୍ରଧାନ କହିଛନ୍ତି ଯେ ଯୁବ ଓ ମହିଳା ଉଦ୍ୟୋଗୀଙ୍କ ଭିତରେ ନୂତନ ଉତ୍ସାହ ଭରିବା ପାଇଁ ଆର୍ଥିକ ସହାୟତା ଏବଂ ପ୍ରୋତ୍ସାହନ ଜାରି ରହିଛି।
ଉତ୍ପାଦଗୁଡ଼ିକ ମଧ୍ୟରେ ଶୀତଲ ଜିମାନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ପକ୍ଷରୁ ଭିନ୍ନକ୍ଷମଙ୍କ ବ୍ୟବହାର ପାଇଁ ସ୍ୱୟଂଚାଳିତ ଟ୍ରାନ୍ସଫର୍ମେବଲ୍ ବେଡ୍-ଚେୟାର ଏବଂ ଏକ୍ସୋସ୍କେଲେଟନ୍ ପ୍ରସ୍ତୁତ କରାଯାଇଛି। ଅନୁପ ପାଇକରାୟଙ୍କ ନ୍ୟୁରୁପ୍ ଟେକ୍ ସଲ୍ୟୁସନ୍ସର ଉଦ୍ଭାବନ ‘ଚୁଲିଭ୍’ ଇନ୍ଧନ ସଞ୍ଚୟ ସହ ବାୟୁ ପ୍ରଦୂଷଣ ହ୍ରାସ କରି ସ୍ୱାସ୍ଥ୍ୟକର ରୋଷେଇ ପ୍ରଣାଳୀ ସୃଷ୍ଟି କରୁଛି। ସେହିପରି ଅଧିରାଜ ମହାପାତ୍ରଙ୍କ ଆର୍ବାନ୍-ହାଇଫି ବାୟୋସାଇନ୍ସ କୃଷି ବର୍ଜ୍ୟବସ୍ତୁ ଓ ଛତୁରୁ ଆଧୁନିକ-ଚମଡ଼ା ତଥା ପଶୁ ଚମଡ଼ାର ଏକ ପରିବେଶ-ଅନୁକୂଳ ବିକଳ୍ପ ଠିଆ କରିଛି। ରାଜ୍ୟର ଉଦ୍ଭାବନଗୁଡ଼ିକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ‘ଷ୍ଟାର୍ଟଅପ୍ ଓଡ଼ିଶା’ର ଏହି ନିରନ୍ତର ପ୍ରୟାସ ଭବିଷ୍ୟତରେ ଆହୁରି ଅନେକ ଯୁବକଙ୍କୁ ପ୍ରେରଣା ଯୋଗାଇବ।



