Homeବାଣିଜ୍ୟ'ଶକ୍ତି ସମ୍ମାନ ୨୦୨୬': ୩୬ ଜଣ ମହିଳା ଉଦ୍ୟୋଗୀ ସମ୍ମାନିତ, ୪୦୦୦ ନିଯୁକ୍ତି ପାଇଁ ୯୧୩...

‘ଶକ୍ତି ସମ୍ମାନ ୨୦୨୬’: ୩୬ ଜଣ ମହିଳା ଉଦ୍ୟୋଗୀ ସମ୍ମାନିତ, ୪୦୦୦ ନିଯୁକ୍ତି ପାଇଁ ୯୧୩ କୋଟି ଟଙ୍କାର ୧୩ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର, ଜୁଲାଇ ୩୧: ରାଜ୍ୟରେ ମହିଳା ନେତୃତ୍ୱ ଓ ସମାବେଶୀ ଅର୍ଥନୈତିକ ବିକାଶକୁ ନୂତନ ଗତି ପ୍ରଦାନ କରିବା ଉଦ୍ଦେଶ୍ୟରେ କନଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି ଇଣ୍ଡିଆନ ଓମେନ ନେଟୱର୍କ ଓଡ଼ିଶା ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରଠାରେ ଚତୁର୍ଥ ସିଆଇଆଇ ଆଇଡବ୍ଲ୍ୟୁଏନ୍ ‘ଶକ୍ତି ସମ୍ମାନ ୨୦୨୬’ ଆୟୋଜିତ ହୋଇଯାଇଛି। ଏହି ସାନ୍ଧ୍ୟ କାର୍ଯ୍ୟକ୍ରମରେ ମହିଳା କେନ୍ଦ୍ରିକ ଅଭିବୃଦ୍ଧି ପ୍ରତି ପ୍ରତିବଦ୍ଧତା ଦୋହରାଯିବା ସହ ରାଜ୍ୟରେ ପ୍ରାୟ ୪୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ୯୧୩ କୋଟି ଟଙ୍କାର ୧୩ ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ (ଆଇଏଏସ) କହିଛନ୍ତି ଯେ ସାମାଜିକ ଓ ପାରମ୍ପରିକ ଆହ୍ୱାନକୁ ଭାଙ୍ଗି ସଫଳତା ପାଇଥିବା ମହିଳା ଉଦ୍ୟୋଗୀମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ମୁଖ୍ୟ ଉତ୍ସ। ରାଜ୍ୟକୁ ୧ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ଓଡ଼ିଶା ସରକାରଙ୍କ ୨୦୩୬ ଏବଂ ୨୦୪୭ ଭିଜନ ଡକ୍ୟୁମେଣ୍ଟରେ ମହିଳା-କେନ୍ଦ୍ରିକ ବିକାଶକୁ ମୂଳ ସ୍ତମ୍ଭ ଭାବେ ଗ୍ରହଣ କରାଯାଇଛି। ରାଜ୍ୟ ଜନସଂଖ୍ୟାର ପ୍ରାୟ ଅଧା ଭାଗ ମହିଳା ହୋଇଥିବାରୁ ଶିଳ୍ପ, ନିଯୁକ୍ତି ଓ ଅର୍ଥନୈତିକ କାର୍ଯ୍ୟକଳାପରେ ସେମାନଙ୍କ ଯୋଗଦାନ ଏକ ଅପରିହାର୍ଯ୍ୟ ଆବଶ୍ୟକତା। ଏଥିସହିତ ‘ସୁଭଦ୍ରା ଯୋଜନା’ ମାଧ୍ୟମରେ ମିଳୁଥିବା ଆର୍ଥିକ ସହାୟତାକୁ ହିତାଧିକାରୀମାନେ ପିଲାଙ୍କ ଶିକ୍ଷା, ଉଦ୍ୟୋଗ ଏବଂ ଆୟକାରୀ କାର୍ଯ୍ୟକଳାପ ଭଳି ସୃଜନଶୀଳ କାର୍ଯ୍ୟରେ ବିନିଯୋଗ କରୁଥିବା ସେ ପ୍ରକାଶ କରିଛନ୍ତି।

ଗୃହ, ଶିଳ୍ପ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା (ଆଇଏଏସ) ଓଡ଼ିଶାରେ ମହିଳା ଉଦ୍ୟୋଗିତାର ଅଭିବୃଦ୍ଧି ସମ୍ପର୍କରେ ଚର୍ଚ୍ଚା କରିଥିଲେ। ପାରମ୍ପରିକ ସୀମା ବାହାରକୁ ଆସି ମହିଳାମାନେ ଏବେ ପ୍ଲାଷ୍ଟିକ୍, ଖାଦ୍ୟ ପ୍ରକ୍ରିୟାକରଣ, ଏଫଏମସିଜି ଓ ଗୃହୋପକରଣ ଭଳି ବିବିଧ କ୍ଷେତ୍ରରେ ସଫଳ ହେଉଛନ୍ତି। ସ୍ଥାନୀୟ ଉଦ୍ୟୋଗୀଙ୍କ ସୁବିଧା ପାଇଁ ପ୍ରତି ଜିଲ୍ଲାରେ ଜିଲ୍ଲା ବିନିଯୋଗ ପ୍ରୋତ୍ସାହନ ଏଜେନ୍ସି କାର୍ଯ୍ୟକ୍ଷମ ହୋଇ ୩,୦୦୦ରୁ ଅଧିକ ଆବେଦନ ପ୍ରକ୍ରିୟାକରଣ ସହ ସୁଯୋଗ ସୃଷ୍ଟି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଅନ୍ୟତମ ବକ୍ତା ଭାବେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ (ଆଇଏଏସ୍) ଯୋଗଦେଇ ରାଜ୍ୟର ସ୍ଥାୟୀ ଓ ସମତାଭିତ୍ତିକ ଅର୍ଥନୈତିକ ପ୍ରଗତିରେ ମହିଳାମାନଙ୍କ ମୂଲ୍ୟବାନ ଯୋଗଦାନକୁ ସ୍ୱୀକୃତି ଦେଇଥିଲେ। ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ସିଂ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏହି ସମ୍ମାନ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣୁଥିବା ନେତୃତ୍ୱକୁ ଉଚିତ ସ୍ୱୀକୃତି ଦେଉଛି ବୋଲି ମତବ୍ୟକ୍ତ କରିଛନ୍ତି।

ଏହି ସମାରୋହରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୩୬ ଜଣ କୃତୀ ମହିଳାଙ୍କୁ ସିଆଇଆଇ ଆଇଡବ୍ଲ୍ୟୁଏନ୍ ‘ଶକ୍ତି ସମ୍ମାନ ୨୦୨୬’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱାସ୍ଥ୍ୟସେବା, ପରିବେଶ ଓ ସ୍ଥାୟୀ ବିକାଶ, ଷ୍ଟାର୍ଟଅପ୍, ଶିକ୍ଷା, ଗଣମାଧ୍ୟମ ଓ ମନୋରଞ୍ଜନ, କ୍ରୀଡ଼ା, କୁଟୀର ଓ କ୍ଷୁଦ୍ର ଶିଳ୍ପ, ସାମାଜିକ ବିକାଶ ଏବଂ ଉଦ୍ୟୋଗିତା ଭଳି ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅନନ୍ୟ ନେତୃତ୍ୱ, ନବସୃଜନ ଓ ସମାଜ ପ୍ରତି ନିରନ୍ତର ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଶେଷରେ ସିଆଇଆଇ ଆଇଡବ୍ଲ୍ୟୁଏନ୍ ଓଡ଼ିଶାର ଅଧ୍ୟକ୍ଷା ସୁଶ୍ରୀ ଜୁବିନା ଅଲୀ ସମସ୍ତ ଅଂଶୀଦାର, ସରକାରୀ ପ୍ରତିନିଧି, ଜୁରି ସଦସ୍ୟ ଓ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେ କହିଛନ୍ତି ଯେ ‘ଶକ୍ତି ସମ୍ମାନ’ ଏବେ ଓଡ଼ିଶାରେ ମହିଳାମାନଙ୍କୁ ଆଗକୁ ନେବା ସହ ଏକ ସମାବେଶୀ, ସମାନତା ଭିତ୍ତିକ ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଭବିଷ୍ୟତ ଗଠନ କରିବାରେ ଏକ ପ୍ରମୁଖ ମଞ୍ଜି ପାଲଟିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments