ଭୁବନେଶ୍ୱର, ଜୁଲାଇ ୩୧: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ରେ ‘ଆଟ୍ରାକ୍ଟିଂ ଏନ୍ଟ୍ରପ୍ରେନ୍ୟୁଅର୍ସ ଆଣ୍ଡ ଷ୍ଟାର୍ଟଅପ୍ସ ଟୁ ଦ ଫିସେରିଜ୍ ସେକ୍ଟର’ ଶୀର୍ଷକ ଏକ ଜାତୀୟ ସେମିନାର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଇସିଏଆର-ସେଣ୍ଟ୍ରାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ରେଶ୍ୱାଟର ଏଗ୍ରିକଲ୍ଚରର ପ୍ରଧାନ ବୈଜ୍ଞାନିକ ଡକ୍ଟର ନଗେଶ କୁମାର ବାରିକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେ ମତ୍ସ୍ୟ କ୍ଷେତ୍ରରେ ରହିଥିବା ବ୍ୟାପକ ବ୍ୟବସାୟିକ ସମ୍ଭାବନା, ଷ୍ଟାର୍ଟଅପ୍ ପ୍ରତିଷ୍ଠାର ସୁଯୋଗ, ସରକାରୀ ସହାୟତା ଯୋଜନା ଏବଂ ନବସୃଜନର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋକପାତ କରିବା ସହ ଯୁବପିଢ଼ିଙ୍କୁ ନୂତନ ଚିନ୍ତାଧାରା ମାଧ୍ୟମରେ ସଫଳ ଉଦ୍ୟୋଗୀ ହେବାକୁ ଆହ୍ୱାନ ଦେଇଥିଲେ।
କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସେମିନାରରେ କୃଷି ଓ ମତ୍ସ୍ୟ କ୍ଷେତ୍ରରେ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। କାର୍ଯ୍ୟକ୍ରମର ଆବାହକ ତଥା କୃଷି ସମ୍ପ୍ରସାରଣ ବିଭାଗ ମୁଖ୍ୟ ପ୍ରଫେସର ବିବୁଧ ପରାଶର ସେମିନାରର ଆଭିମୁଖ୍ୟ ପ୍ରସ୍ତୁତ କରି ମତ୍ସ୍ୟ ସେକ୍ଟରରେ ଷ୍ଟାର୍ଟଅପ୍ ସଂସ୍କୃତିର ବିକାଶ ଓ ନୂତନ ସୁଯୋଗ ସୃଷ୍ଟିର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ। ଏଥିସହିତ କୃଷି ସମ୍ପ୍ରସାରଣ ବିଭାଗର ସହକାରୀ ଅଧ୍ୟାପିକା ଡକ୍ଟର ନିଗମା ହାଲିମା ଷେକ ସମଗ୍ର ସେମିନାରର ସୁଚାରୁ ସଂଯୋଜନା କରିଥିଲେ।
ଏହି ସେମିନାରରେ ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ, ଅଧ୍ୟାପକ, ପିଏଚ୍ଡି ଗବେଷକ ଓ ଗବେଷଣାର୍ଥୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସେମାନେ ମତ୍ସ୍ୟ କ୍ଷେତ୍ରରେ ଉଦ୍ୟୋଗୀର ସୁଯୋଗ, ବ୍ୟବସାୟିକ ମଡେଲ୍, ନବସୃଜନ ଏବଂ ସରକାରୀ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ବାସ୍ତବ ଜ୍ଞାନ ଅର୍ଜନ କରିଥିଲେ। ସାମଗ୍ରିକ ଭାବେ ଏହି ଆଲୋଚନାଚକ୍ରଟି ଯୁବପିଢ଼ିଙ୍କୁ ମତ୍ସ୍ୟ ସେକ୍ଟରରେ ସଫଳ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ଯୋଗାଇବା ସହ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ପ୍ରଶଂସନୀୟ ଓ ସକାରାତ୍ମକ ପଦକ୍ଷେପ ଭାବେ ବିବେଚିତ ହୋଇଛି।



