ଭୁବନେଶ୍ୱର, ୩୦ ଜୁଲାଇ: ଭୁବନେଶ୍ୱର କୋର୍ଟ ପରିସରରେ ଆଇଏମଏସ ଏବଂ ସମ୍ ହସ୍ପିଟାଲ୍ (କ୍ୟାମ୍ପସ-୧) ଏବଂ ଭୁବନେଶ୍ୱର ବାର୍ ଆସୋସିଏସନ୍ ୱେଲଫେୟାର ଟ୍ରଷ୍ଟର ଯୌଥ ଆନୁକୂଲ୍ୟରେ ଗୁରୁବାର ଏକ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସାମାଜିକ ପ୍ରତିବଦ୍ଧତାକୁ ପାଥେୟ କରି ଆୟୋଜିତ ଏହି ଶିବିରରେ ବାର୍ ଆସୋସିଏସନ୍ର ପ୍ରାୟ ୧୦୦୦ ରୁ ଅଧିକ ଆଇନଜୀବୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସେବା ଗ୍ରହଣ କରିଛନ୍ତି ବୋଲି ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ ସୂଚନା ଦେଇଛନ୍ତି।
ଅତ୍ୟାଧିକ କାର୍ଯ୍ୟଚାପ ଓ ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଗତି କରୁଥିବା ଆଇନଜୀବୀମାନଙ୍କ ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଦାସ କହିବା ସହ ଆଇଏମଏସ ଏବଂ ସମ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି। ଏହି ଅବସରରେ ଭୁବନେଶ୍ୱର ବାର୍ ଆସୋସିଏସନ୍ ୱେଲଫେୟାର ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ମାନସ ମହାପାତ୍ର ଏବଂ ସମ୍ପାଦକ ଶ୍ରୀ ସୁମନ୍ତ ରାଉତରାୟ ଉପସ୍ଥିତ ରହି ସମ୍ ହସ୍ପିଟାଲ୍ର ଏହି ଜନହିତକର ମହତ୍ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।
ଏହି ବିଶେଷ ସ୍ୱାସ୍ଥ୍ୟ ଶିବିରରେ ଆଇଏମଏସ ଏବଂ ସମ୍ ହସ୍ପିଟାଲ୍ କ୍ୟାମ୍ପସ୍-୧ ର ଭେଷଜ, ଅସ୍ଥିମଜ୍ଜା, ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି, ଚକ୍ଷୁ, ଦନ୍ତ ଏବଂ ଚର୍ମ ରୋଗ ବିଭାଗର ୩୦ ଜଣ ପ୍ରଭାବଶାଳୀ ଓ ବିଶେଷଜ୍ଞ ଡାକ୍ତର ଯୋଗଦେଇ ଆଇନଜୀବୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଉପଯୁକ୍ତ ଚିକିତ୍ସା ପରାମର୍ଶ ପ୍ରଦାନ କରିଥିଲେ।



