Homeଶିକ୍ଷାସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍: ରାଜସ୍ଥାନ ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ...

ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍: ରାଜସ୍ଥାନ ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନ

ଭୁବନେଶ୍ୱର, ୩୧ ଜୁଲାଇ: କିଟ୍‌ ଓ କିସ୍‌ ପ୍ରତିଷ୍ଠାତା, ବିଶିଷ୍ଟ ଶିକ୍ଷାବିତ୍‌ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଶିକ୍ଷା ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ଅତୁଲନୀୟ ଯୋଗଦାନ ପାଇଁ ରାଜସ୍ଥାନ ବିକାନେରସ୍ଥିତ ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ (ଏମ୍‌ଜିଏସ୍‌ୟୁ) ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି। ଶ୍ରୀ ସାମନ୍ତଙ୍କ ନିରବଚ୍ଛିନ୍ନ ସେବା ଓ ସମାଜ ଗଠନରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ଅନୁଧ୍ୟାନ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହା ହେଉଛି ଶ୍ରୀ ସାମନ୍ତଙ୍କ ଜୀବନର ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌।

ଜୟପୁରସ୍ଥିତ ରାଜଭବନ (ଲୋକ ଭବନ)ରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗଡେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନଜନକ ଉପାଧିରେ ଭୂଷିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରେମ ଚାନ୍ଦ ବୈରୱା, ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମନୋଜ ଦୀକ୍ଷିତ, କୁଳସଚିବ ପ୍ରଫେସର ଯଶପାଲ ଆହୁଜାଙ୍କ ସମେତ ରାଜ୍ୟର ଅନେକ ମନ୍ତ୍ରୀ, ବିଧାୟକ ଓ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା କିଶୋର ରହାଟକରଙ୍କୁ ମଧ୍ୟ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଥିଲା।

ଓଡ଼ିଶାରୁ ଆଣି ରାଜସ୍ଥାନ ରାଜଭବନରେ ସ୍ୱତନ୍ତ୍ର ସମାବର୍ତ୍ତନ ସମାରୋହ ମାଧ୍ୟମରେ ସମ୍ମାନିତ କରିଥିବାରୁ ଶ୍ରୀ ସାମନ୍ତ ରାଜ୍ୟପାଳ ହରିଭାଉ ବାଗଡେ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଏହି ସ୍ମରଣୀୟ ମୁହୂର୍ତ୍ତ ସଦାସର୍ବଦା ତାଙ୍କ ହୃଦୟରେ ସାଇତା ହୋଇ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ଆସନ୍ତା ଅଗଷ୍ଟ ୨ ତାରିଖରେ ନିଜ ଦିବଙ୍ଗତ ମାଆ ନୀଳିମାରାଣୀଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ପଡ଼ୁଥିବାରୁ, ଶ୍ରୀ ସାମନ୍ତ ଏହି ବିରଳ ୭୫ତମ ଡକ୍ଟରେଟ୍‌ ସମ୍ମାନକୁ ନିଜ ମାଆଙ୍କ ସ୍ମୃତି ଚରଣ କରି ତାଙ୍କ ଚରଣରେ ଉତ୍ସର୍ଗ କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments